Odisha news

ପଂଚାୟତିରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାରମୁକ୍ତ ପରିବର୍ତେ ଭ୍ରଷ୍ଟାଚାରଯୁକ୍ତ କରିଛନ୍ତି ରାଜ୍ୟ ସରକାର : ସମୀର ମହାନ୍ତି

ପଂଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିଲା ବିଜେପି

0

 କଟକ ଜିଲ୍ଲା ସାଲେପୁରଠାରେ ଅନୁଷ୍ଠିତ ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତିଙ୍କ ସମେତ ବହୁ ନେତୃବୃନ୍ଦ
 ରାଜ୍ୟର ୩୧୪ଟି ବ୍ଲକରେ ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ
 ଦୁର୍ନୀତି ଓ ଭ୍ରଷ୍ଟାଚାରର ବାରୁଦ ଗଦାରେ ଛିଡା ହୋଇଛି ଓଡିଶା
 ପଂଚାୟତିରାଜ ବିଭାଗରେ ରାଜ୍ୟରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଦୁର୍ନୀତି ହେଉଛି
 ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ସିଏଫସି ଟଙ୍କା, ରାସନ କାର୍ଡ ଏବଂ ପିସି ଦୁର୍ନୀତି ଭଳି ମୁଖ୍ୟ ୫ଟି ପ୍ରସଙ୍ଗରେ ଜବାବ୍ ଦେଲେ ନାହିଁ ରାଜ୍ୟ ସରକାର
 ‘ଓଡ଼ିଶାରେ ଶାସନ କିଏ କରୁଛି’ ତାହା ଜଣା ପଡୁନାହିଁ
 ବିଧାନସଭାର ପବିତ୍ର ଗୃହରେ ନିଜର ଅପାରଗତା ଓ ସ୍ଥାଣୁତାକୁ ଘଂଟ ଘୋଡାଇବା ପାଇଁ ମୁଖ୍ୟମନ୍ତ୍ରୀ ଭାରତୀୟ ଜନତା ପାର୍ଟିକୁ ଦୋଷ ଦେଉଛନ୍ତି

