ବୋଲଗଡ,୨୨.୦୯ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗରିବ ନିରୀହ ,ନିଷ୍ପେଶିତ ଲୋକମାନଙ୍କ ପାଇଁ ବହୁଯୋଜନା ପ୍ରଣୟନ କରିଛନ୍ତି । ସାଧାରଣ ଜନତାଙ୍କ ଆର୍ଥିକ ମାନଦଣ୍ଡର ଉନ୍ନତି ସହିତ ରହିବା ପାଇଁ ଆବାସ ଯୋଜନାରେ ଗୃହଦେବାର ସୁବନେ୍ଦାବସ୍ତ କରିଛନ୍ତି । କିନ୍ତୁ ନିମ୍ନ ସ୍ତରରେ ତାହା କେତେଦୂର ଫଳପ୍ରସୁ ହେଉଛି ତାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଡାବରଧୁଆ ପାଟଣା ଗ୍ରାମପଞ୍ଚାୟତର ନୟାପାଟଣା ଗ୍ରାମରେ ।
ସୂଚନାରୁ ପ୍ରକାଶ ଯେ,ରାମଚନ୍ଦ୍ର ଜେନା(୬୭) ୨୦୧୯ ମସିହାରେ ଆସିଥିବା ‘ଫନି ବାତ୍ୟା’ରେ ନିଜର ଚାଳଛପର ଘରଟିକୁ ହରାଇଥିଲେ । ସେହିଦିନ ଠାରୁ ସେ କେତେଥର ବୋଲଗଡ ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନକୁ କେତେ ଯେ,କାକୁତି ମୀନତି ନ ହୋଇଛନ୍ତି । ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆଶ୍ୱାସନ ଛଡା ଅନ୍ୟକିଛି ମିଳିନାହିଁ ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ରାମଚନ୍ଦ୍ରଙ୍କ ସଂସାର କହିଲେ ଗୋଟିଏ ପୁଅ ଏବଂ ନାତି ନାତୁଣିକୁ ନେଇ ପରିବାର ।
ପୁଅ ଦାଦନ ଶ୍ରମିକ ହୋଇ ବାହାରକୁ ରାଜ୍ୟକୁ ଖଟିବାକୁ ଯାଇଥିବା ବେଳେ ରୋଜଗାରର ମାଧ୍ୟମ କେବଳ ଭତା ୫ଶହ ଟଙ୍କା ସହିତ ଖାଉଟି କାର୍ଡରେ ମିଳୁଥିବା ରାସନ ସାମଗ୍ରୀ ତାହା ପୁଣି କେବେ କେବେ ଠିକ୍ ସମୟରେ ମିଳୁନଥିବାର ଅଭିଯୋଗ ମଧ୍ୟ ରହିଛି । ମଙ୍ଗଳବାର ସବୁ ସମସ୍ୟାର ସମାଧାନ ପାଇଁ ରାମଚନ୍ଦ୍ର ଓ ନିଜ ସାଙ୍ଗରେ ଆସିଥିବା ୱାର୍ଡ ନଂ -୧୭ର ୱାର୍ଡମେମ୍ବର ରିନା ବେହେରାଙ୍କୁ ନେଇ ପହଞ୍ଚିଯାଇଥିଲେ ବ୍ଲକର ସର୍ବମୟ କର୍ତ୍ତା ବିଡିଓଙ୍କ ପ୍ରକୋଷ୍ଠରେ ।
ବିଡିଓ ଦରଖାସ୍ତଟି ଦେଖିବା ବଦଳରେ ପିଅନକୁ ଦେଇଦେବାକୁ କହିଦେଇ ସବୁସମସ୍ୟାର ସମାଧାନ କରିଦେଲେ ବୋଲି ଅଭିଯୋଗର କହିଛନ୍ତି ରାମଚନ୍ଦ୍ର । ଭଙ୍ଗା ଦଦରା ,ପାଲଘେରା ଘରେ ବାକି ଜୀବନ କାଟି ଦେବି ପଛକେ କିନ୍ତୁ ଆଉ କୈାଣସି ନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରିବାକୁ କେବେ ଆସିବିନି,ଯାହା ଭାଗ୍ୟରେ ଥିବ ତାହା ଘଟିବ ବୋଲି କୋହଭରା କଣ୍ଠରେ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ବିଜୁପକ୍କାଘର, କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବହୁ ଅଯୋଗ୍ୟ ବ୍ୟକ୍ତି ଅସାଧୁ ଉପାୟରେ ଘର ପାଇବାକୁ ସକ୍ଷମ ହୋଇଥିବା ବେଳେ ରାମଚନ୍ଦ୍ରଙ୍କ ଭଳି ଜଣେ ଗରିବ ,ଅସହାୟ, ନିଷ୍ପଶିତ ସାଧାରଣ ନାଗରିକ ପାଲ ଘେରା ଘରେ ରହୁଥିବା ବ୍ୟକ୍ତିଙ୍କ ପ୍ରତି କେବେ ପ୍ରଶାସନ ସଦୟ ହେବ ତାହାକୁ ନେଇ ବୁଦ୍ଧିଜିବୀ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।