ଓଡିଆ ପ୍ରବାସୀ ଓଡିଶା ଫେରିବା ପରେ ତାଙ୍କର ନା ଟେଷ୍ଟିଂ ହେଉଛି ନା ସେମାନଙ୍କୁ ସଂଗରୋଧରେ ରଖାଯାଉଛି
ବର୍ତମାନଠାରୁ ରାଜ୍ୟ ସରକାର ଉଚିତ୍ ଓ ବିହୀତ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ
ରାଜ୍ୟର ସମସ୍ତ ସୀମାନ୍ତବର୍ତୀ ଅଂଚଳବାସୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ପ୍ରଦାନ କରିବା ସହ ସମସ୍ତଙ୍କର ଟେଷ୍ଟିଂ ବ୍ୟବସ୍ଥା କରନ୍ତୁ
ଟେକ୍ନୋଲୋଜିକୁ ବ୍ୟବହାର କରି ଡିଜିଟାଲ ଉପାୟରେ / ମୋବାଇଲ ମାଧ୍ୟମରେ ଟେଷ୍ଟିଂ ରିପୋର୍ଟ ତୁରନ୍ତ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉ
ଖରାରୁ ରକ୍ଷା ପାଇବା ପାଇଁ ଟେଷ୍ଟିଂ ଏବଂ ଟୀକାପ୍ରଦାନ ସ୍ଥାନରେ ଟେଂଟ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଉ
ସମଗ୍ର ରାଜ୍ୟରେ ‘ଡୋର ଟୁ ଡୋର’ ଯାଇ ଟେଷ୍ଟିଂର ବ୍ୟବସ୍ଥା କରାଯାଉ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କରି ଗ୍ରାମାଂଚଳରେ ‘କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ କମିଟି’ ଗଠନ କରାଯାଉ
‘କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ କମିଟି’ ରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀ ଓ ରାଜନୈତିକ ଦଳର ନେତାମାନଙ୍କୁ ସାମିଲ୍ କଲେ କୋଭିଡ୍ ମୁକାବିଲା ଆହୁରି ଅଧିକ ତ୍ୱରାନ୍ୱିତ ହୋଇପାରିବ
ଭୂବନେଶ୍ୱର, ତା.୧୬/୦୫ : କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରୀ କାରଣରୁ ଅନ୍ୟ ରାଜ୍ୟମାନଙ୍କରେ ଲକ୍ଡାଉନ କଟକଣା ଜାରୀ ରହିଛି । ଏହି କାରଣରୁ ଅନ୍ୟ ରାଜ୍ୟମାନଙ୍କରୁ ପ୍ରବାସୀ ଓଡିଆ ଶ୍ରମିକ ପୁଣି ଥରେ ଓଡିଶା ଫେରିଲେଣି । ଗତ ଥର କରୋନା ସଂକ୍ରମଣର ପ୍ରଥମ ପର୍ଯ୍ୟାୟ ସମୟରେ ପ୍ରବାସୀଙ୍କ ଆଗମନ କାରଣରୁ ସଂକ୍ରମଣ ବ୍ୟାପିଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ରାଜ୍ୟ ସରକାର ସେଥିରୁ କିଛି ଶିଖିପାରିଲେ ନାହିଁ । ଏବେ ଓଡିଆ ପ୍ରବାସୀ ଓଡିଶା ଫେରିବା ପରେ ତାଙ୍କର ନା ଟେଷ୍ଟିଂ ହେଉଛି ନା ସେମାନଙ୍କୁ ସଂଗରୋଧରେ ରଖାଯାଉଛିି । ସଂକ୍ରମଣର ଦ୍ୱିତୀୟ ଲହରରେ ଗତ କିଛି ଦିନ ହେଲା ଓଡିଶାରୁ ଦୈନିକ ୧୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦି ବର୍ତମାନଠାରୁ ରାଜ୍ୟ ସରକାର ଉଚିତ୍ ଓ ବିହୀତ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।
