ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିବା ପ୍ରତିବାଦରେ ମହିଳା ମୋର୍ଚ୍ଚା ପକ୍ଷରୁ ଗଣଧାରଣା , ବଗଲା ଧର୍ମଶାଳା ବେଆଇନ ପ୍ଲଟ ବିକ୍ରି ଘଟଣାରେ ଆଇନମନ୍ତ୍ରୀ ନୀରବ କାହିଁକି? : ମହିଳାମୋର୍ଚ୍ଚା
ତୁରନ୍ତ ରାଜ୍ୟସରକାର ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରନ୍ତୁ
ବେଆଇନ ଭାବେ ପ୍ଲଟ ବିକ୍ରି କରୁଥିବା ଜମି ଦଲାଲଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ
କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କରନ୍ତୁ ରାଜ୍ୟସରକାର
ପୁରୀ ଜିଲ୍ଲାପାଳ ଗରିବ ତୀର୍ଥଯାତ୍ରୀଙ୍କ ଉଦେ୍ଦଶ୍ୟରେ ହୋଇଥିବା ଧର୍ମଶାଳାକୁ ଭାଙ୍ଗି ଲଜ ମାଲିକଙ୍କୁ ବିକ୍ରି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ଦାନରେ ମିଳିଥିବା ସଂପତିକୁ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଆଇନ ରହିଛି
ଏତେ ବଡ ଐତିହାସିକ ସ୍ଥାନକୁ ରାଜ୍ୟସରକାର ମାଟିରେ ମିଶାଇବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ
ଏଭଳି ବେଆଇନ କାର୍ଯ୍ୟ ପାଇଁ ସଂପୂର୍ଣ୍ଣ ଭାବେ ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଦାୟୀ
ହାଇକୋର୍ଟକୁ ଅଣଦେଖା କରି ଜମି ପ୍ଲଟିଂ କରିବା ଏକ ଧର୍ତବ୍ୟ ଅପରାଧ
ପୁରୀ/ଭୁବନେଶ୍ୱର : ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିଛନ୍ତି । ଦାନରେ ମିଳିଥିବା ସଂପତିକୁ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଆଇନ ରହିଛି । କିନ୍ତୁ ପୁରୀ ଜିଲ୍ଲାପାଳ ଗରିବ ତୀର୍ଥଯାତ୍ରୀଙ୍କ ଉଦେ୍ଦଶ୍ୟରେ ହୋଇଥିବା ଧର୍ମଶାଳାକୁ ଭାଙ୍ଗି ଲଜ ମାଲିକଙ୍କୁ ବିକ୍ରି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାର ପ୍ରତିବାଦରେ ପୁରୀ ଠାରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଧାରଣା ଦେଇ ରାଜ୍ୟସରକାରଙ୍କ ଏଭଳି ବେଆଇନ କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି ।
ବେଆଇନ କାର୍ଯ୍ୟକୁ ଆଇନ ବୋଲି ଦର୍ଶାଇ ଲୋକଙ୍କୁ ଭୂଆଁ ବୁଲାଇବାରେ ରାଜ୍ୟସରକାର ପୂରା ମାହିର । କିଛି ବ୍ୟବସାୟୀ ଲୋକଙ୍କୁ ଥଇଥାନ କରିବା ନାଁରେ ବଗଲା ଜମିକୁ ଜିଲ୍ଲା ପ୍ରଶାସନ ବିକ୍ରି କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ବେଆଇନ ଭାବେ ଏଭଳି ଏକ ଐତିହାସିକ ଧର୍ମଶାଳାକୁ ବିକ୍ରି କରିବା ପାଇଁ ଷଡଯନ୍ତ୍ର ରଚାଯାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
୧୯୦୫ ମସିହାରେ ଗରିବ ଲୋକ ଏବଂ ତାର୍ଥଯାତ୍ରୀଙ୍କ ପାଇଁ ପୁରୀରେ ବଗଲା ଧର୍ମଶାଳା ନିର୍ମାଣ ହୋଇଥିଲା । କହ୍ନେଇ ଲାଲ ବଗଲା ଏହାକୁ ଦାନରେ ଦେଇଥିଲେ । ଏହି ଧର୍ମଶାଳାରେ ତୀର୍ଥଯାତ୍ରୀମାନେ ଅତି କମ୍ ଖର୍ଚ୍ଚର୍ରେ ରହଣୀ କରନ୍ତି । ପୁରୀ ବାସୀ ବିବାହ, ବ୍ରତ, ଶୁଦ୍ଧକ୍ରିୟା ଆଦି କାର୍ଯ୍ୟକ୍ରମ ଏହି ଧର୍ମଶାଳାରେ କରୁଥିଲେ । କିନ୍ତୁ ଏତେ ବଡ ଐତିହାସିକ ସ୍ଥାନକୁ ରାଜ୍ୟସରକାର ମାଟିରେ ମିଶାଇବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ପୁରୀ ମନ୍ଦିରର ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ମେଘନାଦ ପାଚେରୀର ୭୫ ମିଟର ଯାଏଁ ଲୋକଙ୍କୁ ବିସ୍ଥାପତି କରାଗଲା ଏବଂ ସେମାନଙ୍କୁ ଜମି ଓ କ୍ଷତିପୂରଣ ଦେବା ପାଇଁ ସରକାର ଘୋଷଣା କରିଥିଲେ । ୩୦୦ ଜଣ ଲୋକଙ୍କୁ ବିସ୍ଥାପିତ କରିବା ପରେ କିଛି ଲୋକଙ୍କୁ ବଗଲା ଧର୍ମଶାଳାରେ ପ୍ଲଟିଂ ଦେବା ଏବଂ ଅନ୍ୟ ଲୋକଙ୍କୁ ବାହାରେ ଜମି ଦେବାର ଉଦେ୍ଦଶ୍ୟ କ’ଣ ରହିଛି ? ବଗଲା ଧର୍ମଶାଳା ପୁରୀ ମୁ୍ୟନିସିପାଲିଟି ଅଧୀନରେ ଥିଲା କିନ୍ତୁ ରାତାରାତି ତାକ୍ୁ ରାଜସ୍ୱ ବିଭାଗକୁ ଅଣାଯାଇ ତାକୁ ୨୬ଟି ପ୍ଲଟିଂ କରାଯାଇଛି । ଯାହାକି ସଂପୂର୍ଣ୍ଣଭାବେ ବେଆଇନ । କାହା ନିଦେ୍ର୍ଦଶରେ ଏଭଳି କାର୍ଯ୍ୟ ହୋଇଛି ଏବଂ ଏହି ଘଟଣାରେ ଆଇନ ମନ୍ତ୍ରୀ ନୀରବ କାହିଁକି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ସବୁ କଥାରେ ଆଇନମନ୍ତ୍ରୀ ସରକାରଙ୍କ ଡିଣ୍ଡିମ ପିଟୁଥିବାବେଳେ ଏଭଳି ଏକ ସ୍ପର୍ଶକାତର ଘଟଣାରେ ତାଙ୍କ ନୀରବତା ଲୋକଙ୍କ ମନରେ ସନେ୍ଦହ ସୃଷ୍ଟି କରୁଛି । ଜିଲ୍ଲାପାଳ ଚଂଚକତା କରି ବେଆଇନ ଭାବେ ପ୍ଲଟିଂ କରି ବଗଲା ଜମିକୁ ବିକ୍ରି କରିବା ପାଇଁ ଅପଚେଷ୍ଟା କରିବା ଅତ୍ୟନ୍ତ ନିନ୍ଦନୀୟ । ଏଭଳି ବେଆଇନ କାର୍ଯ୍ୟ ପାଇଁ ସଂପୂର୍ଣ୍ଣ ଭାବେ ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଦାୟୀ ବୋଲି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଅଭିଯୋଗ କରିଛନ୍ତି ।
ପ୍ରସାଦ ଯୋଜନା ଅନୁଯାୟୀ ପୁରୀ ତୀର୍ଥସ୍ଥାନର ବିକାଶ ଏବଂ ତୀର୍ଥଯାତ୍ରୀ ମାନେ ରହିବା ପାଇଁ ବଗଲା ଧର୍ମଶାଳାକୁ ୨୦ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା । ୩ କୋଟି ଟଙ୍କା ଖର୍ଚ୍ଚ ହେବା ପରେ କାହା ସ୍ୱାର୍ଥରେ ସେଠାରେ କାର୍ଯ୍ୟ ବନ୍ଦ କରାଯାଇ ପ୍ଲଟିଂ କରି ଜମି ବିକ୍ରି କରାଯାଉଛି । ୧୧୫ ବର୍ଷର ଧର୍ମଶାଳାକୁ ପ୍ଲଟିଙ୍ଗ କରି ଏଯାବତ୍ ୬ ଜଣ ଲୋକଙ୍କୁ ବିକା ସରିଲାଣି । ବଗଲା ଧର୍ମଶାଳାକୁ ନେଇ ଜଗନ୍ନାଥ ବସ୍ତିଆ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ଗତ ବର୍ଷ ହାଇକୋର୍ଟ ଏନେଇ ସରକାରଙ୍କୁ ଜବାବତଲବ କରିବା ପରେ ରାଜ୍ୟସରକାର କୌଣସି ଉତର ରଖିନାହାଁନ୍ତି ।
ହାଇକୋର୍ଟକୁ ଅଣଦେଖା କରି ଜମି ପ୍ଲଟିଂ କରିବା ଏକ ଧର୍ତବ୍ୟ ଅପରାଧ । ବେଆଇନ ଭାବେ ପ୍ଲଟ ବିକ୍ରି କରୁଥିବା ଜମି ଦଲାଲଙ୍କ ବିରୁଦ୍ଧରେ ରାଜ୍ୟସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ତୁରନ୍ତ ରାଜ୍ୟସରକାର ବଗଲା ଧର୍ମଶାଳାରେ ହେଉଥିବା ପ୍ଲଟିଂ କାର୍ଯ୍ୟକୁ ବନ୍ଦ କରି କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କରନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବୀ କରିଛନ୍ତି ।
ଏହି ପ୍ରତିବାଦ ସଭାରେ ପୁରୀ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ଚୌଧୁରୀ ମନସ୍ୱିନୀ ଦାସ,ବାସନ୍ତୀ ବେହେରା, ଜୟନ୍ତୀ ପଟ୍ଟନାୟକ, ସ୍ମିତାଜଂଳୀ ପତିଙ୍କ ସମେତ ପୁରୀ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସାମିଲ ଥିଲେ ।