ଭୁବନେଶ୍ୱର, ତା.୦୫/୦୩: ପଂଚାୟତରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଓ ଦୁର୍ନୀତି ଖଣିରେ ପରିଣତ କରିବାରେ ସର୍ବଶ୍ରେଷ୍ଠ ସ୍ଥାନରେ ଅଛି ଓଡ଼ିଶା । ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି । ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାରର ବାରୁଦ ଗଦାରେ ଛିଡା ହୋଇଛି ଓଡିଶା ପ୍ରଦେଶ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ସିଏଫସି ଟଙ୍କା, ରାସନ କାର୍ଡ ଏବଂ ପିସି ଦୁର୍ନୀତି କାରଣରୁ ପଂଚାୟତିରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ପଂଚାୟତିରାଜ ବିଭାଗରେ ରାଜ୍ୟରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଦୁର୍ନୀତି ହେଉଛି । ଲୋକଙ୍କ ଟଙ୍କାକୁ ହରିଲୁଟ୍ କରିବାର ଶେଷ ସୀମାରେ ପହଂଚି ଯାଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ରୋକିବା ପରିବର୍ତେ ଅଧିକ ପ୍ରୋତ୍ସାହିତ କରୁଥିବା ବିଜେଡି ସରକାରଙ୍କ ପଂଚାୟତିରାଜ ଦିବସ ପାଳନ କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଏବଂ ଏହା ବିରୁଦ୍ଧରେ ଆଜି ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଭ୍ରଷ୍ଟାଚାର ଦିବସ ଭାବେ ବିଜେପି କାର୍ଯ୍ୟକର୍ତାମାନେ ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି କଟକ ଜିଲ୍ଲା ସାଲେପୁରଠାରେ ଅନୁଷ୍ଠିତ ଧାରଣା କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ନୀତିଖୋର ମନୋଭାବ କରଣରୁ ପଂଚାୟତିରାଜ ବିଭାଗ ଆଜି ଦୁର୍ନୀତିର ଗନ୍ତାଘର ସାଜିଛି । ମୁଖ୍ୟମନ୍ତ୍ରୀ କହିଥିଲେ ‘ଷ୍ଟପ ପିସି’ । କିନ୍ତୁ ୧୪ଦଶ ଓ ୧୫ଦଶ ଅର୍ଥକମିଶନ, ନରେଗା, ରାସନକାର୍ଡ, ପାଇଖାନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ମାତ୍ରାରେ ପିସି କାରବାର ହେବା ସହିତ ଦଳୀୟ ଆଧାରରେ ହିତାଧିକାରୀ ଚୟନ କରାଯାଉଛି । ଏହି କାରଣରୁ ବହୁ ଯୋଗ୍ୟ ହିତାଧିକାରୀ ନିଜ ହକ୍ ପାଇବାରୁ ବଂଚିତ ରହୁଛନ୍ତି । ଓଡ଼ିଶାରେ ୭୬୯୮ଟି ପଂଚାୟତରେ ଅର୍ଦ୍ଧାଧିକ ପିଇଓ ପଦବୀ ଖାଲି ପଡିଛି । ବ୍ଲକ ଜେଇ ଠିକାଦାର ସାଜିଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବ୍ୟାପକ ମାତ୍ରାରେ ପ୍ରୋତ୍ସାହିତ କରୁଛନ୍ତି ଖୋଦ୍ ରାଜ୍ୟ ସରକାର । ୨୦୧୭ ସେପ୍ଟମ୍ବରରୁ ପଂଚାୟତରେ ପଲ୍ଲୀସଭା ଓ ଗ୍ରାମସଭାକୁ ଉଚ୍ଛେଦ କରାଯାଇଛି । ବାସ୍ତବରେ ‘ଓଡ଼ିଶାରେ ଶାସନ କିଏ କରୁଛି’ ତାହା ଜଣା ପଡୁନାହିଁ । ପଂଚାୟତିରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାରମୁକ୍ତ କରିବା ଅପେକ୍ଷା ଭ୍ରଷ୍ଟାଚାରଯୁକ୍ତ କରାଯିବା କାରଣରୁ ବିକାଶ ବାଧାପ୍ରାପ୍ତ ହୋଇପଡିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଓଡ଼ିଶାରେ ଏବେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରୁ ଅରାଜକତା ବ୍ୟାପିଛି । ଓଡ଼ିଶାରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ଦିବାଲୋକରେ ଜଣେ ପୋଲିସ ଅଧିକାରୀ ଗୁଳିକରି ହତ୍ୟା କରିବାର ମାସେ ବିର୍ତିଥିଲେ ବି ଷଡଯନ୍ତ୍ରକାରୀ କିଏ ଜଣାପଡିଲା ନାହିଁ କି ସଠିକ୍ ତଦନ୍ତ ହେଉ ନାହିଁ । ସ୍ୱର୍ଗତଃ ଦାସଙ୍କୁ ଝାରସୁଗୁଡାରେ ଗୁଳି ମାଡ କରାଗଲା କିନ୍ତୁ ତାଙ୍କୁ ଭୁବନେଶ୍ୱରକୁ ଅଣାଯାଇ ଅପରେସନ କରାଗଲା । ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ଦ୍ୱାରା ପାଇଖାନା ଟାଙ୍କିରୁ ଚିଠି ବାହାର କରିବା ଗପ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହାସ୍ୟାସ୍ପଦ । ସ୍ୱର୍ଗତଃ ଦାସଙ୍କ ତଦନ୍ତ ବିଶ୍ୱସ୍ତରୀୟ କରିବା କଥା କହି ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ବିଧାନସଭାର ପବିତ୍ର ଗୃହରେ ନିଜର ଅପାରଗତା ଓ ସ୍ଥାଣୁତାକୁ ଘଂଟ ଘୋଡାଇବା ପାଇଁ ମୁଖ୍ୟମନ୍ତ୍ରୀ ଭାରତୀୟ ଜନତା ପାର୍ଟିକୁ ଦୋଷ ଦେଉଛନ୍ତି । ଲୋକେ ଆଗାମୀ ଦିନରେ ଜବାବ୍ ରଖିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ବରିଷ୍ଠ ନେତା ମହେଶ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ହେମନ୍ତ ସାହୁ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ରାଜ୍ୟର ସମସ୍ତ ବ୍ଲକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଭ୍ରଷ୍ଟାଚାର ଦିବସ ପାଳନ କରାଯାଇଛି ।

 

Nalco
Leave A Reply