ବିଜେପି କୃଷକ ମୋର୍ଚ୍ଚାର ଚାଷୀଙ୍କ ହକ୍ ପାଇଁ ଆନେ୍ଦାଳନ ଡାକରା , ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣନ୍ତୁ : ପ୍ରଦୀପ ପୁରୋହିତ୍
ୟାସ୍ ବାତ୍ୟା ଓ ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ କ୍ଷୟକ୍ଷତିର ସରକାର କ୍ଷତିପୂରଣ ଦିଅନ୍ତୁ
କଟ୍ନି ଛଟ୍ନି କରୁଥିବା ମିଲର୍ସଙ୍କ ବିରୁଦ୍ଧରେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରନ୍ତୁ
ଆସନ୍ତା ୭ ତାରିଖ ଦିନ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିବ ବିଜେପି
ଭୂବନେଶ୍ୱର, ତା.୦୫/୦୬ : ରବି ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା, ଚାଷୀଙ୍କ ଟୋକନ ଲାପ୍ସ କରାଯିବା, ମଣ୍ଡିରେ କ୍ୱିଂଟାଲ ପ୍ରତି ୫-୬ କେଜି ଧାନ କଟ୍ନି ଛଟ୍ନି କରାଯିବା, ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଧାନ କ୍ଷତିଗ୍ରସ୍ତ ହେବା, ଖୋଲା ବଜାରରେ ୧୧୦୦ ଟଙ୍କାରେ ଚାଷୀ ଧାନ ବିକ୍ରି କରୁଥିବା ଆଦି ସମସ୍ୟାକୁ ନେଇ ଓଡିଶା ପ୍ରଦେଶ ବିଜେପି କୃଷକ ମୋର୍ଚ୍ଚା ଆସନ୍ତା ୭ ତାରିଖ ଦିନ ଧାନ କିଣାବିକା ହେଉଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବୀ ପତ୍ର ଦେବା ପାଇଁ ଆଜି କୃଷକ ମୋର୍ଚ୍ଚାର ଭର୍ଚୁଆଲ ବୈଠକରେ ନିଷ୍ପତି ନିଆଯାଇଛି ବୋଲି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ସୁଚନା ଦେଇଛନ୍ତି ।
ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ କୃଷକ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟ ସଂଯୋଜକ, ସମସ୍ତ ଜିଲ୍ଲା ସଭାପତି, କାର୍ଯ୍ୟକାରୀ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।
କାଳିଆ ଯୋଜନାର ୨ହଜାର ଟଙ୍କା ଚାଷୀକୁ ଦେଇ “ଆପଣମାନେ ଖୁସି ତ” କହି ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସି ଯାଇଥିବାରୁ ମିଲର୍ସ, ଖାଦ୍ୟ ଯୋଗାଣ ବିଭାଗ, ସମବାୟ ବିଭାଗ ମିଳିତ ଓ ଯୋଜନାବଦ୍ଧ ଭାବେ ଚଳିତ ରବି ଋତୁରେ ଧାନ କିଣାବିକାରେ ଚାଷୀଙ୍କ କୋଟି କୋଟି ଟଙ୍କା ଲୁଟି ନେଉଥିବାର ଅଭିଯୋଗ ହେଉଥିବା ବୈଠକରେ ଜିଲ୍ଲା ସଭାପତି କହିଛନ୍ତି । ଅଖାବସ୍ତା, ଲୋଡିଙ୍ଗ, ଅନ୍ ଲୋଡିଙ୍ଗ, ପରିବହନ ଖର୍ଚ୍ଚ ଆଦି କେନ୍ଦ୍ର ସରକାର ବହନ କରୁଥିବାବେଳେ ଏହି ଟଙ୍କା ଚାହୀଙ୍କୁ ନଦେଇ ମିଲର୍ସମାନେ ହରିଲୁଟ୍ କରୁଥିବାର ଅଭିଯୋଗ ହୋଇଥିଲା । ୟାସ୍ ବାତ୍ୟାରେ ଉପକୂଳ ଓ ଅଦିନିଆ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାର ଚାଷୀମାନଙ୍କ ଯେଉଁ କ୍ଷୟକ୍ଷତି ହୋଇଛି, ତାର କ୍ଷତିପୂରଣ ଦେବା, ଓଡିଶାରେ ଚଳିତ ରବି ଋତୁରେ ଧାନ ବିକ୍ରୀ ପାଇଁ ପଂଜୀକୃତ ହୋଇଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣିବା, ଚାଷୀଙ୍କ କଟ୍ନି ଛଟ୍ନି କରୁଥିବା ମିଲର୍ସଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବା ଆଦି ଦାବୀଗୁଡିକ ନେଇ କୃଷକ ମୋର୍ଚ୍ଚା ଆନେ୍ଦାଳନକୁ ଓହ୍ଲାଇବା ପାଇଁ ଆଜିର ଏହି ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି । ଏଜି ବୈଠକରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାଏକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ବରିଷ୍ଠ ନେତା ରଂଜନ ପଟେଲ, କୃଷ୍ନ ଜଗଦେ୍ଦବ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ ।

Comments are closed.