ଦୁର୍ନୀତିର ଗନ୍ତାଘର ସାଜିଛି ଓଡିଶା ରାଜ୍ୟ ସମବାୟ ବ୍ୟାଂକ : ପ୍ରଦୀପ ପୁରୋହିତ୍
ସୁନ୍ଦରଗଡ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଂକ ଦୁର୍ନୀତିର ମୁଖା ଖୋଲିଦେଇଛି
ବିଭାଗୀୟ ମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭିତରେ ରହି କରୁଛନ୍ତିି ବ୍ୟାପକ ଦୁର୍ନୀତି
ଭୁବନେଶ୍ୱର, ତା.୦୬/୦୭: ଶାସକ ବିଜେଡିର ପ୍ରତ୍ୟକ୍ଷ ହସ୍ତକ୍ଷେପ କାରଣରୁ ରାଜ୍ୟର ସମବାୟ ଆନେ୍ଦାଳନ ପ୍ରାୟତଃ ଧ୍ୱଂସ ହୋଇଯାଇଛି । ଜୋର ଜବରଦସ୍ତ, ଧମକଚମକ ଏବଂ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ସମବାୟ ସଂସ୍ଥାକୁ ହାତଉଥିବା କାରଣରୁ ମୁଳ ଉଦେ୍ଦଶ୍ୟରୁ ବାହାରି ଆସିଛି ରାଜ୍ୟ ସମବାୟ ବ୍ୟାଂକ । ରାଜ୍ୟ ସରକାରଙ୍କ ପକ୍ଷପାତିତା ଏବଂ ତୃଟିପୂର୍ଣ୍ଣ ନିଷ୍ପତି କାରଣରୁ ରାଜ୍ୟର ସମସ୍ତ ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଂକ ଆଜି ଦୁର୍ନୀତିର ଗନ୍ତାଘର ସାଜିଛି । ଶାସକ ବିିଜେଡିର ସୁରକ୍ଷା ବଳୟ ଭିତରେ ଥିବା ଅପରାଧିତ୍ତତତ୍ୱମାନେ ଆଜି ବ୍ୟାଂକ ପରିଚାଳନା ଦାୟୀତ୍ୱରେ ଅଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଦେଖାଦେଇଛି ସୁନ୍ଦରଗଡ ଜିଲ୍ଲା ସମବାୟ ବ୍ୟାଂକ କ୍ଷେତ୍ରରେ । ବ୍ୟାଂକ ସିଇଓ ଶ୍ରୀ ସୁରେଶ ଦାସଙ୍କ ନିଯୁକ୍ତି ପ୍ରଥମରୁ ବେଆଇନ ହୋଇଥିବା ସତ୍ୱେ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବାରୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ବିବାଦୀୟ ସିଇଓ ଶ୍ରୀ ଦାଶଙ୍କ ନିଯୁକ୍ତି ପରଠାରୁ ଚାଷୀମାନେ ଠିକଣା ସମୟରେ କୃଷି ଋଣ ନପାଇ ନାନାଦି ହଇରାଣର ଶିକାର ହୋଇଛନ୍ତି । ସ୍ୱତନ୍ତ୍ର ଅଡିଟ୍ ରିପୋର୍ଟ ଆଧାରରେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଂକର ପୂର୍ବତନ ସଭାପତି ଭବାନୀ ଶଂକର ମାଝୀ ଏବଂ ସିଇଓ ସୁରେଶ ଦାଶଙ୍କ ବିରୋଧରେ ୪କୋଟି ୫୬ ଲକ୍ଷ ଟଙ୍କା ହଡପ୍ ଘଟଣା ଧରାପଡିଛି । ଏହି ଦୁର୍ନୀତିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବ୍ୟାକ କର୍ମଚାରୀ ଓ ଅଡିଟ୍ ଅଧିକାରିଙ୍କୁ ଆକ୍ରୋଶମୁଳକ ଭାବେ ବଦଳି କରାଯାଇଛି । ଏପରିକି ଜଣେ ଦିବ୍ୟାଙ୍ଗ ବ୍ୟାଂକ କର୍ମଚାରୀଙ୍କୁ ଆକ୍ରୋଶମୁଳକ ଭାବେ ସମବାୟ ନିର୍ବାଚନ ଚାଲୁଥିବା ସମୟରେ ମାଲକାନଗିରିକୁ ବଦଳି କରାଯିବା ଅତ୍ୟନ୍ତ ବେଆଇନ ଓ ଆଦୈା ଯୁକ୍ତିଯୁକ୍ତ ନୁହେଁ । ବିବାଦୀୟ ସିଇଓ ଶ୍ରୀ ଦାଶଙ୍କୁ ରିଲିଭ କରାଯାଇ ଗତ ୩୧ ଜାନୁଆରୀ ୨୦୨୨ରେ ଶ୍ରୀ ରଂଜନ ପଟେଲଙ୍କୁ ନୂତନ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । କିନ୍ତୁ ବିଭାଗୀୟ ମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭିତରେ ଥିବା ଶ୍ରୀ ଦାଶ ବର୍ତମାନ ସୁଦ୍ଧା ନିଜକୁ ସିଇଓ ବୋଲି ଦାବୀ କରି ବ୍ୟାଂକ ପରଚାଳନା ଦାୟୀତ୍ୱ ମାଡି ବସିବା କାରଣରୁ ବ୍ୟାଂକରେ ଦୁଇ ଦୁଇଟି ସିଇଓ ରହିଛନ୍ତି । ଏହି କାରଣରୁ ଚାଷୀମାନେ ଦ୍ୱନ୍ଦର ଶିକାର ହୋଇ ହଇରାଣର ଶିକାର ହେଉଛନ୍ତି । ଶାସାକ ବିଜେଡିର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଶ୍ରୀ ଦାଶ ଗତ କୃଷି ସେବା ସମବାୟ ସମିତିର ପ୍ରାଥମିକ ନିର୍ବାଚନରେ ଭାଗ ନେଇ ବୋର୍ଡ ଅଫ୍ ଡାଇରେକ୍ଟର ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି ବୋଲି ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।
ଏଭଳି ବେଆଇନ ନିଯୁକ୍ତି ଓ ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିବା ସିଇଓଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୨୦୧୯ ମସିହା ଡିସେମ୍ବର ମାସଠାରୁ ରାଜ୍ୟର ସମସ୍ତ ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଂକ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ ଅଧିକାରମାନଙ୍କ କାର୍ଯ୍ୟକାଳକୁ ମଧ୍ୟ ସ୍ୱତନ୍ତ୍ର ଅଡିଟ କରିବାକୁ ଶ୍ରୀ ପୁରୋହିତ୍ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀମତୀ କୁସୁମ ଟେଟେ, ଭବାନୀ ଭୋଇ, ଶଂକର ଓରାମ ଏବଂ ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।