Odisha news

ସର୍ବନିମ୍ନ ୫ ଜଣ ନିସ୍ୱ ଏବଂ ଅସହାୟ ଗରୀବଙ୍କୁ ଖାଦ୍ୟାନ୍ନ ଦାନ କରିବାକୁ ନିବେଦନ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ

0

ଭୂବନେଶ୍ୱର, ତା.୨୬/୦୩: ମହାମାରୀ କରୋନା ବର୍ତମାନ ଭୟଙ୍କର ରୂପ ଧାରଣ କରିଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । ଏଭଳି ଜଟିଳ ସମୟରେ ଭାରତୀୟ ଜନତା ପାର୍ଟୀର ସମସ୍ତ କାର୍ଯ୍ୟକର୍ତା ସ୍ଥାନୀୟ ପ୍ରଶାସନର ସହାୟତାରେ କାର୍ଯ୍ୟ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା କହିଛନ୍ତି ।
ଶ୍ରୀ ନଡ୍ଡା ଆଜି ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି । ଚୀନ, ଇଟାଲୀ, ଇଂଲଣ୍ଡ, ଆମେରିକା ଭଳି ବିଶ୍ୱର ଅତ୍ୟନ୍ତ ବିକଶିତ ଦେଶ ଆଜି ଏହି କରୋନା ଭୁତାଣ ସଂକ୍ରମଣର ପ୍ରଭାବରୁ ବର୍ତିବା ପାଇଁ ସଂଗ୍ରାମ କରୁଛନ୍ତି । ଏପରି ସ୍ଥଳେ ବହୁଳ ଜନସଂଖ୍ୟା ବିଶିଷ୍ଟ ଭାରତବର୍ଷରେ ଏହି କରୋନା ଭୁତାଣୁରୁ ବଂଚିବା ପାଇଁ ‘ସାମାଜିକ ଦୂରତ୍ୱ’ ଅତ୍ୟନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣର ଭୟାଭୟକୁ ଦେଖି ସମଗ୍ର ଦେଶବ୍ୟାପୀ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ‘ଲକ୍ ଡାଉନ’ ର ଘୋଷଣା କରାଯାଇଛି । ଏହି ଅବସରରେ ଆମେ ସମସ୍ତେ ନିଜ ନିଜ ଘରେ ରହିବା । ଏଭଳି ସଂକଟ ସମୟରେ ବିଜେପିର ସମସ୍ତ କାର୍ଯ୍ୟକର୍ତା ନିଜେ ନିଜେ ନେତୃତ୍ୱ ନେଇ ସର୍ବପ୍ରଥମେ ନିଜେ ବାହାରକୁ ନଯିବା ସହ ଅନ୍ୟମାନଙ୍କୁ ମଧ୍ୟ ନଯିବା ପାଇଁ ପରାମର୍ଶ ଓ ସଚେତନ ସୃଷ୍ଟି କରିବାକୁ ଶ୍ରୀ ନଡ୍ଡା ଆହ୍ୱାନ ଦେଇଛନ୍ତି । ବର୍ତମାନ ପାଣିପାଗ ପରିବର୍ତନ ହେଉଥିବା କାରଣରୁ ଘରେ ଥିବା ବୟସ୍କ ଓ ଛୋଟ ପିଲାଙ୍କ ଦାୟୀତ୍ୱ ଅଧିକ ନେବା ସହ ଥଣ୍ଡା, କାଶ, ଛିଙ୍କ ଭଳି ରୋଗରୁ ଦୁରେଇ ରଖିବାକୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଛନ୍ତି ।
‘ନର ସେବା ହିଁ ନାରାୟଣ ସେବା’ ହେଉଛି ଭାରତୀୟ ପରଂପରା । ତେଣୁ ଏଭଳି ସଂକଟ ସମୟରେ ନିଜ ନିଜ ଘର ପାଖ ଓ ଅଂଚଳରେ ଥିବା ସର୍ବନିମ୍ନ ୫ ଜଣ ନିସ୍ୱ ଏବଂ ଅସହାୟ ଗରୀବଙ୍କୁ ଖାଦ୍ୟାନ୍ନ ଦାନ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କୁ ନିବେଦନ କରିଛନ୍ତି ।ଏଭଳି ସଂକଟ ସମୟରେ ନିଜ ନିଜ ଘରେ ନରହି ନିଜ ଜୀବନକୁ ବିପଦରେ ପକାଇ ଆମକୁ ସେବା ଯୋଗାଉଥିବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସଂପୂର୍ଣ୍ଣ ସହଯୋଗ ଓ ସହାୟତା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।
ଖାଦ୍ୟପେୟ, ରୋଷେଇ ଗ୍ୟାସ, କ୍ଷୀର, ଫଳ, ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ରାଜ୍ୟସରକାରମାନେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ, ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନକୁ ସାହାଯ୍ୟ କରିବା ସହ ସହଯୋଗ ଓ ସହାୟତା ପ୍ରଦାନ କରିବାକୁ ସମସ୍ତ କାର୍ଯ୍ୟକର୍ତାଙ୍କୁ ଶ୍ରୀ ନଡ୍ଡା କହିଛନ୍ତି ।
ଦାୟୀତ୍ୱସଂପନ୍ନ ନାଗରିକ ଓ କାର୍ଯ୍ୟକର୍ତା ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷର ଭାବେ ପାଳନ କରିବା । ତେଣୁ ଆମେ ସମସ୍ତେ ଘରେ ରହି ମୋବାଇଲ, ଟେଲିଫୋନ ଓ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଭାବ ଦ୍ୱାରା ଏହି କାର୍ଯ୍ୟକୁ ସଂପାଦନା କରିବା ପାଇଁ ଶ୍ରୀ ନଡ୍ଡା କହିଛନ୍ତି ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସାମ୍ନାକୁ ଆସି ଏହି ଲଢେଇର ନେତୃତ୍ୱ ନେଇଛନ୍ତି । ଏଭଳି ସଂକଟ ସମୟରେ ଆମେ ସମସ୍ତେ ସଂଯମତା ରକ୍ଷା କରିବା ଏବଂ ଧୈର୍ଯ୍ୟର ସହ ଏହି ଲଢେଇରେ ସାମିଲ ହୋଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ସାହାସ ପ୍ରଦାନ କରିବାକୁ ଶ୍ରୀ ନଡ୍ଡା ଆହ୍ୱାନ ଦେଇଛନ୍ତି ।

Leave A Reply