ଚଣ୍ଡିଖୋଲ : ଗତ ପ୍ରଳୟଙ୍କାରୀ ବନ୍ୟାରେ କ୍ଷତିଗ୍ରସ୍ତ ବିପନ୍ନଙ୍କୁ ତୁରନ୍ତ ରିଲିଫ ପ୍ରଦାନ ଦାବି ଓ ଅନ୍ୟାନ୍ୟ ଦାବି ନେଇ ବଡ଼ଚଣା ବ୍ଲକ କଂଗ୍ରେସ ଆଜି ଓଡ଼ିଶାର ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ବଡ଼ଚଣା ବିଡ଼ିଓଙ୍କୁ ପ୍ରଦାନ କରିଛି । ବନ୍ୟା ମୁକାବିଲା କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ।
ବନ୍ୟା ପରବର୍ତ୍ତି ସମୟରେ ରିଲିଫ ଓ ଥଇଥାନ କାର୍ଯ୍ୟକ୍ରମରେ ଘୋର ଅବ୍ୟବସ୍ଥା ଦେଖାଦେଇଛି । ବନ୍ୟା ବିପନ୍ନଙ୍କ ନିକଟରେ ଅଦ୍ୟାବଧି ରିଲିଫ କିମ୍ବା ପଲିଥିନ ପହଞ୍ଚି ପାରିନାହିଁ । ବନ୍ୟା ବିପନ୍ନଙ୍କ ପାଇଁ ସରକାର ଘୋଷଣା କରିଥିବା ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଅଦ୍ୟାବଧି ବିପନ୍ନ ମାନଙ୍କୁ ପ୍ରଦାନ କରାଯାଇନାହିଁ ବୋଲି କଂଗ୍ରେସ ଏହି ଦାବି ପତ୍ରରେ ଉଲ୍ଲେଖ କରିଛି । ସେହିପରି ଚାଷୀ ମାନଙ୍କ ପାଇଁ କୌଣସି ଯୋଜନା କରାଯାଇନାହିଁ ।
ଗତ ବନ୍ୟାରେ ନିମ୍ନ ମାନର ରାସ୍ତା ପାଇଁ ଜଣେ ଯୁବକର ଅକାଳ ବିୟୋଗ ଘଟିଥିଲା ତେବେ ଏବିଷୟରେ ଅଭିଯୋଗ କଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । କଂଗ୍ରେସ ନେତା ଅଜୟ କୁମାର ସାମଲଙ୍କ ନେତୃତ୍ୱରେ କଂଗ୍ରେସ ନେତା ରତିକାନ୍ତ ପ୍ରଧାନ, ମାନଭଞ୍ଜନ ରାଉତରାୟ, ସେକ୍ ରିଆସତ ଅଲ୍ଲି, ମାନଗୋବିନ୍ଦ ଦାଶ, କରୁଣାକର ରଣା, ସଂଜୟ କର, ବାଉଦ୍ଦିନ୍ ଖାଁ, ବଟକୃଷ୍ଣ ଦାସ, ରବୀନ୍ଦ୍ର ବଳ, ଧନେଶ୍ୱର ସାହୁ, ଜୟପ୍ରକାଶ ବିଶ୍ୱାଳ, ସନ୍ତୋଷ ସାହୁ, ଚାନ୍ଦ ଖାଁ, ଅଜିତ୍ କୁମାର ସାହୁ, ରଶ୍ମିରଞ୍ଜନ ରାଉତ, ଜ୍ଞାନେନ୍ଦ୍ର ସାହୁ, ମନୋରଞ୍ଜନ ମଲ୍ଲିକ ଓ ସତ୍ୟାନନ୍ଦ ତରାଇଙ୍କ ସମେତ ବଡ଼ଚଣା ବ୍ଲକ କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ବଡ଼ଚଣା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ବିଡ଼ିଓ ଅଜିତ ନାରାୟଣ ପ୍ରସାଦ ଗିରିଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।