ରାଜ୍ୟ କାର୍ଯ୍ୟାଳୟରେ ସ୍ୱର୍ଗତଃ ମିଶ୍ରଙ୍କୁ ଗଭୀର ଶ୍ରଦ୍ଧାଜଂଳୀ
ଭୁବନେଶ୍ୱର,ତା. ୧୩/୦୭: ଆଜି ପୂର୍ବତନ ରାଜ୍ୟ ସଂପାଦକ ସ୍ୱର୍ଗତଃ ଶରତ ମିଶ୍ରଙ୍କ ୧୫ଶ ପୁଣ୍ୟତିଥୀ । ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟଙ୍କ ସଭାପତିତ୍ୱରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳୀୟ ନେତୃବୃନ୍ଦ ସ୍ୱର୍ଗତଃ ମିଶ୍ରଙ୍କ ଫଟୋରେ ମାଲ୍ୟାର୍ପଣ କରିବା ସହ ଗଭୀର ଶ୍ରଦ୍ଧାଜଂଳୀ ଅର୍ପଣ କରିଛନ୍ତି ।
ସ୍ୱର୍ଗତଃ ମିଶ୍ର ଜଣେ ସଂଘର୍ଷଶୀଳ, ସାହାସୀ ଓ ସଙ୍ଗଠନପ୍ରେମୀ ନେତୃତ୍ୱ ଥିଲେ । ଗଂଜାମ ଜିଲ୍ଲାର ଭାଜପା ସଙ୍ଗଠନକୁ କ୍ରିୟାଶୀଳ କରାଇବାରେ ତାଙ୍କର ବହୁତ ବଡ ଅବଦାନ ଥିଲା । ପୂର୍ବତନ ରାଜ୍ୟଯୁବମୋର୍ଚ୍ଚା ସଭାପତି, ରାଜ୍ୟ ସଂପାଦକ ଭାବେ ସେ ଦୀର୍ଘ ବର୍ଷ ଧରି ବିଜେପିର ବିଭିନ୍ନ ସାଙ୍ଗଠନିକ ପଦପଦବୀରେ ରହି ଜନସେବା କରିଚାଲିଥିଲେ । ସେ ମିଷ୍ଟଭାଷୀ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ଆଜିର ଯୁବପିଢୀ ତାଙ୍କର ସକ୍ରିୟତା, ସାହସିକତା ତଥା ସଂଘର୍ଷଶୀଳ ନେତୃତ୍ୱକୁ ପାଥେୟ କରି ଆଗକୁ ବଢିବା ଉଚିତ୍ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ଶ୍ରଦ୍ଧାଜଂଳୀ ସଭାରେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଖାରବେଳ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତି ପରିଡା ଓ ଅନୀତା ପ୍ରିୟଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ(ସଙ୍ଗଠନ) ମାନସ ମହାନ୍ତି, ମୁଖପାତ୍ର ବିରଂଚି ତ୍ରିପାଠୀ, ସୁରଥ ବିଶ୍ୱାଳ, ଶିଶିର ମିଶ୍ରଙ୍କ ସମେତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ସ୍ୱର୍ଗତଃ ମିଶ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପୂର୍ବତନ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।