ବୁଗୁଡ଼ା : ତା ୨୦/୦୩/୨୨ : ସଂପ୍ରତି ବୁଗୁଡ଼ା ଏନ୍ଏସି ଅଧ୍ଯକ୍ଷ ନିର୍ବାଚନ ଏକ ରୋଚକ ମୋଡରେ ଆସି ପହଞ୍ଚି ଯାଇଛି । ଅଧ୍ଯକ୍ଷ ପଦବୀ ପାଇଁ ବିଜେଡିରୁ ଚିତ୍ରସେନ ପ୍ରଧାନ ବିଜେପିରୁ ପ୍ରତାପ ଚନ୍ଦ୍ର ନାୟକ , କଂଗ୍ରେସରୁ ସିମାଞ୍ଚଳ ଖଟେଇ ଏବଂ ସ୍ବାଧୀନ ପ୍ରାର୍ଥିନୀ ଡି.ରେଶମା ପାତ୍ର ପ୍ରମୁଖ ଚାରି ଜଣ ପ୍ରାର୍ଥୀ ରହିଛନ୍ତି । ସ୍ବାଧୀନ ପ୍ରାର୍ଥିନୀ ରେଶମା ନିଜ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିବାକୁ ଚାହୁଁଥିଲେ ହେଁ ଅସ୍ବଭାବିକ ପରିସ୍ଥିତିରେ ପଡି ତାହା କରି ନପାରି ସେ ଏବେ ଅଧ୍ଯକ୍ଷ ଦୌଡରେ ଥାଇ ମଧ୍ୟ ଦୌଡୁ ନଥିବା ଦେଖାଯାଇଛି । ଫଳରେ ଅଧ୍ଯକ୍ଷ ପଦବୀ ପାଇଁ ବିଜେଡି, କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ଯରେ ତ୍ରିକୋଣୀୟ ଲଢେଇର ସମ୍ଭାବନା ସୃଷ୍ଟି ହୋଇଛି ।
ନିର୍ବାଚନ ପ୍ରଚାରରେ ବିଜେଡି ପ୍ରାର୍ଥୀ ଅନ୍ଯ ଦୁଇ ଜଣଙ୍କ ଠାରୁ ଆଗରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ଭିକ୍ଷାରେ ଶିଥିଳତା ଦେଖା ଦେଇଛି । ଅନ୍ୟପକ୍ଷରେ ଅଧ୍ଯକ୍ଷ ପ୍ରାର୍ଥୀ ତ୍ରୟ ନିର୍ବାଚନ ମଇଦାନରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ବିଜେଡ଼ିର କେତେକ ବିଭିଷଣ ପ୍ରକୃତିର ନେତା ଏବଂ ବିଜେପିର କେତେକ ପିରି ଏଣ୍ଡୁଅ ଚରିତ୍ରର ନେତା ଏବଂ ଗଛରେ ଚଢ଼ାଇ ମୂଳ କାଟିବା ଭଳି କାର୍ଯ୍ୟ କରୁଥିବା କଂଗ୍ରେସର କିଛି ନେତା ଖଳନାୟକ ଭୂମିକାରେ ରହିଥିବାରୁ ନିର୍ବାଚନର ଉଷ୍ମତା ବୃଦ୍ଧି ପାଇଛି । ତେବେ ଚଳିତ ନିର୍ବାଚନରେ ଅଧ୍ଯକ୍ଷ ଚୟନରେ ଏନ୍ଏସିର ୧୨୭୨୫ ଜଣ ଭୋଟରଙ୍କ ମତ ନିର୍ଣ୍ଣାୟକ ହୋଇଥିବା ବେଳେ ଦେଖିବାକୁ ବାକି ରହିଲା ଯେ ଅଧ୍ୟକ୍ଷ ମୁକୁଟ ପିନ୍ଧିବା ପାଇଁ ହାତୀ କାହା ମୁଣ୍ଡରେ କଳସ ଢାଳୁଛି ?