Odisha news

କେନ୍ଦ୍ରୀୟ ବଜେଟ ୨୦୨୧-୨୨: ସ୍ୱପ୍ନ ଓ ସମ୍ଭାବନା

0

ହିମାଂଶୁ ଶେଖର ଆଚାର୍ଯ୍ୟ : ସୋମବାର କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ସାଧାରଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ । ଚଳିତ ବର୍ଷ ୭ଲକ୍ଷ କୋଟି ଟଙ୍କାର ରାଜସ୍ୱ ନିଅଣ୍ଟ ସମ୍ଭାବନା ରହିଛି, ଯାହା କେନ୍ଦ୍ର ସରକାରଙ୍କ ଆଗରେ ଏକ ବଡ ଆହ୍ୱାନ ସୃଷ୍ଟି କରିବ । ଏଥିସହିତ ସାଧାରଣ ଲୋକଙ୍କ ସୁବିଧା ପାଇଁ ପ୍ରଦାନ କରାଯାଉଥିବା ଜନକଲ୍ୟାଣକାରୀ ଯୋଜନାରେ କେନ୍ଦ୍ରୀୟ ଅର୍ଥ ରାଶି ବୃଦ୍ଧି ହେବାର ଆବଶ୍ୟକତା ରହିଛି । ଅନୁରୂପଭାବେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଦାନ କରାଯାଉଥିବା କେନ୍ଦ୍ରୀୟ ଅନୁଦାନ ବୃଦ୍ଧିକୁ ମଧ୍ୟ ଏଡାଇ ଦିଆଯାଇନପାରେ । କରୋନା ମହାମାରୀ ଜନିତ ଲକ୍ଡାଉନ ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଦୁର୍ବଳ ହୋଇ ପଡିଥିବା ବେଳେ ବଜେଟ୍ ଉପରେ ଦେଶବାସୀଙ୍କ ନଜର ରହିଛି । କେନ୍ଦ୍ର ସରକାର କେଉଁ କେଉଁ କ୍ଷେତ୍ରକୁ ଗୁରୁତ୍ୱ ଦେଇ ବଜେଟ୍ରେ ଅଧିକ ପ୍ରୋସôାହନ ଯୋଗାଇବେ ତାହା ଆଲୋଚ୍ୟ ବିଷୟ ହୋଇଛି । ସେହିପରି କିଛି ସାମଗ୍ରୀ ମହଙ୍ଗା ହୋଇପାରେ ଓ କିଛି ସାମଗ୍ରୀ ଉପରୁ ମଧ୍ୟ କର ହ୍ରାସ କରାଯାଇପାରେ । ବଜେଟ୍ରେ ଉତ୍ପାଦନ, ପର୍ଯ୍ୟଟନ, ଭିତ୍ତିଭୂମି ଓ ପୁଞ୍ଜି ନିବେଶ କ୍ଷେତ୍ରକୁ ମିଳିପାରେ ପ୍ରୋସôାହନ । ସର୍ବୋପରି କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଓ ଆୟକର ରିହାତି ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି ।

ଚଳିତ ବର୍ଷ ମାହାମାରୀ କରୋନାର ପ୍ରତିକୂଳ ପ୍ରଭାବ ଅର୍ଥବ୍ୟବସ୍ଥା ଉପରେ ଗଭୀର ଭାବେ ଅନୁଭୂତ ହୋଇଛି । ଏହାର ମୁକାବିଲା କରିବାକୁ ଯାଇ ଲକ୍ଡାଉନ ଓ ସଟ୍ଡାଉନ କଟକଣା ଯୋଗୁଁ ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ । ସ୍ଥାଣୁ ପାଲଟିଛି ଶିଳ୍ପ ଜଗତ । ଶ୍ରମିକ ଗାଁ ମୁହାଁ । ଏହି ମାନ୍ଦା ଅବସ୍ଥାରୁ ମୁକୁଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ୨୦ଲକ୍ଷ କୋଟିର ‘ଆତ୍ମ ନିର୍ଭର ଭାରତ ଅଭିଯାନ’ । ଏହି ଘୋଷଣାକୁ ବାସ୍ତବ ରୂପ ଦେବାକୁ ପ୍ରୟାସ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଯୋଜନା ଅନୁଯାୟୀ ଶିଳ୍ପ, କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷାଭଳି କ୍ଷେତ୍ରଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିପରି ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ୧୭ହଜାର କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ସମୟରେ ଆଗତ ହେବାକୁ ଯାଉଛି ନିର୍ମଳାଙ୍କ ଏହା ତୃତୀୟ ତଥା କରୋନା ପରେ ପ୍ରଥମ ବଜେଟ୍ । ପୂର୍ବ ବଜେଟ ତୁଳନାରେ ଏହି ବଜେଟ୍ର ରୂପରେଖ ଭିନ୍ନ ହେବ ବୋଲି ପୂର୍ବରୁ ଅର୍ଥମନ୍ତ୍ରୀ ସୁଚନା ଦେଇଛନ୍ତି । ତେଣୁ ସରକାର ଏହି ବଜେଟ୍ରେ ସାଧାରଣଜନତାଙ୍କୁ କ’ଣ ଆଶ୍ୱସ୍ତି ଦେବ ତାହା ବଜେଟ୍ ଉପସ୍ଥାପନ ପରେ ଜଣା ପଡିବ । ତଥାପି ବିଶେଷଜ୍ଞମାନେ ବଜେଟ୍ର ପ୍ରାକ ଆକଳନକୁ ନେଇ ଭିନ୍ନ ଭିନ୍ନମତ ପୋଷଣ କରିଛନ୍ତି ।

ସ୍ୱାଧୀନତାର ବିଗତ ସାତ ଦଶନ୍ଧିପରେ ଆମର ସଫଳତା ଓ ବିଫଳତା କୁ ଆଲୋଚନା କଲେ ଅନେକ ତଥ୍ୟ ଆଖି ସାମନାକୁ ଆସେ ।ଏହି ସମୟ ମଧ୍ୟରେ ଭାରତ ବିଶ୍ୱ ଦରବାରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି । ସବୁଜ ବିପ୍ଲବ ପରେ ଏଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇ ପାରିଛି । ଶ୍ୱେତ ବିପ୍ଲବ ଯୋଗୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିଛି । ସ୍ୱାଧୀନତା ପୁର୍ବରୁ ଯେଉଁ ଦେଶରେ ପିନ୍କଣ୍ଟାଟିଏ ଉତ୍ପାଦନ ହୋଇପାରୁ ନଥିଲା ସେ ଦେଶ ଆଜି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ କାରିଗରିରେ ବିଶ୍ୱର ଗୋଟିଏ ଆଗ ଧାଡିର ଦେଶ । ଖାଲି ସେତିକିନୁହେଁ , ଏହି ସମୟ ଭିତରେ ଭାରତର ଚେହେରା ବଦଳିଛି ଚିହ୍ନି ନହେଲା ପରି । ଅର୍ଥନୈତିକ ସସ୍କାର, ଟେଲିକମ୍ ବିପ୍ଳବ, ମହାକାଶ ମାନ୍ୟତା. ସଫ୍ଟଓୟାର ମହାଶକ୍ତି ଭାବେ ନୁଆ ପରିଚିତି ଆଜି ଏ ରାଷ୍ଟ୍ରକୁ ସଫଳ ଓ ସଶକ୍ତ ରାଷ୍ଟ୍ରର ମର୍ଯାଦା ଦେଇଛି । ଶିଳ୍ପ କ୍ଷେତ୍ରରେ ଆଶାନୁରୂପ ପ୍ରଗତି ହାସଲ ହୋଇଛି ।

ଦେଶର ଜନସଂଖ୍ୟା ୩୬ କୋଟିରୁ ଆସି ୧୩୪ କୋଟି ଟପିସାରିଲାଣି । ଏହି ସମୟ ମଧ୍ୟରେ ଆମର ସାକ୍ଷରତା ହାର ୧୮ ପ୍ରତିଶତରୁ ୭୪ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ଅଭିବୃଦ୍ଧିି ହାର ବୃଦ୍ଧି ପାଇଥିଲେ ମଧ୍ୟ କରୋନା ଜନିତ ପ୍ରତିକୂଳ ପ୍ରଭାବ ଏହି ଅଭିବୃଦ୍ଧିରେ ହ୍ରାସ ଘଟିଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସତ୍ତ୍ୱେ କରୋନା ଏଥିରେ ବାଧକ ସାଜିଛି ।

