ଖାଦ୍ୟରେ ମିଶୁଛି ରାସାୟନିକ ଦ୍ରବ୍ୟ , ପ୍ରଦ୍ଯୂଷିତ ହେଉଛି ଖାଦ୍ୟ ପସରା : ବୁଗୁଡ଼ା ଏନଏସିରେ ଖାଦ୍ୟର ମାନ ଯାଞ୍ଚ ହେଉନି
ବୁଗୁଡା : ତା ୦୩/୦୪/୨୩ : ଆରମ୍ଭ ହୋଇ ଗଲାଣି ଦଣ୍ଡଯାତ୍ରା ପର୍ବ । ଖୋଲା ମେଲାରେ ପଡିଲାଣି ମାଳ ମାଳ ଖାଦ୍ୟ ସାମଗ୍ରୀର ପସରା । କେବଳ ଗ୍ରାମାଞ୍ଚଳରେ ନୁହେଁ,ବୁଗୁଡ଼ା ସହରରେ ମଧ୍ୟ ଠେଲା ଗାଡିଠାରୁ ଆରମ୍ଭ କରି ଅନେକ ଦୋକାନରେ ଫାଷ୍ଟଫୁଡ୍ ଓ ଦୂଷିତ ଜଳ ବିକ୍ରି ହେଉଛି । ବିନା ଲାଇସେନ୍ସରେ ରାସ୍ତା କଡରେ ବିକ୍ରି
ହେଉଥିଲେ ବି ଖାଦ୍ୟର ମାନ ଯାଞ୍ଚ ହେଉନାହିଁ । ଅସ୍ବାସ୍ଥ୍ୟକର ପରିବେଶରେ ଏଗୁଡିକ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେଉଥିଲେ ବି ଏଠାକାର ଅସ୍ବାସ୍ଥ୍ୟକର ପରିବେଶ ପ୍ରତି ସ୍ଥାନୀୟ ପ୍ରଶାସନ ଚୁପ୍ ରହୁଛି। ଦହିବରା, ଆଳୁଦମ୍, ଗୁପଚୁପ, ଚାଟ୍, ଦୋସା, ପକୁଡି ସମେତ ବିଭିନ୍ନ ରକମର ଫାଷ୍ଟଫୁଡ୍ ଖାଦ୍ୟକୁ ଘୋଡାଇ ରଖା ଯାଉନାହିଁ। ରାସ୍ତାରେ ଉଡୁଥିବା ଧୂଳି ଏହା ଉପରେ ପଡୁଛି । ତେଣୁ ଖାଦ୍ୟ ବିଷାକ୍ତ ହୋଇପଡୁଛି ।
ଏହି ପଦାର୍ଥକୁ ଯାଞ୍ଚ କରିବା ପାଇଁ ବୁଗୁଡ଼ା ଏନଏସିରେ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ଏମାନଙ୍କ କାରବାର ଏବେ ବ୍ୟାପକ ହୋଇଛି। ଆଗାମୀ ଦିନରେ ଏହା ଜଣ୍ଡିସ୍ ରୋଗକୁ ଆମନ୍ତ୍ରଣ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଆଖପାଖ ଅଞ୍ଚଳରୁ ମଧ୍ୟ ଅନେକ ଲୋକ ବୁଗୁଡ଼ା ଏନଏସିକୁ ବେପାର କରିବା ପାଇଁ ଆସିଥାନ୍ତି । ଯାତ୍ରା ଦେଖା କଦଳୀ ବିକା ନ୍ୟାୟରେ ଏଠାକୁ ଆସୁଥିବା ଲୋକମାନେ ଏହି ଫାଷ୍ଟଫୁଡ୍କୁ ଆଦରି ନେଉଛନ୍ତି। ଖାଲି ସେତିକି ନୁହେଁ ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟବହାର କରାଯାଇଥିବା ବିଭିନ୍ନ କୃତିମ ରଙ୍ଗ ସାଙ୍ଗକୁ ଚାଇନା ସଲଟ୍, ଭିନେଗାର, ସୋୟାସସ୍ ଭଳି ବହୁ ରକମର ରାସାୟନିକ ଦ୍ରବ୍ୟ ଭକ୍ଷଣ କରିବା ଫଳରେ ନାନା ରୋଗର କାରଣ ପାଲଟିଛି । ତେଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି।