ଛତ୍ରପୁର,୧୭/୫ : ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ ରାଜନାପଲ୍ଲୀ ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ମଙ୍ଗଳବାର ଗ୍ରାମବାସୀ ସମୂହ ଦାବି କରିଛନ୍ତି । ଏକ୍ରାନ୍ତରେ ଗ୍ରାମବାସୀ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ନିୟମନୁସାରେ ଗ୍ରାମର ଥିବା ଏହି ବିଦ୍ୟାଳୟରେ କମ୍ ପିଲା ଥିବା ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରାଯାଇ ନିକଟସ୍ଥ ଗେଦଲପଲ୍ଲୀ ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରାଯାଇଛି । ଏହି ବିଦ୍ୟାଳୟ ରାଜନାପଲ୍ଲୀ ଗ୍ରାମଠୁ ପ୍ରାୟ ଦେଢ କିଲୋମିଟରୁ ଅଧିକ ରାସ୍ତା ହେବ । ଏହି ରାସ୍ତାରେ ବିଭିନ୍ନ ସମୟରେ ହିଂସ୍ରଜନ୍ତୁଙ୍କ ଯାତାୟତ ରହୁଥିବା ବେଳେ ବାଲି ବୋଝେଇ ଟ୍ରକ୍ ଓ ଟ୍ରାକ୍ଟର ବହୁଳ ସଂଖ୍ୟାରେ ଯିବାଆସିବା କରୁଛି । ଫଳରେ ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି । ବର୍ତ୍ତମାନ ପରିସ୍ଥିତିରେ ଆମ ବିଦ୍ୟାଳୟର ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇ ୨୩ ଜଣରେ ପହଞ୍ଚିଛି । ଏଣୁ ବନ୍ଦ କରାଯାଇଥିବା ଆମ ଗ୍ରାମର ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବା ଲାଗି ରାଜନାପଲ୍ଲୀ ଗ୍ରାମବାସୀ ପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ।