ଭୁବନେଶ୍ୱର,(ନି.ପ୍ର): ଦୁଇ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଠକେଇ କରିବା ଅଭିଯୋଗରେ ବିଲ୍ଡର ତଥା ସିନେ ପ୍ରଯୋଜକ ନିରଞ୍ଜନ ରଣାକୁ ଗୁରୁବାର ଗିରଫ କରିଛି ଶହୀଦନଗର ଥାନା ପୋଲିସ । ନିରଞ୍ଜନ ରଣା ଲୋକଙ୍କୁ ଜମି ଦେବାକୁ କହି ଟଙ୍କା ନେବା ପରେ ସେମାନଙ୍କୁ ଜମି କିମ୍ବା ଘର ଦେଇ ନଥିଲା । ଠକେଇ ଟଙ୍କାରେ ହରି ଭାଇ ହାରେନା, ଟାର୍ଗେଟ ଭଳି ଅନେକ ଓଡିଆ ସିନେମା କରି ଅୟସ୍ କରୁଥିଲା ବିଲ୍ଡର । ନିରଞ୍ଜନଙ୍କ ବିରୋଧରେ ୧୫ ମାମଲା ଥିବାବେଳେ ୬ଟି ମାମଲାରେ ସେ ଭୁବନେଶ୍ୱର ପୋଲିସ ଟାର୍ଗେଟରେ ଥିଲା ।
ପୁରୁଣା ମାମଲାର ତଦନ୍ତକୁ ଜୋରଦାର କରିବାପାଇଁ ଡିସିପି ଡ. ଉମାଶଙ୍କର ଦାଶ ନିଦେ୍ର୍ଦଶ ଦେବା ସହ ତୁରନ୍ତ ସେହି ମାମଲାର ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ କହିଛନ୍ତି । ସେହି ଅନୁଯାୟୀ, ବିଭିନ୍ନ ଥାନା ଇନସ୍ପେକ୍ଟରମାନେ ପୁରୁଣା ମାମଲାର ଅଭିଯୁକ୍ତମାନଙ୍କୁ ଧରିବାପାଇଁ ଚଢାଉ ଜୋର ଦାର କରିଛନ୍ତି । ହତ୍ୟା, ଅପହରଣ, ନିଖୋଜ, ଠକେଇ ଭଳି ସଙ୍ଗିନ୍ ଅପରାଧର ଛାନଭିନ୍ କରୁଛି ପୋଲିସ । ବିଲ୍ଡର ନିରଞ୍ଜନ ରଣା ଶତାଧିକ ଲୋକଙ୍କଠାରୁ ବହୁ କୋଟି ଟଙ୍କା ନେଇ ସେମାନଙ୍କୁ ପ୍ରତାରଣା କରିବା ପରେ ତାଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା ।
ଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱର ପୋଲିସରେ ୧୫ ମାମଲା ଥିବାବେଳେ, ୨୦୧୬ ମସିହାରେ ସେ ଗିରଫ ହୋଇଥିଲେ । ପୋଲିସରେ ଆହୁରି ୬ଟି ମାମଲା ପଡି ରହିଥିବାରୁ ପୋଲିସ ନିରଞ୍ଜନଙ୍କୁ ଖୋଜ୍ ଖବର କରୁଥିଲା । ସେ ଆତ୍ମଗୋପନ କରି ଠକାଇ ମାମଲାକୁ ଏଡାଇବା ପାଇଁ ଉଦ୍ୟମ କରୁଥିବାବେଳେ ପୋଲିସ କାବୁ କରି ନେଇଛି । ନିରଞ୍ଜନଙ୍କୁ ଶହୀଦନଗର ଥାନାରେ ପୋଲିସ ଜେରା କରୁଥିବାବେଳେ ବିଲ୍ଡର ଅଫିସ୍ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଚାଲିଛି । ଯେଉଁମାନେ ଠକେଇର ଶୀକାର ହୋଇ ଏତଲା କରି ନାହାଁନ୍ତି, ସେମାନେ ଏତଲା କରିବାକୁ ପୋଲିସ କହିଛି ।
ଲୋକଙ୍କଠାରୁ ଟଙ୍କା ଠକି ନେଇ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ସିନେମା କରିବା ସହ ବାହାରକୁ ଟୁର୍ରେ ଯାଇ ଅୟସ୍ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଠକେଇକୁ ନେଇ ଆଉ ଅଧିକ ଅଭିଯୋଗ ହୋଇପାରେ ବୋଲି ପୋଲିସ କହିଛି । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ନିରଞ୍ଜନ ରଣାଙ୍କ ବିରୋଧରେ ମାମଲା ଥବବା ଜଣାଯାଇଛି । ସେ ଜଣେ ପେଶାଦାର ଠକ ବୋଲି ଚର୍ଚ୍ଚା ହେଉଛି ।

Comments are closed.