ଛତ୍ରପୁର ୧୧।୭: ଶୁକ୍ରବାର ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟକୁ ଗଞ୍ଜାମ ବ୍ଲକ୍ ର ମଲାଡ଼ ଗ୍ରାମର ଜୈନିକ ମହିଳାକୁ ଧରି ୧୦୮ ଆମ୍ବୁଲାନ୍ସ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ବାଟରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ଉକ୍ତ ମହିଳାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା ।
ସେଠାରେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମୃତ ମହିଳାଙ୍କ ଆଂଟିଜେନ୍ ଟେଷ୍ଟ୍ କରାଯାଇଥିଲା । ଏହା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଚିକିତ୍ସାଳୟ ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଶନିବାର ଛତ୍ରପୁର ଫାୟାର କର୍ମଚାରୀମାନଙ୍କ ଦ୍ୱାରା ମେଡ଼ିକାଲ ପରିସରରେ ଥିବା ଶବ ରହିବା କକ୍ଷଠୁ ଆରମ୍ଭ କରି ସମସ୍ତ କକ୍ଷକୁ ବିଶୋଧନ କରାଯାଇଛି । ଏହା ସହ ଗୁରୁତର ନଥିଲେ କୌଣସି ରୋଗୀଙ୍କୁ ଚିକିତ୍ସାଳୟକୁ ନ ଆସିବାକୁ କୁହାଯାଇଛି ।