ରାଜ୍ୟ ସରକାର ଏହି ପରିସ୍ଥିତିରେ ରାଜ୍ୟର ସମସ୍ତ ସୀମାନ୍ତବର୍ତୀ ଅଂଚଳବାସୀଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ପ୍ରଦାନ କରିବା ସହ ସମସ୍ତଙ୍କର ଟେଷ୍ଟିଂ ବ୍ୟବସ୍ଥା କରନ୍ତୁ । ଗତ ବର୍ଷ ଗ୍ରାମାଂଚଳରେ ସଂଗରୋଧର ବ୍ୟବସ୍ଥା ହୋଇଥିଲା । ଏଥି ପାଇଁ ବ୍ୟବହୃତ ବହୁ ସାମଗ୍ରୀର କୁଆଡେ ଗଲା ବୋଲି ଏବଂ ଚଳିତ ବର୍ଷ ସ୍ଥିତି ଅଧିକ ଭୟାଭୟ ଥିବା ସତ୍ୱେ ବର୍ତମାନ ସୁଦ୍ଧା ରାଜ୍ୟ ସରକାର ଗ୍ରାମାଂଚଳରେ ସଂଗରୋଧ ପ୍ରସଙ୍ଗରେ କାହିଁକି ତତ୍ପରତା ପ୍ରକାଶ କରୁନାହାନ୍ତି ? ୨ୟ ଲହରରେ ସଂକ୍ରମଣ ଗ୍ରାମାଂଚଳରେ ଅଧିକ ବ୍ୟାପୁଥିବାରୁ ସେଠାରେ ସଂଗରୋଧ ବ୍ୟବସ୍ଥା ଯଥାଶୀଘ୍ର ସୁଦୃଢ କରିବା ପାଇଁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ବେଗରେ ସଂକ୍ରମଣ ବ୍ୟାପୁଥିବାରୁ ରାଜ୍ୟ ସରକାର ଟେଷ୍ଟିଂ ସଂଖ୍ୟାକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଅନ୍ତୁ । ଏବେ ସବୁଠାରୁ ବଡ ସମସ୍ୟା ଭାବେ ଉଭା ହୋଇଛି ଟେଷ୍ଟିଂ ରିପୋର୍ଟ । ଟେଷ୍ଟିଂ ରିପୋର୍ଟ ଆସିବା ବେଳକୁ ୫ ରୁ ୬ ଦିନ ଲାଗୁଛି ଏବଂ ଏହା ଭିତରେ ସଂକ୍ରମିତ ବ୍ୟକ୍ତିଟି ଅଧିକ ଲୋକଙ୍କୁ ସଂକ୍ରମିତ କରିବାର ସଂଭାବନା ରହୁଛି । ତେଣୁ ତୁରନ୍ତ ରିପୋର୍ଟ ପ୍ରଦାନ ସହ ଟେକ୍ନୋଲୋଜିକୁ ବ୍ୟବହାର କରି ଡିଜିଟାଲ ଉପାୟରେ / ମୋବାଇଲ ମାଧ୍ୟମରେ ଟେଷ୍ଟିଂ ରିପୋର୍ଟ କେମିତି ମିଳିବ ସେ ନେଇ ବ୍ୟବସ୍ଥା କରିବାକୁ ଶ୍ରୀ ମହାନ୍ତି ରାଜ୍ୟ ସରାକାରଙ୍କୁ ପରାମର୍ଶ ଦେଇଛନ୍ତି ।
ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଟେଷ୍ଟିଂ ଏବଂ ଟୀକାଦାନ ସ୍ଥାନରେ ଅବ୍ୟବସ୍ଥା ଆଉ ଗୋଟିଏ ବଡ ସମସ୍ୟା ସୃଷ୍ଟି କରିଛି । ଅବ୍ୟବସ୍ଥା କାରଣରୁ ଲୋକଙ୍କୁ ବହୁତ ସମୟ ଧରି ଖରାରେ ଛିଡା ହେବାକୁ ପଡୁଛି । ଲମ୍ବା ଧାଡିରେ ଠିଆ ହୋଇ ଅନେକ ଚେତାଶୂନ୍ୟ ହେବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଖରାରୁ ରକ୍ଷା ପାଇବା ପାଇଁ ଟେଷ୍ଟିଂ ଏବଂ ଟୀକାପ୍ରଦାନ ସ୍ଥାନରେ ଟେଂଟ୍ ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଉ । ଏହା ସହ ସାରା ରାଜ୍ୟରେ ଡୋର ଟୁ ଡୋର ଯାଇ ଟେଷ୍ଟିଂ କିପରି କରିହେବ, ସେ ନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଏବେ ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ଅଧିକ କୋଭିଡ୍ ରୋଗୀ ଦେଖାଦେଉଛନ୍ତି । ଗ୍ରାମାଂଚଳରେ ଏହି ସଂକ୍ରମଣ ହାରକୁ ହ୍ରାସ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପରାମର୍ଶ ଦେଇଥିଲେ, ତାକୁ ଗ୍ରହଣ କରି ଗ୍ରାମାଂଚଳରେ ‘କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ କମିଟି’ ଗଠନ କରାଯାଉ । ଏହି କମିଟିରେ ସେହି ଅଂଚଳର ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀ ଓ ରାଜନୈତିକ ଦଳର ନେତାମାନଙ୍କୁ ସାମିଲ୍ କଲେ କୋଭିଡ୍ ମୁକାବିଲା ଆହୁରି ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Comments are closed.