ସେହିପରି କେତେକ କ୍ଷେତ୍ରରେ ଆମର ସଫଳତା ଆଖିଦୃଶିଆ ହୋଇ ପାରିନାହିଁ । ସେଥିପାଇଁ ଆମ ଅର୍ଥବ୍ୟବସ୍ଥା ଏବେ ବିକାଶମୁଖୀ ଅବସ୍ଥାରେ ରହିଛି । ଏକ ବିିକଶିତ ରାଷ୍ଟ୍ର ହେବା ପାଇଁ ଆମକୁ ଆହୁରି ଅନେକ ବାଟ ଯିବାର ଅଛି । ଏହାକୁ ଅଣଦେଖା କଲେ ଚଳିବ ନାହିଁ । ସୂଚନାଯୋଗ୍ୟ ଯେ, ଏବେବି ଭାରତରେ ରହୁଛନ୍ତି ୨୮କୋଟି ନିରକ୍ଷର,୨୬କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଓ ଅପପୁଷ୍ଟିର ଶୀକାର ହେଉଥିବା ୪୨ପ୍ରତିଶତ ଶିଶୁ । ଏଥିସହିତ ସମସ୍ତଙ୍କୁ ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟସେବା, ବିଜୁଳି, ସଡକ, ଓ ପାନୀୟ ଜଳ ଯୋଗାଇବାରେ ମଧ୍ୟ ଆମେ ବିଫଳ ହୋଇଛୁ । ସେହିପରି ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ ପୂରଣ କରିବାରେ ଆମର ସ୍ଥିତି ସନ୍ତୋଷଜନକ ନୁହେଁ । ଏହାର ମୂଳ କାରଣ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାର । ବିଡମ୍ବନା ହେଲାଯେ ଏହାର ପରିମାଣ କମୁନି ବରଂ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ଏଥିସହିତ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ ।

କରୋନା ପରି ଜାତୀୟ ବିପତ୍ତି ସମୟରେ ସାରା ଦେଶ ଏକଜୁଟ୍ ହେବା ଆମପାଇଁ ବଡ ଆଶ୍ୱାସନାର ବିଷୟ । ଲକ୍ଡାଉନ ଓ ସଟ୍ଡାଉନ ସମୟରେ ଦେଶବାସୀ ଯେଉଁ ଏକତା ଓ ସଂଯମତା ଦେଖାଇଛନ୍ତି ସେଥିପାଇଁ ସମସ୍ତେ ପ୍ରଶଂସାର ପାତ୍ର । ବର୍ତ୍ତମାନ ଅର୍ଥନୀତିକୁ ଟ୍ରାକ୍କୁ ଆଣିବାପାଇଁ ଏହି ବଜେଟ୍ ଉପସ୍ଥାପିତ ହେବାକୁ ଯାଉଛି । ଅର୍ଥନୀତିଜ୍ଞମାନେ ଆଶା ରଖିଛନ୍ତି ଚଳିତ ବର୍ଷ ବଜେଟ୍ ସ୍ୱପ୍ନର ବଜେଟ୍ ହେବ । ମହାମାରୀ ଯୋଗୁଁ ଧିମେଇ ପଡିଥିବା ଅର୍ଥନୀତିକୁ ବଳ ଦେବ । ମହାମାରୀର ସଂକ୍ରମଣ ହାର ଏବେ କମିବାରେ ଲାଗିଛି । ଟୀକାକରଣ କାର୍ଯ୍ୟକ୍ରମରେ ଅଗ୍ରଗତି ଯୋଗୁଁ ଏକ ନୂତନ ଭବିଷ୍ୟତ ଆଶା କରାଯାଉଛି । ସ୍ଥିତିରେ ପରିବର୍ତ୍ତନ ଆସିବା ଆରମ୍ଭ ହେଲାଣି । ସ୍ଥାୟୀ ଅର୍ଥନୈତିକ ବିକାଶ ପାଇଁ ବଜେଟ୍ରେ କେତେକ କ୍ଷେତ୍ର ଯୋଜନାବଦ୍ଧ ନୀତି ନିର୍ଦ୍ଧାରଣ ଆବଶ୍ୟକ କରୁଛି । ତେଣୁ ପୂର୍ବରୁ ଘୋଷଣା ହେଇଥିବା ଅର୍ଥିକ ପ୍ୟାକେଜ୍ ସହ ଚଳିତ ବଜେଟ୍ରେ କରାଯାଇଥିବା ଆର୍ଥିକ ବ୍ୟୟ ବରାଦର ସୁବିନିଯୋଗ ଉପରେ ଅର୍ଥବ୍ୟବସ୍ଥାର ସୁଧାର ନିର୍ଭର କରେ!

Leave A Reply