ନିଜର କଳଙ୍କିତ ଇତିହାସକୁ ମନେ ପକାଇ ଆତ୍ମସମୀକ୍ଷା କରୁ କଂଗ୍ରେସ : ମନମୋହନ ସାମଲ
ବିଧାନସଭା ଗୃହ ଭିତରେ, ବାହାରେ ବିରୋଧୀ ଦଳର ଗୁଣ୍ଡାଗର୍ଦ୍ଦିକୁ ନିନ୍ଦା
ବିରୋଧୀ ଦଳ ନିଜର ଭୂମିକା ଏପର୍ଯ୍ୟନ୍ତ ବୁଝିନାହିଁ
ବିରୋଧୀ ଦଳର ଆଚରଣ, ଉଚ୍ଚାରଣ ଓ ବ୍ୟବହାରକୁ ତୀବ୍ର ନିନ୍ଦା କରୁଛି ବିଜେପି
ପବିତ୍ର ବିଧାନସଭାର ମର୍ଯ୍ୟାଦାକୁ ଉଲ୍ଲଂଘନ କରାଯାଇଛି
ବାଚସ୍ପତିଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରାଗଲା ତାହା କୌଣସି ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ପାଖରୁ ଆଶା ଓ ଅପେକ୍ଷା କରାଯାଇପାରିବ ନାହିଁ
ବିଧାନସଭା ଘେରାଉ ନାଁରେ ବିରୋଧୀ ଗୁଣ୍ଡାଗର୍ଦ୍ଦି କରି ଆଇନଶୃଙ୍ଖଳା ପରିସ୍ଥିତି ଉପୁଯାଇଛି
ଭୁବନେଶ୍ୱର, ତା.୨୭/୦୩: ରାଜ୍ୟରେ ବିଧାନସଭାକୁ ନେଇ କିଛି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । କୌଣସି ପ୍ରସଙ୍ଗ ନ ଥାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଅପଚେଷ୍ଟା କରୁଛି କଂଗ୍ରେସ । ପବିତ୍ର ବିଧାନସଭାରେ ମର୍ଯ୍ୟାଦାର ଉଲ୍ଲଂଘନ କରାଯାଇଛି । ବାଚସ୍ପତିଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରାଗଲା, ତାହା ମଧ୍ୟ କୌଣସି ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ପାଖରୁ ଆଶା ଓ ଅପେକ୍ଷା କରାଯାଇପାରିବ ନାହିଁ । ଗଠନମୂଳକ ପ୍ରସ୍ତାବ ଦେବା ବା ସମାଲୋଚନା କରିବାକୁ ବିରୋଧୀ ଦଳକୁ କେହି ମନା କରିନାହାଁନ୍ତି । ଏଥିପାଇଁ ସହଯୋଗ ଓ ବିରୋଧ ମଧ୍ୟ ଗଠନମୂଳକ ହେବା ଦରକାର । ବିଭିନ୍ନ ବିଷୟରେ ସରକାରଙ୍କୁ ଗଣତନ୍ତ୍ରରେ ସମାଲୋଚନା କରାଯାଏ । ବିରୋଧୀ ଦଳ ଯଦି ଠିକ୍ କଥା କହୁଛି କିମ୍ବା ସରକାରଙ୍କ କୌଣସି ଭୁଲ୍ ଥିଲେ ଏହାର ସଂଶୋଧନ କରିବା ପାଇଁ ମନା ନାହିଁ । ତେବେ କୌଣସି ଆଧାର ଓ ବିଷୟବସ୍ତୁ ନ ଥାଇ ବିରୋଧୀ ଦଳ ଯେପରି ଆଚରଣ ପ୍ରଦର୍ଶନ କରୁଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ସରକାର ବିଧାନସଭାରେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଥିଲାବେଳେ ବିରୋଧୀ ଦଳ କେବେଳ ମିଛ ଅପପ୍ରଚାର କରି ‘ସର୍ଟକଟ୍ ରାଜନୀତି’ କରିବାକୁ ଚେଷ୍ଟା କରୁଛି । ଆଲୋଚନ ନ କରି ପ୍ରଶ୍ନୋତର କାର୍ଯ୍ୟକ୍ରମରେ ହୋ-ହଲ୍ଲା କରିବା ସହ ଗୃହର ମଧ୍ୟଭାଗରେ ଘଂଟ ବାଡେଇ ବାଧା ସୃଷ୍ଟି କରିଥିଲା । ଏଥିରେ ସମ୍ପୃକ୍ତ ବିଧାୟକମାନଙ୍କୁ ନିଲମ୍ବିତ କରାଯିବା ପରେ ସେମାନେ ଏବେ ଗୁଣ୍ଡାଗର୍ଦ୍ଦି କରୁଛନ୍ତି । ସେଥିରୁ ଜଣାପଡୁଛି ବିରୋଧୀ ଦଳ ନିଜର ଭୂମିକା ଏପର୍ଯ୍ୟନ୍ତ ବୁଝିପାରିନାହାଁନ୍ତି । ଏପରିକି ନିଜ ଦାୟିତ୍ୱ ନିର୍ବାହ କରିବାକୁ ସେମାନେ ଏପର୍ଯ୍ୟନ୍ତ ମାନସିକସ୍ତରରେ ପ୍ରସ୍ତୁତ ମଧ୍ୟ ନୁହଁନ୍ତି । ଏବେବି ସେମାନେ ସରକାରରେ ରହିଛନ୍ତି ବୋଲି ବୋଧହୁଏ ଭାବୁଛନ୍ତି । ସେମାନେ ଜୋସରେ ନ ରହି ହୋସରେ ରୁହନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟି ରଖି ବିରୋଧୀ ଜନମତକୁ ସମ୍ମାନ ଦେବା ଉଚିତ୍ । ବିଜେପି ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଏକ ଦାୟିତ୍ୱ ସମ୍ପନ୍ନ ଦଳ । ବିଜେପି ମଧ୍ୟ ଏକ ଲମ୍ବା ସମୟ ଧରି ବିରୋଧୀ ଦଳ ଭୂମିକାରେ ରହିଛି । ବିରୋଧୀ ଦଳ ଭାବେ ୩ୟ ସ୍ଥାନରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ପରେ ୨ ନଂ. ଏବଂ ଏବେ ୧ ନଂ ଦଳ ଭାବେ ନିଜର ଦାୟିତ୍ୱ ନିର୍ବାହ କରୁଛି । ଓଡ଼ିଶାର ଜନମତ ବିରୋଧୀ ଦଳକୁ ପ୍ରତ୍ୟାଖାନ କରିଛି, ଏକଥା ସେମାନେ ସ୍ୱୀକାର କରିବା ଦରକାର । ଯେଉଁମାନେ ପୂର୍ବରୁ କହୁଥିଲେ ଆଇନକୁ ହାତକୁ ନେବାର ଅଧିକାର କାହାର ନାହିଁ, ସେମାନେ ଆଜି ସେମାନଙ୍କ କଥା ଭୁଲିଯାଇଛନ୍ତି । ଆଇନଶୃଙ୍ଖଳାକୁ ହାତକୁ ନେଇ ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାର ଅଧିକାର କାହାର ନାହିଁ । ବିରୋଧୀ ଦଳର ଏପରି ଆଚରଣ, ଉଚ୍ଚାରଣ ଓ ହିଂସାତ୍ମକ ବ୍ୟବହାରରୁ ତୀବ୍ର ନିନ୍ଦା କରୁଛି ବିଜେପି । ବିଧାନସଭାର ମର୍ଯାଦାକୁ ଆଖି ଆଗରେ ରଖି ସମସ୍ତେ କାର୍ଯ୍ୟ କରିବା ଉଚିତ୍ । ବିଜେପି ଗଣତନ୍ତ୍ରରେ ଓ ରାଜନୈତିକ ବ୍ୟବସ୍ଥାରେ ବିଶ୍ୱାସ ରଖେ । ମାତ୍ର ବିରୋଧୀ ଏହାକୁ ନଷ୍ଟ କରିବାକୁ ପ୍ରୟାସ ଚଳାଇଛି । ସେମାନଙ୍କ ଏଭଳି ଆଚରଣ ଯୋଗୁ ଓଡ଼ିଶାର ଜନସାଧାରଣ ସେମାନଙ୍କୁ ଉଚିତ ଜବାବ୍ ଦେଇଛନ୍ତି । ବିଗତ ବର୍ଷ ଗୁଡ଼ିକରେ କଂଗ୍ରେସ ଦୀର୍ଘ ସମୟ ଧରି ଦିଲ୍ଲୀରେ ଥିଲା । ଏହାସତ୍ୱେ ଲୋକେ ଏହି ଦଳକୁ ପ୍ରତ୍ୟାଖାନ କରି ଦେଇଛନ୍ତି । ଲୋକେ କାହିଁକି ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି କଂଗ୍ରେସ ତାର ସମୀକ୍ଷା କରିବା ଉଚିତ । କର୍ଣ୍ଣାଟକରେ କ’ଣ ଘଟୁଛି ସେନେଇ ଦର୍ପଣରେ ଏହି ଦଳ ନିଜ ଚେହେରା ନିଜେ ଦେଖିବା ଉଚିତ । ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ଭାବେ ନିଜ ମର୍ଯାଦା ଉଲ୍ଲଂଘନ କରିବା ଠିକ୍ ନୁହେଁ । ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଉଥିବା କଂଗ୍ରେସ ତାର କଳଙ୍କିତ ଇତିହାସକୁ ଭୁଲଯିବା ଉଚିତ ନୁୂହେଁ । ଛବିରାଣୀ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ଅଞ୍ଜନା ମିଶ୍ର ଘଟଣା ପର୍ଯ୍ୟନ୍ତ ସେମାନଙ୍କର କଳଙ୍କିତ ଇତିହାସ ରହିଛି । ଯେଉଁମାନେ ଓଡ଼ିଶା ଇତିହାସକୁ କଳଙ୍କିତ କରିଛନ୍ତି ସେମାନେ ଆଜି ନାରୀ ପ୍ରସଙ୍ଗ ଉଠାଇବା ଲଜ୍ଜାଜନକ ବିଷୟ ବୋଲି ଶ୍ରୀ ସାମଲ କହିଛନ୍ତି ।
ଅପ୍ରସଙ୍ଗକୁ ଉଠାଇ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବିରୋଧୀ ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରକୁ ସହଯୋଗ କରନ୍ତୁ । ଓଡ଼ିଶାର ବିକାଶ ଦିଗରେ କେହି ଅନ୍ତରାୟ ସୃଷ୍ଟି ନ କରନ୍ତୁ । ବିିଜେପି ବିରୋଧୀ ଦଳରେ ଥିଲାବେଳେ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରୁଥିଲା । ଅପରପକ୍ଷେ ବିରୋଧୀ ସରକାରରେ ଥିଲାବେଳେ କେବେ ବିରୋଧୀ ଦଳକୁ ବୈଠକ ପାଇଁ ଡାକୁ ନ ଥିଲେ । ମାତ୍ର ବିଜେପି ସରକାର ସବୁବେଳେ ସର୍ବଦଳୀୟ ବୈଠକ ଡାକିଛି । ଓଡ଼ିଶାର ଲକ୍ଷଲକ୍ଷ ଯୁବକ ଦାଦନ ଖଟିବାକୁ ଯାଉଥିବାବେଳେ ଏଠାରେ ଜଳସେଚନର ବ୍ୟବସ୍ଥା ନାହିଁ । ଓଡ଼ିଶାରେ ସାମଗ୍ରିକ ବିକାଶର ଆବଶ୍ୟକତା ଅଛି । ଏଭଳି ପରିସ୍ଥିତିରେ ବିଜେପି ସରକାର ଯେତେବେଳେ ଗୋଟିଏ ପରେ ଗୋଟିଏ ବିକାଶମୂଳକ କାର୍ଯ୍ୟ କରୁଛି ସେତେବେଳେ ବିରୋଧୀ ନିରାଶ ଓ ହତାଶ ହେବା ଉଚିତ ନୁହେଁ । ଗୋଟିଏ ଭୁଲ ପାଇଁ ୧୦୦ଟି ଭୁଲ୍, ଗୋଟିଏ ଅନ୍ୟାୟ ପାଇଁ ୧୦୦ଟି ଅନ୍ୟାୟ ଓ ଗୋଟିଏ ମିଛ ଲୁଚେଇବାକୁ ଯାଇ ୧୦୦ଟି ମିଛ ନ କହିବାକୁ ବିରୋଧୀ ଦଳକୁ ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ଓ ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ ଉପସ୍ଥିତ ଥିଲେ ।