Odisha news

ଆଜି କେନ୍ଦ୍ର ବଜେଟ୍ : ଆୟକରରେ ମିଳିପାରେ ରିହାତି, ଘୋଷଣା ହୋଇପାରେ ନୂଆ ସ୍କିମ୍

0

ନୂଆଦିଲ୍ଲୀ : ଦେଶର ଅଭିବୃଦ୍ଧି ହାର ୫% ଭଳି ନିମ୍ନ ସ୍ତରରେ ରହିଛି। ଅର୍ଥନୀତିରେ ମାନ୍ଦାବାସ୍ଥା ଯୋଗୁଁ ଦେଶର ଉଦ୍ୟୋଗ କ୍ଷେତ୍ରରେ ସଂକଟ ସୃଷ୍ଟି ହୋଇଛି। କ୍ରମବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା ମଧ୍ୟ ସରକାରଙ୍କ ପାଇଁ ବଡ଼ ଅଡ଼ୁଆ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ‌ନିଜର ଦ୍ବିତୀୟ ବଜେଟ୍‌କୁ ସଂସଦରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଦିନ ୧୧ଟାରେ ବଜେଟ୍‌ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ନିର୍ମଳାଙ୍କ ନୂଆ ବଜେଟ୍‌ରୁ ସାଧାରଣ ଜନତା ଓ ଶିଳ୍ପ ଜଗତ ଅନେକ କିଛି ଆଶା କରୁଛନ୍ତି। ତେବେ ରାଜସ୍ବ ଆଦାୟ କମିଯାଇଥିବା ବେଳେ ବ୍ୟୟ ବଢ଼ାଇବା ଲାଗି ସରକାର ସଂଘର୍ଷ କରୁଛନ୍ତି। ତେଣୁ ୨୦୨୦-୨୧ ବଜେଟ୍‌ରେ ରାଜସ୍ବ ବୃଦ୍ଧି ପାଇଁ କିଛି ବଳିଷ୍ଠ ପଦକ୍ଷେପ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।

ଗତବର୍ଷ କେନ୍ଦ୍ର ସରକାର କଂପାନି ଟିକସକୁ ୩୦%ରୁ ୨୨%କୁ ଖସାଇ ଦେଇଥିଲେ। ତେଣୁ ଏଥର ବଜେଟ୍‌ରେ ବ୍ୟକ୍ତିଗତ ଆୟକରକୁ ଆହୁରି କୋହଳ କରାଯିବାର ସମ୍ଭାବନା ରହିଛି। ଏହା ହେଲେ ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଧରଣର ଆଶ୍ବସ୍ତି ମିଳିବ। କିନ୍ତୁ ରାଜସ୍ବ ଆଦାୟ ସ୍ଥିତି ଯାହା ରହିଛି ତାହାକୁ ଯଦି ବିଚାରକୁ ନିଆଯିବ ତେବେ ଟିକସ ଉପରେ ସରକାର ଅଧିକ କିଛି ରିହାତି ପ୍ରଦାନ କରିବା ଭଳି ସ୍ଥିତିରେ ନାହାନ୍ତି ବୋଲି କୁହାଯାଇପାରିବ।

ତଳକୁ ଖସିଚାଲିଥିବା ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ଅର୍ଥମନ୍ତ୍ରୀ କ’ଣ ପଦକ୍ଷେପ ଘୋଷଣା କରିବ‌େ ତାହାକୁ ସମସ୍ତେ ଚାହିରହିଛନ୍ତି। ବଜେଟ୍‌ ହିଁ ଷ୍ଟକ୍‌ ବଜାରର ଆଗାମୀ ମାର୍ଗ ନିର୍ଧାରଣ କରିବ ବୋଲି କୁହାଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ ଓ ପ୍ରତିରକ୍ଷା ବ୍ୟତୀତ ସାମାଜିକ କ୍ଷେତ୍ର ପାଇଁ ସରକାର କେତେ ବ୍ୟୟବରାଦ କରିବେ ତାହା ଆସନ୍ତାକାଲି ବଜେଟ୍‌ ଘୋଷଣା ହେବା ପରେ ଜଣାପଡ଼ିବ। ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସରକାରଙ୍କ ଦୁଇଟି ପ୍ରମୁଖ ସ୍କିମ୍ ହୋଇଥିବାରୁ ଏହାର ବ୍ୟୟବରାଦକୁ ସରକାର ବଢ଼ାଇପାରନ୍ତି। ମହିଳା ସଶକ୍ତୀକରଣ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କିଛି ନୂଆ ‌ଯୋଜନା ଘୋଷଣା କରାଯାଇପ‌ାରେ। ମଧ୍ୟବିତ୍ତ ପରିବାର ଲାଗି ନୂଆ ସ୍ବାସ୍ଥ୍ୟ ବୀମା ଯୋଜନା ଘୋଷଣା କରାଯିବାର ସମ୍ଭାବନା ମଧ୍ୟ ରହିଛି ବୋଲି ଆଲୋଚନା ହେଉଛି।

ଏହାଛଡ଼ା ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ଲାଗି ଅଧିକ ଋଣ କରିବା ବିଷୟରେ ବଜେଟ୍‌ରେ ଘୋଷଣା କରାଯାଇପାରେ। ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟ ମଧ୍ୟ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ ବଢ଼ାଇବା ବିଷୟରେ ମଧ୍ୟ ବଜେଟ୍‌ରେ କିଛି ନୂଆ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply