ଛତ୍ରପୁର,୨୭/୭: ଗଂଜାମ ଜିଲ୍ଲାରେ କୋରନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଜିଲ୍ଲାରେ କରୋନା ଚେନ୍ କୁ ରୋକିବା ନିମନ୍ତେ ଜିଲ୍ଲାପ୍ରଶାସନ ପୂରା ଦମ୍ ରେ ଲାଗିପଡିଛନ୍ତି ।ଏହାସହ ବିଭିନ୍ନ ବର୍ଗର ଅଧିକାରୀମାନଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ମାନେ କରୋନା ମୁକାବିଲା ରେ କାର୍ଯ୍ୟ କରିଆସୁଛନ୍ତି । ଏହା ସତ୍ତ୍ୱେ ବି କରୋନା ଜିଲ୍ଲାରେ ଥମିବାରେ ନା ଧରୁନି । ସେହିପରି ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ୍ ଓ ଏନ୍ଏସିରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଏନ୍ଏସି ଓ ବ୍ଲକ ଅଞ୍ଚଳରୁ ୨୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ଛତ୍ରପୁର ବ୍ଲକ୍ ଓ ଏନ୍ଏସିରୁ ଆଜି ସୁଦ୍ଧା ୨୫୦ରୁ ଅଧିକ ସଂକ୍ରମିତ ହୋଇଥିବା ଜଣାପଡିଛି । ଛତ୍ରପୁର ସହର ଓ ଗ୍ରାମାଞ୍ଚଳରେ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ପରେ ଅଞ୍ଚଳକୁ ସୁରକ୍ଷିତ ରଖିବା ନିମନ୍ତେ ଛତ୍ରପୁର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶ୍ରମ ଅଧିକାରୀ ବିଶ୍ୱନାଥ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଗ୍ନିଶ୍ରମ ବିଭାଗର କର୍ମଚାରୀମାନେ ନିୟମିତ ମେଡିକାଲ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ସାହି ବସ୍ତି ସମେତ ନିଷିଦ୍ଧାଞ୍ଚଳ ଓ ଗ୍ରାମାଞ୍ଚଳ ଗୁଡିକ ବିଶୋଧନ କାର୍ଯ୍ୟକ୍ରମ କରୁଛନ୍ତି । ଆଜି ସନ୍ଧ୍ୟାରେ ଛତ୍ରପୁର ସ୍ଥିତ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ପଜିଟିଭ୍ ଚିହ୍ନଟ ହୋଇଥିବା ଅଞ୍ଚଳ ଗୁଡିକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବିଶୋଧନ କରିଛନ୍ତି ।