Odisha news

ଋାହୁଲ ଗାନ୍ଧୀଙ୍କ ଗସ୍ତ ନେଇ ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ , ସମ୍ବିଧାନ ବଂଚାଅ ନୁହେଁ କଂଗ୍ରେସ ବଂଚାଅ ସମାବେଶ : ବିରଂଚି ତ୍ରିପାଠୀ

0

 ସମ୍ବିଧାନକୁ ଅପମାନିତ କରିଥିବାରୁ ଓଡ଼ିଶା ମାଟିରେ କ୍ଷମା ମାଗନ୍ତୁ ରାହୁଲ ଗାନ୍ଧୀ, ମଲ୍ଲିକାଜୁର୍ନ ଖଡଗେ
 କଂଗ୍ରେସ ଆଜି ହତାଶା ମଧ୍ୟରେ ରହିଛି
 ଦିନକୁ ଦିନ କଂଗ୍ରେସ ନିମ୍ନଗାମୀ ହେଉଛି
 ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି କଂଗ୍ରେସ
 ଗତ ୩ ସାଧାରଣ ନିର୍ବାଚନରେ କଂଗ୍ରେସର ସାଂସଦ ସଂଖ୍ୟା ୩ ଅଙ୍କ ଛୁଇଁ ପାରିନାହିଁ
 ଏବେ କଂଗ୍ରେସ ମା’ପୁଅ, ଝିଅ ଓ ଜ୍ୱାଇଁଙ୍କ ଦଳ ପାଲଟିଛି
 ସମ୍ବିଧାନର ହତ୍ୟାକାରୀ ଏବେ ସମ୍ବିଧାନ କଥା କହୁଛନ୍ତି
 କଂଗ୍ରେସ ଯୋଗୁ କାଶ୍ମୀରରେ ଅଚଳାବସ୍ଥା ଲାଗି ରହିଥିଲା
 କଂଗ୍ରେସ ଦଳ ପରିବାରବାଦ ଉପରେ ପର୍ଯ୍ୟବେସିତ
ଭୁବନେଶ୍ୱର, ତା.୧୧/୦୭: କଂଗ୍ରେସ ଲଗାତାର ଗଣତନ୍ତ୍ରର କଣ୍ଠରୋଧ କରିଛି । ଦେଶର ବିରୋଧୀ ଦଳ ନେତା ଓ କଂଗ୍ରେସ ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଉଛି । ମାତ୍ର ଏବେବି କଂଗ୍ରେସ ହତାଶା ମଧ୍ୟରେ ରହିଛି । ଏହି ଦଳ ଓଡ଼ିଶାର ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି । ପ୍ରତି ନିର୍ବାଚନରେ ତାର ଭୋଟ ପ୍ରତିଶତ କମିବାରେ ଲାଗିଛି । ଦେଶରେ ଗତ ୩ଟି ସାଧାରଣ ନିର୍ବାଚନରେ କଂଗ୍ରେସର ସାଂସଦ ସଂଖ୍ୟା ୩ ଅଙ୍କ ମଧ୍ୟ ଛୁଇଁପାରିନାହିଁ । ପ୍ରତିଦିନ କଂଗ୍ରେସ ସଂଗଠନର ଯେଉଁଭଳି ଭାବେ ନିମ୍ନଗାମୀ ହେଉଛି ସେଥିରୁ ଲାଗୁଛି ଏହା ସମ୍ବିଧାନ ବଂଚାଅ ନୁହେଁ, ନିଜ ଅସ୍ତିତ୍ୱକୁ ରକ୍ଷା କରିବା ପାଇଁ କଂଗ୍ରେସ ବଂଚାଅ ସମାବେଶ । କଂଗ୍ରେସ ଗଣତନ୍ତ୍ର କଥା କହିବା, ନିଜେ କାଚ ଘର ମଧ୍ୟରେ ରହି ଅନ୍ୟକୁ ପଥର ଫୋପାଡିବା ସଦୃଶ । ଆଜି ଓଡ଼ିଶା ଆସିଥିବା ରାହୁଲ ଗାନ୍ଧୀ ବାରମ୍ବାର ସମ୍ବିଧାନକୁ ହତ୍ୟା କରିଛନ୍ତି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଜୁନ ଖଡଗେ ମହାମହିମ ଓଡ଼ିଶା ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି । ଏନେଇ ଭଉୟ ପ୍ରଥମେ ଓଡ଼ିଶା ମାଟିରେ କ୍ଷମା ମାଗନ୍ତୁ ବୋଲି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତିପାଠୀ କହିଛନ୍ତି ଯେ, ଏହି ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ । ସ୍ୱାଧୀନତାର ପରବର୍ତୀ ଅବସ୍ଥା ଦେଖିଲେ ଜଣାପଡ଼ିବ ଯେ, ଜବାହାରଲାଲ୍ ନେହେରୁଙ୍କ ସମୟରେ ଏହା ବାପ-ଝିଅର ଦଳ ଥିଲା । ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏହା ମା’-ପୁଅର ଦଳ ହେଲା । ରାଜୀବ ଗାନ୍ଧୀଙ୍କ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ଦଳ ଥିଲା । ଏବେ କଂଗ୍ରେସ ମା’, ପୁଅ, ଝିଅ ଓ ଜ୍ୱାଇଁଙ୍କ ଦଳ ପାଲଟିଛି । ଦଳରେ ଅନ୍ୟ ନେତାମାନେ ଖାଲି ଆୟାରାମ, ଗୟା ରାମ ସଦୃଶ । ଗଣତନ୍ତ୍ରର କଥା କହୁଥିବା ଏହି ରାଜନୈତିକ ଦଳ ସମ୍ବିଧାନର ହତ୍ୟାକାରୀ ଥିଲା । ୧୯୫୧ ମସିହାରେ କଂଗ୍ରେସର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ନେହେରୁ ନିଜ ସ୍ୱାର୍ଥ ହାସଲ ପାଇଁ ପ୍ରଥମେ ସମ୍ବିଧାନର ସଂଶୋଧନ କରିଥିଲେ । ଏହି ସଂଶୋଧନ ମୁଳତଃ ମତାମତ ଓ ଅଭିବ୍ୟକ୍ତିର ସ୍ୱାଧୀନତା, ଜମିଦାରୀ ପ୍ରଥା ଉଚ୍ଛେଦ ଏବଂ ସାମାଜିକ ଓ ଆର୍ଥôକବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ଥିଲା । ବାସ୍ତବରେ ଏହି ସଂଶୋଧନ ଭାରତୀୟ ସମ୍ବିଧାନର ନୀତିଗତ ଏବଂ ଆଇନଗତ ଧାରାକୁ ପ୍ରଭାବିତ କରିଥିଲା ।
୧୯୭୫ ମସିହାରେ ଇନ୍ଦିରାଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସମ୍ବିଧାନର ହତ୍ୟା କରିଥିଲେ । ସେ ସମୟରେ ୫ଥର ସମ୍ବିଧାନ ସଂଶୋଧନ କରଯାଇଛି । ୪୨ତମ ସଂଶୋଧନରେ ବିନା ଚର୍ଚ୍ଚା ଆଲୋଚନାରେ ସମ୍ବିଧାନର ମୁଖବନ୍ଧକୁ ବି ବଦଳାଇ ଦେଇଥିଲା କଂଗ୍ରେସ । ଏପରିକି ଦେଶବାସୀଙ୍କ ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେଇଥିଲା । ସମସ୍ତ ବିରୋଧୀ ଦଳର ନେତାଙ୍କୁ ଜେଲ ଭିତରେ ବନ୍ଦୀ କରି ରଖିଥିଲା । ୧୯୮୬ରେ ଶାହାବାନୋ କେସ୍ରେ ସୁପ୍ରିମ କୋର୍ଟର ନିଦେ୍ର୍ଦଶକୁ ପରିବର୍ତନ କରିଥିଲା । ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ସମ୍ବିଧାନକୁ ଅପମାନିତ କରିବାକୁ ପଛଘୁଂଚା ଦେଇ ନଥିଲେ । ସେ କ୍ୟାବିନେଟର ସଦସ୍ୟ ନଥାଇ ମଧ୍ୟ କ୍ୟାବିନେଟ ଅଧ୍ୟାଦେଶକୁ ସାମ୍ବାଦିକ ସମ୍ବିଳନୀ କରି ଫାଡିିବା ସହ ଫୋପାଡି ଦେଇଥିଲେ । ଏଭଳି ବ୍ୟକ୍ତି ସମ୍ବିଧାନର କଥା କହିବା ଅତ୍ୟନ୍ତ ଲଜ୍ଜାଜନକ । କେଉଁ ଅଧିକାରରେ ସେ ସମ୍ବିଧାନରକୁ ଫୋପାଡି ଥିଲେ ସେ ବିଷୟରେ ପ୍ରଥମେ ଉତର ରଖନ୍ତୁ ରାହୁଲ । ୧୦୦ରୁ ଉର୍ଦ୍ଧ୍ୱ ଥର ୩୫୬ ଧାରର ଅପବ୍ୟବହାର କରି ବିଭିନ୍ନ ରାଜ୍ୟରେ ଗଣତନ୍ତ୍ର ଉପାୟରେ ନିର୍ବାଚିତ ହୋଇଥିବା ସରକାରକୁ ଭାଙ୍ଗି ହତ୍ୟା କରିଛି ଏହି ଦଳ । କାଶ୍ମୀର ପ୍ରସଙ୍ଗରେ ତକ୍ରାଳୀନ ମହାରାଜା ହରି ସିଂ ଭାରତ ବର୍ଷ ସଙ୍ଗେ ବିଲୟ ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କରିଥିଲେ । ମାତ୍ର ଶେଖ ଅବଦୁଲ୍ଲାଙ୍କ ସହ ବୁଝାମଣା କରିଥିଲା କଂଗ୍ରେସ । ପରବର୍ତୀ ସମୟରେ ୩୭୦ ଏବଂ ୩୫(ଏ) ଲାଗୁ କରିଥିଲା । ଫଳରେ ସମସ୍ତ ଦେଶୀୟ ରାଜ୍ୟର ସମସ୍ୟାର ସମାଧାନ ହେଲା ପରେ ବି କାଶ୍ମୀର ଏକ ବିବାଦୀୟ ପ୍ରସଙ୍ଗ ହୋଇଥିଲା । ଏହି କାରଣରୁ କାଶ୍ମୀର କିଛିଅଂଶ ଆଜି ପାକିସ୍ତାନ ଦ୍ୱାରା ଅଧିକୃତ ହୋଇରହିଛି । ଅପରପକ୍ଷେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଓଡିଶାକୁ ସବୁ କାର୍ଯ୍ୟରେ ଭରପୁର ସମର୍ଥନ କରୁଛନ୍ତି । ଏହାପୂର୍ବରୁ ମନମୋହନ ସିଂଙ୍କ ସରକାର ଥିଲା । ସେତେବେଳେ ଓଡ଼ିଶା ସମ୍ବଦ୍ଧିତ କିଛି ପ୍ରକଳ୍ପ ନେଇ ଓଡ଼ିଶାର କେତେଜଣ ସାଂସଦ ତାଙ୍କ ପାଖକୁ ଯାଇଥିଲେ । ସେତେବେଳେ ଶ୍ରୀ ମନମୋହନ ସିଂ କହିଥିଲେ, ଟଙ୍କା କ’ଣ ଗଛରେ ଫଳୁଛି । ଏହା କଂଗ୍ରେସର ଓଡ଼ିଶାପ୍ରତି ଥିବା ସଂକୀର୍ଣ୍ଣ ମାନସିକତାକୁ ଦର୍ଶାଉଛି ।
କିଛିଦିନ ପୁର୍ବେ ଦେଶର ମହାମହିମ ରାଷ୍ଟ୍ରପତି ତଥା ଓଡ଼ିଶା ଝିଅ ଏବଂ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କୁ ଅପମାନିତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏହା ପୂର୍ବରୁ ରାଷ୍ଟ୍ରପତି ଥିବା ଅନୁସୂଚତି ଜାତି ବା ଦଳିତବର୍ଗର ଶ୍ରୀ ରାମନାଥ କୋବିନ୍ଦଙ୍କୁ ନେଇ ମଧ୍ୟ ସେ ବିବାଦିତ ମନ୍ତବ୍ୟ ଦେଇଛନ୍ତି । ତାହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ଏଥିପାଇଁ ସେ ଓଡ଼ିଶା ମାଟିରେ ପ୍ରାୟଶ୍ଚିତ କରିବା ଦରକାର । ଏସବୁ କଥାକୁ ଦେଖିଲେ ଓଡ଼ିଶାରେ କଂଗ୍ରେସ ଏକ ଅସ୍ତଗାମୀ ରାଜନୈତିକ ଦଳ ଭାବେ ପ୍ରତୀୟମାନ ହେଉଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା ଓ ତପନ ଚାନ୍ଦ ଉପସ୍ଥିତ ଥିଲେ ।

 

 

Leave A Reply