ଚଣ୍ଡିଖୋଲ ଅଞ୍ଚଳବାସୀଙ୍କୁ ସରକାରୀ ପ୍ରତାରଣା : ଉଭେଇ ଯାଉଛି ଡଙ୍କାରୀରେ ୩୮ହଜର କୋଟି ଟଙ୍କାର ବୃହତ୍ତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ଆଶା ,ଅଞ୍ଚଳବାସୀଙ୍କ ତିବ୍ର ପ୍ରତିକ୍ରିୟା
ଚଣ୍ଡିଖୋଲ : ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୬ ମସିହାରେ ଘୋଷିତ ପୂର୍ବ ଭାରତର ବିକାଶ ଯୋଜନାରେ ଓଡିଶାର ପ୍ରଥମ ଓ ସର୍ବ ବୃହତ୍ତ ଚଣ୍ଡିଖୋଲ ଭୂତଳ ତୈଳ ଭଣ୍ଡାର ପ୍ରକଳ୍ପ ଭାଗ୍ୟ ଏବେ ଅନିଶ୍ଚିତ! ଘୋଷଣାର ଦୀର୍ଘ ୮ବର୍ଷ ବିତିଯିବା ପରେ ମଧ୍ୟ ସ୍ଥାନୀୟ ଅଞ୍ଚଳର ଏହି ବହୁ ପ୍ରତିକ୍ଷୀତ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ୱପ୍ନର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଏବେ ସନ୍ଦେହ ଘେରରେ! ଦେଶର ଏହି ବୃହତ୍ତ ପ୍ରକଳ୍ପ ପ୍ରକୃତରେ ଆଉ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ପ୍ରସ୍ତାବିତ ସ୍ଥାନ ଡଙ୍କାରୀ ଠାରେ ହେବକି ନାହିଁ ତାହା ମଧ୍ୟ ପ୍ରହେଳିକା ମଧ୍ୟରେ ରହିଛି! ୪ଶହ ଏକର ଜମି ଉପରେ ପ୍ରକଳ୍ପର ନିର୍ମାଣ ଓ ପାରି ପାର୍ଶ୍ଵିକ ଆବଶ୍ୟକତା ପାଇଁ ଆଉ ଦୁଇଶହ ଏକର ଜମି ଉପରେ ହେବାକୁଥିବା ଏହି ପୂର୍ଣ୍ଣାଙ୍ଗ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଏଥିପାଇଁ ଦୀର୍ଘ ବର୍ଷ ହେବ କେନ୍ଦ୍ର ବଜେଟରେ ୩୮ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅର୍ଥ ବରାଦ ହୋଇ ସାରିଛି ଓ ପ୍ରଥମ ପର୍ଯ୍ୟାୟରେ ଦୁଇ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ଯୋଗାଇ ଦିଆଯାଇଛି ! ଏପରିକି ପ୍ରକଳ୍ପର ନିର୍ମାଣକାର୍ଯ୍ୟ ପାଇଁ ମଧ୍ୟ ଠିକାଦାର ନିଯୁକ୍ତି ପ୍ରକ୍ରିୟା ଶରିଛି! କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ବୈଷୟିକ କମିଟି ୨୦୧୭ ଓ ୨୦୧୮ ମସିହାରେ ଦୁଇ ଦୁଇଥର କ୍ଷେତ୍ର ପରିଦର୍ଶନରେ ଆସି ଏଠାରେ ପ୍ରକଳ୍ପ ନିର୍ମାଣ ପାଇଁ ଗତ ୫ବର୍ଷ ତଳୁ ତାଙ୍କର ଅନୂକୁଳ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇ ସାରିଛନ୍ତି! ହେଲେ ଦୁର୍ଭାଗ୍ୟର ବିଷୟ ଏତେସବୁ ପରେବି ଡଙ୍କାରୀରେ ଏହି ବୃହତ୍ତ ପ୍ରକଳ୍ପର ନିର୍ମାଣ ନେଇ ଘୋର ଅନିଶ୍ଚିତତା ଦେଖାଦେଇଛି! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ସରକାର ସମୟରେ ସେ ପୂର୍ବ ଭାରତର ବିକାଶ ପାଇଁ ନାରା ଦେଇଥିଲେ! ପୂର୍ବ ଭାରତ ବିକଶିତ ନହେଲେ ଦେଶ ପୂର୍ଣ୍ଣ ବିକାଶଲାଭ ହୋଇପାରିବ ନାହିଁ ବୋଲି ସେତେବେଳେ ପ୍ରଧାନମନ୍ତ୍ରୀ କହିବାସହ ପୂର୍ବ ଭାରତର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ପୂର୍ବ ଭାରତ ଅନ୍ତର୍ଗତ ରାଜ୍ୟ ଗୁଡିକରେ ବହୁ ବୃହତ ପ୍ରକଳ୍ପ ନିର୍ମାଣ ପାଇଁ ଘୋଷଣାକରି ସେଥିପାଇଁ ପର୍ଯ୍ୟାପ୍ତ ଅର୍ଥ ବରାଦ କରିଥିଲେ! ସେତେବେଳେ ସେହି ପୂର୍ବ ଭାରତ ବିକାଶ ଯୋଜନାରେ ଓଡିଶାକୁ ସାମିଲ କରାଯାଇ ପ୍ରାୟ ୩୮ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଡଙ୍କାରୀ ଠାରେ ଦେଶର ଏହି ସର୍ବ ବୃହତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରିଥିଲେ! ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ସେତେବେଳେ ମୋଦିଜୀଙ୍କ ମନ୍ତ୍ରୀ ମଣ୍ଡଳରେ ଓଡିଶାର ପୁଅ ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ବିଭାଗୀୟ ମନ୍ତ୍ରୀ ଥିବାରୁ ଏହି ଘୋଷିତ ବୃହତ ପ୍ରକଳ୍ପର କାର୍ଯ୍ୟ ଅତିଶିଘ୍ର ଆରମ୍ଭହୋଇ ନିର୍ଧାରିତ ସମୟ ମଧ୍ୟରେ ଶେଷହେବ ବୋଲି ଓଡିଶାବାସୀ ତଥା ସ୍ଥାନୀୟ ଚଣ୍ଡିଖୋଲ ଅଞ୍ଚଳର ଲକ୍ଷାଧିକ ଜନସାଧାରଣ ଦୃଢ ନିଶ୍ଚିତ ହୋଇଥିଲେ! ଏପରିକି ଏହି ପ୍ରକଳ୍ପ ନିର୍ମାଣ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ଥାନୀୟ ଲୋକଙ୍କ ପାଇଁ ହଜାର ହଜାର ନିଯୁକ୍ତି ସୃଷ୍ଟିହେବା ସହ ପ୍ରାୟ ୩ହଜାର ୫୦୦ ବେକାର ଯୁବକ ଯୁବତୀଙ୍କୁ ଏଥିରେ ସ୍ଥାୟୀ ନିଯୁକ୍ତି ମିଳିବ ଓ ପ୍ରକଳ୍ପ ସ୍ଥଳରୁ ଦୀର୍ଘ ୩୦କିମି ଅଞ୍ଚଳର ସାମଗ୍ରୀକ ବିକାଶଧାରା ଶୀର୍ଷ ସ୍ତର ଛୁଇଁବା ସହ ଏହି ପ୍ରକଳ୍ପ ରାଜ୍ୟର ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ କରିବ ବୋଲି ସେତେବେଳେ ସରକାରୀ ରିପୋର୍ଟ ପ୍ରକାଶ ପାଇଥିଲା! ତାକୁନେଇ ଅଞ୍ଚଳବାସୀଙ୍କ ମନରେ ସ୍ୱର୍ଣ୍ଣିମ ଭବିଷ୍ୟତର ଅନେକ ସ୍ୱପ୍ନ ସୃଷ୍ଟି କରିଥିଲା! ଯାହାକୁ ଆଧାରକରି ଅଞ୍ଚଳବାସୀ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ନିର୍ମାଣ କାମ ଏଠାରେ ନିଶ୍ଚିତ ଆରମ୍ଭ ହେବ ବୋଲି ଏବେ ବି ଆଶାବାଦୀ ରହିଛନ୍ତି! ହେଲେ ପରିତାପର ବିଷୟ ଘୋଷଣାର ୮ବର୍ଷ ବିତିଯିବା ପରେବି ପ୍ରକଳ୍ପ ପାଇଁ ଅଦ୍ୟାବଧି ଜମି ଅଧିଗ୍ରହଣ ହୋଇପାରିନାହିଁ! ରାଜ୍ୟ ସରକାର ଜମି ଅଧିଗ୍ରହଣ କରୁ ନଥିବାରୁ ପ୍ରକଳ୍ପର ନିର୍ମାଣ ନେଇ ଘୋର ସନ୍ଦେହ ସୃଷ୍ଟି ହୋଇଛି! ଅପରପକ୍ଷରେ ରାଜ୍ୟ ସରକାରଙ୍କ ଏପରି ଶିଥିଳତା ନେଇ କେନ୍ଦ୍ର ସରକାର ମଧ୍ୟ ଘୋଷିତ ପ୍ରକଳ୍ପର ଅଗ୍ରଗତି ପାଇଁ ରାଜ୍ୟ ସରକାରଙ୍କ ଉପରେ ଆବଶ୍ୟକୀୟ ଚାପ ନପକାଇ ସ୍ଥାଣୁତା ଅବଲମ୍ବନ କରିବା ଘଟଣା ଏବେ ଏହି ପ୍ରସ୍ଥାବିତ ବୃହତ୍ତ ପ୍ରକଳ୍ପର ବାସ୍ତବ ସ୍ତିତିରେ ଶୂନ୍ୟତା ସୃଷ୍ଟି କରିଛି! ସବୁଠାରୁ ବଡକଥା ହେଉଛି ଦେଶର ସୁରକ୍ଷା ସହିତ ଏହି ପ୍ରକଳ୍ପ ମଧ୍ୟ ଯୋଡିହୋଇ ରହିଛି! ନିର୍ମାଣ ହେବାକୁଥିବା ଏହି ଭୂତଳ ତୈଳ ଭଣ୍ଡାରରେ ଆଗୁଆ ପଦକ୍ଷେପ ସରୁପ ବ୍ୟାପକ ପରିମାଣର ତୈଳ ଗଛିତ ରଖାଯାଇ ତାହାକୁ ଦେଶର ଯେକୌଣସି ଜରୁରୀ ପରିସ୍ଥିତି ସମୟରେ ପ୍ରତିରକ୍ଷା ସମ୍ପର୍କିତ ତୈଳ ସଙ୍କଟ ସମୟରେ ବିନିଯୋଗ କରିବା ପାଇଁ ଏହି ଭୂତଳ ତୈଳ ଭଣ୍ଡାର ନିର୍ମାଣ କରାଯିବାର ପରିକଳ୍ପନା କରାଯାଇଥିଲା! ଭୌଗଳିକ ଅବସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପ୍ରକଳ୍ପ ସହ ଦେଶର ତିନୋଟି ସ୍ଥାନରେ ଗୋଟିଏ ଦିନରେ ଏକସଙ୍ଗେ ତିନୋଟି ଭୂତଳ ତୈଳ ଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରିଥିଲେ! ସେଥିରୁ ସର୍ବ ବୃହତ୍ତ ପ୍ରକଳ୍ପ ଓଡିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲ ନିକଟ ଡଙ୍କାରୀ ଠାରେ ନିର୍ମାଣ ପାଇଁ ଘୋଷଣା ହୋଇଥିଲା ବେଳେ ଦ୍ୱିତୀୟ ପ୍ରକଳ୍ପ ଆଦ୍ରପ୍ରଦେଶର ପେଦୁର ଓ ତୃତୀୟ ପ୍ରକଳ୍ପଟି କର୍ଣ୍ଣାଟକର ମାଙ୍ଗାଲୋର ଠାରେ ନିର୍ମାଣ ପାଇଁ ଘୋଷଣା ହୋଇଥିଲା! ଇତିମଧ୍ୟରେ ଓଡିଶା ପ୍ରକଳ୍ପକୁ ଛାଡି ଅନ୍ୟ ଦୁଇଟିଯାକ ପ୍ରକଳ୍ପର ନିର୍ମାଣ କାମ ଗତ ପାଞ୍ଚ ବର୍ଷ ତଳୁ ଶେଷହୋଇ ତାହା କାର୍ଯ୍ୟକ୍ଷମ ହେବା ସହିତ ଇତିମଧ୍ୟରେ ସେଗୁଡିକ ସମ୍ପ୍ରସାରିତ ହୋଇସାରିଛି! ହେଲେ ଓଡିଶାର ଦୁର୍ଭାଗ୍ୟ ଯେ, ଆମ ପ୍ରକଳ୍ପର ନିର୍ମାଣ ଶେଷ ହେବାତ ଦୁରର କଥା ଏହାର ଭବିଷ୍ୟତ ରୂପରେଖ କଣ ହେବ ତାହା ଅନିଶ୍ଚିତ ମଧ୍ୟରେ ରହିଛି! ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଡଙ୍କାରୀ ମୌଜାରେ ୨୨୧ ଖାତାର ପ୍ଳଟ ନମ୍ବର ୬୦୦ରେ ରହିଥିବା ସରକାରୀ ଜମିରୁ ପ୍ରକଳ୍ପ ପାଇଁ ନିର୍ଧାରିତ ପରିମାଣର ଜମି ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା ଭିତରେ ବାରମ୍ବାର ରାଜ୍ୟ ସରକାରଙ୍କୁ ପତ୍ର ଲେଖା ଯାଇଛି! ତେବେ ପ୍ରୋକ୍ତ ଅଞ୍ଚଳରେ ଖଣି ଖନନ କରୁଥିବା କେତେକ କଳାପଥର ବେପାରୀଙ୍କ ସ୍ୱର୍ଥ ତଥା କିଛି ପ୍ରଭାବଶାଳୀ ରାଜନେତାଙ୍କ ଚକ୍ରାନ୍ତ ପାଇଁ ରାଜ୍ୟ ସରକାର ସେଠାରେ ଜମି ଅଧିଗ୍ରହଣକୁ ଯାଣିସୁଣି ବିଳମ୍ବିତକରି ଏତେବଡ ପ୍ରକଳ୍ପ ଓ ରାଜ୍ୟର ବୃହତ୍ତର ସ୍ୱର୍ଥକୁ ହାତଛଡା କରୁଥିବା ଆଲୋଚନା ହେଉଛି!ଏବେ ଏହି ପ୍ରକଳ୍ପକୁ ଡଙ୍କାରୀରେ କରାନଯାଇ ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତର କରିନେବା ପାଇଁ ସଡଯନ୍ତ୍ର ହେଉଥିବା ସାଧାରଣରେ ବେସ ଆଲୋଚନା ହେଉଛି! ଯାହାକୁ ନେଇ ସମଗ୍ର ଯାଜପୁର ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଘୋର ନୈରାଶ୍ୟ ସୃଷ୍ଟି ହୋଇଛି! ଆଗକୁ ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ଓ ବିଜେପି ଇତ୍ୟବସରରେ ମୋଦିଙ୍କ ତୃତୀୟ ପାଳିର ସରକାର ଗଠନ ପାଇଁ ଲକ୍ଷରଖି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିଲାବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱନ୍ନର ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ନିଶ୍ଚିତ କରି କେନ୍ଦ୍ର ସରକାର ଓଡିଶାବାସୀ ତଥା ସ୍ଥାନୀୟ ଲକ୍ଷଲକ୍ଷ ଲୋକଙ୍କ ଭରସା ଓ ବିଶ୍ୱାସକୁ ଅତୁଟ ରଖିବା ଏବେ ଅବସମ୍ଭାବୀ ହୋଇପଡିଛି!