ଛତ୍ରପୁର,୫/୧୦ : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତା ଜିଲ୍ଲା ସମବାୟ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ସମବାୟ ଯୋଜନା ମାଧ୍ୟମରେ ଜିଲ୍ଲାର ସବୁ ବର୍ଗର ଚାଷୀମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ନିମନ୍ତେ ଏହି କମିଟି ଗଠନ ହୋଇଛି । ଜିଲ୍ଲା ସମସ୍ତ ପ୍ରାଥମିକ ସମବାୟ ସେବା କେନ୍ଦ୍ର ଜରିଆରେ ଚାଷୀଙ୍କୁ ସରକାର ଯୋଗାଇ ଦେଉଥିବା ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ଜିଲ୍ଲାର ୫୦୩ଟି ପଞ୍ଚାୟତରେ ବର୍ତ୍ତମାନ ୪୧୯ଟି ପ୍ରାଥମିକ ସମବାୟ ସେବା କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ବାକି ୮୪ଟି ପଞ୍ଚାୟତରେ ପ୍ରାଥମିକ ସମବାୟ ସେବା କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତାବ ଅନୁଯାୟୀ ପଦକ୍ଷେପ ନିଆଯିବ । ସେହିପରି ଦୁଗ୍ଧ, ମତ୍ସ୍ୟ ଓ ଫୁଲ ଚାଷୀଙ୍କ ନିମନ୍ତେ ବିଭିନ୍ନ ପଞ୍ଚାୟତରେ ସମବାୟ ସେବା କେନ୍ଦ୍ର ଖୋଲିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ସମବାୟ ଅଧୀନରେ କାର୍ଯ୍ୟକ୍ଷମ ଥିବା ବ୍ରହ୍ମପୁର ଓ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଚାଷୀଙ୍କୁ ଦୀର୍ଘକାଳୀନ ଋଣ ପ୍ରଦାନ କରିବା ସହିତ ବଳରାମ ଯୋଜନାରେ ଅଧିକାରୁ ଅଧିକା ଚାଷୀଙ୍କୁ ସହାୟତା ଯୋଗାଇବା ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ହିଞ୍ଜିଳି ବ୍ଲକର ସାରୁ, ଗୋକର୍ଣ୍ଣପୁର, ସିଦ୍ଧେଶ୍ୱର ଓ ଫାସିଗୁଡାରେ ଥିବା ଗୋ-ଶାଳା ମାଧ୍ୟମରେ ଚାଷୀଙ୍କୁ ରିହାତି ଦରରେ ଗାଇ ଯୋଗାଇ ଦିଆଯିବା ସହିତ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍ଧ ସଂଗ୍ରହ କରାଯାଇପାରିବ । ଫଳରେ ଉକ୍ତ ଦୁଗ୍ଧକୁ ଦୁଗ୍ଧ ଉତ୍ପାଦନ ୟୁନିଟ୍କୁ ପ୍ରଦାନ କରି ଚାଷୀ ଲଭବାନ ହୋଇପାରିବେ । ସେହିପରି ମତ୍ସ୍ୟ ଚାଷୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମତ୍ସ୍ୟ ସମବାୟ ସେବା କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଗଲେ ଚାଷୀ ଉପକୃତ ହୋଇପାରିବେ । ଏଥିପାଇଁ କମିଟିର ଥିବା ବିଭିନ୍ନ ବିଭାଗର ଅଧିକାରୀମାନେ ତତ୍ପରତା ସହ କାମ କଲେ ଜିଲ୍ଲାର ସବୁ ବର୍ଗର ଚାଷୀ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ସମବାୟ ବିଭାଗର ଉପନିବନ୍ଧକ ବିଶ୍ୱରଞ୍ଜନ ଦାଶ, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ, ନାବାର୍ଡ ବ୍ୟାଙ୍କର ଏଜିଏମ୍, ଓଡିଶା ଜୀବିକା ମିସନ୍ର ଜିଲ୍ଲା ସଂଯୋଜକ ନବୀନ ସେନାପତି, ଗଞ୍ଜାମ ଓ ଗଜପତି ଦୁଗ୍ଧ ଉତ୍ପାନ ୟୁନିଟ୍ର ଜିଏମ୍, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ,ସମବାୟ ବ୍ୟାଙ୍କ ବ୍ରହ୍ମପୁର ଓ ଆସିକାର ସିଇଓଙ୍କ ସମେତ ବିଭିନ୍ନ ଲାଇନ୍ ଡିପାଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ ।