ଚଣ୍ଡିଖୋଲ-ବିରଳ ପ୍ରଜାତିର ଶୁଭଙ୍କର ପ୍ରାଣୀ ବାଦୁଡ଼ି ବଂଶ ଏବେ ବିଲୁପ୍ତ ହେବାକୁ ବସିଛି । ଯାଜପୁର ଜିଲାର ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଠାରେ କାହିଁ କେଉଁ ଅନାଦି କାଳରୁ ଲକ୍ଷାଧିକ ବାଦୁଡ଼ିଙ୍କୁ ଏଠାରେ ବାସ କରୁଥିବା ଦେଖାଯାଇଛି । ଏହା ମଣିଷମାନଙ୍କ ପାଇଁ ଶୁଭଙ୍କର ବୋଲି ଲୋକକଥା ରହିଥିବାରୁ ସ୍ଥାନୀୟ ଅଂଚଳବାସୀ ସେମାନଙ୍କ ସୁରକ୍ଷା ପାଇଁ ଅଂଟା ଭିଡ଼ିଛନ୍ତି ହେଲେ ପରିତାପର ବିଷୟ ଜଙ୍ଗଲ ବିଭାଗ ଅଧିକାରୀ ଓ ପ୍ରଶାସନର ଜଗାରଖା ତଥା ସେମାନଙ୍କ ସୁରକ୍ଷା ପ୍ରତି କିଛି ବି ପଦକ୍ଷେପ ନିଆଯାଉନଥିବାରୁ ଏବେ ଶିକାରୀମାନେ ଏହି ବିରଳ ପ୍ରାଣୀଙ୍କୁ ଧରି ଲୁଚାଣିଆ ଭାବେ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଚାଳାଣ କରୁଛନ୍ତି ।
ଏହି ବାଦୁଡ଼ି ଗୋଟିକୁ ୧୦୦୦ରୁ ଉଦ୍ଧ୍ୱର୍ ଟଙ୍କାରେ ଶିକାରୀମାନେ ବିକୁଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ବିଶେଷକରି ଶ୍ୱାସ ଓ ଆଣଣ୍ଠୁ ଗଣ୍ଠି ରୋଗରେ ପୀଡ଼ିତ ରୋଗୀମାନଙ୍କ ପାଇଁ ଏହା ଔଷଧ ଭାବେ ବ୍ୟବହାର ହୋଇଥାଏ ଯାହାକୁ ନେଇ ଏହାର ଚାହିଦା ମଧ୍ୟ ବିଭିନ୍ନ ରାଜ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଶିକାରୀମାନେ ରାତିରେ ଫାସ ବସାଇ ବାଦୁଡ଼ିଙ୍କୁ ଧରିବା ପରେ ଜୀବନ୍ତ ଅବସ୍ଥାରେ ବିଭିନ୍ନ କୋ÷ସଳରେ କଲିକତା, ରାଂଚି ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନକୁ ପଠାଉଥିବା ଜଣାପଡ଼ିଛି । ବିଶେଷ କରି ଏହି ପ୍ରାଣୀ ରାତିରେ ଖାଦ୍ୟ ସଂଗ୍ରହ ପାଇଁ ବାହାରକୁ ଯାଉଥିଲା ବେଳେ ଦିନବେଳା ବ୍ରାହ୍ମଣୀ ନଦୀକୂଳ କବାଟବନ୍ଧ ବଣିଆ ସାହି ନିକଟରେ ଥିବା ଅନେକ ଗୁଡ଼ିଏ ବଡ଼ ବଡ଼ ଗଛରେ ବସାବାନ୍ଧି ରହିଥାନ୍ତି ।
ଏମାନଙ୍କ ସୁରକ୍ଷା ପାଇଁ ଦିନବେଳା ସ୍ଥାନୀୟ ଲୋକେ ଜଗାରଖା କରୁଥିଲେ ମଧ୍ୟ ଯେହେତୁ ସେମାନେ ରାତିରେ ଖାଦ୍ୟ ସଂଗ୍ରହ ପାଇଁ ବସା ଛାଡ଼ି ବାହାରକୁ ଯାଇଥାନ୍ତି ତାହାର ସୁଯୋଗ ନେଇ ଶିକାରୀମାନେ ବିଭିନ୍ନ ସ୍ଥାନରେ ଜାଲ ଏବଂ ଫାସ ବସାଇ ବାଦୁଡ଼ିଙ୍କୁ ଶହ ଶହ ସଂଖ୍ୟାରେ ଧରି ନେଉଥିବା ଜଣାପଡ଼ିଛି । ୫ ଶହ ବର୍ଷ ପୂର୍ବରୁ କବାଟବନ୍ଧ ଠାରେ ଲକ୍ଷାଧିକ ସଂଖ୍ୟାରେ ବାଦୁଡ଼ି ସବାବାନ୍ଧି ଥିଲା ବେଳେ ପରିବେଶ ପ୍ରଦୂଷଣ, ତାପମାତ୍ର ବୃଦ୍ଧି ଓ ବିଭିନ୍ନ ସମୟରେ ବନ୍ୟାବାତ୍ୟା ଯୋଗୁଁ ସେମାନଙ୍କ ବଂଶ କମି କମି ଯାଉଛି । ଗତ ବର୍ଷ ସୁଦ୍ଧା ଏଠାରେ ପ୍ରାୟ ୨୫ ରୁ ୩୦ ହଜାର ବାଦୁଡ଼ି ଏଠାରେ ରହୁଥିବା ଆକଳନ କରାଯାଇଥିବା ବେଳେ, ଏବେ ଏହି ସଂଖ୍ୟା ୧୦ ରୁ ୧୫ ହଜାରରେ ପଂହଚିଛି ଯାହା ସ୍ଥାନୀୟ ଅଂଚଳବାସୀ ଓ ପରିବେଶ ପ୍ରେମୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କବାଟବନ୍ଧ ଅଂଚଳ ଏବ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବା ବେଳେ ଏଠାରୁ ଅନେକ ବ୍ୟବସାୟୀ ବେପାର ବଣିଜ ପାଇଁ ବାହାରକୁ ଯାଇଥାନ୍ତି ।
ବ୍ୟବସାୟକୁ ବାହାରିବା ବେଳେ ବାଦୁଡ଼ିଙ୍କୁ ଦେଖି ଗଲେ ସେମାନଙ୍କ ବ୍ୟବସାୟ ଭଲ ହୁଏ ଏବଂ ଅଧିକ ଲାଭ ମିଳିଥାଏ ବୋଲି ବ୍ୟବସାୟୀମାନେ କହିବା ସହ ବାଦୁଡ଼ି ବଂଶ ଏଠାରୁ କମି କମି ଯାଉଥିବାରୁ ସେମାନେ ବ୍ୟାଥିତ ହୋଇଛନ୍ତି । କବାଟବନ୍ଧ ବ୍ୟତିତ ଅନ୍ୟ କୋ÷ଣସି ସ୍ଥାନରେ ବାଦୁଡ଼ିମାନେ ବସବାସ କରୁଥିବା ପ୍ରାୟତଃ ଦେଖାଯାଇନଥାଏ ତେଣୁ ଏହି ବିରଳ ପ୍ରଜାତିର ପ୍ରାଣୀଙ୍କ ବଂଶ ବିଲୁପ୍ତ ହେବା ପୂର୍ବରୁ ଜଙ୍ଗଲ ବିଭାଗ ଓ ଜିଲା ପ୍ରଶାସନ ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ସହ ଶିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହୋଇଛି ।

Comments are closed.