କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ , କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ତୁରନ୍ତ ଯୋଗାଇ ଦିଆଯାଉ : ପ୍ରଦୀପ ପୁରୋହିତ
ନୂଆଦିଲ୍ଲୀ/ଭୁବନେଶ୍ୱର,ତା.୧୦/୧୧: ବରଗଡ ଜିଲ୍ଲାର ଅନେକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଂଚିତ ଅଛନ୍ତି । ବିଶେଷ କରି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ବାଦିକଟା, ଭେଙ୍ଗରାଜପୁର, ଲଖମରା, ଝିଟିକି, ଲରମ୍ଭା ( ବରଗଡ ) ଆଦି ଗ୍ରାମ ପଂଚାୟତର ଚାଷୀମାନେ ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଫସଲ ବୀମା ଟଙ୍କା ଅଧ୍ୟାବଧି ପାଇ ନାହାଁନ୍ତି ।
ଏହି ପରିପ୍ରେକ୍ଷୀରେ ସୋମବାର ଦିନ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଦିଲ୍ଲୀଠାରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଓ ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ବକେୟା ଶସ୍ୟ ବୀମା ଟଙ୍କା ଚାଷୀ କିଭଳି ପାଇବେ ସେ ନେଇ ଆଲୋଚନା କରିଛନ୍ତି । ଏହା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ତୁରନ୍ତ ଯୋଗାଇ ଦେବା କ୍ଷେତ୍ରରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିନିଧୀ ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେହିପରି ବରଗଡ ଜିଲ୍ଲା ଲଖମରାର ଅଙ୍ଗନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ ପ୍ରସ୍ତାବ ରଖାଯାଇଛି ବୋଲି ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଉପରେ ସମସ୍ତ ପ୍ରକାର ତଥ୍ୟ ଶୁଣିବା ପରେ ଚାଷୀମାନେ କିପରି ଅତି ଶୀଘ୍ର ବୀମା ଟଙ୍କା ପାଇବେ ସେନେଇ କୃଷି ବିଭାଗର ଉଚ୍ଚ ଅଧିକାରୀଙ୍କୁ କୃଷି ମନ୍ତ୍ରୀ ଶ୍ରୀ ତୋମର ନିଦେ୍ର୍ଦଶ ଦେଇଥିଲେ । ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟ ଶାସନ ସଚିବ ଓ ଜଳ ସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ସହ ଆଲୋଚନା କରି ପୋଲ ନିର୍ମାଣ ପାଇଁ ରହିଥିବା ବାଧାକୁ ତୁରନ୍ତ ଦୂର କରିବା ପାଇଁ ଅନୁରୋଧ କରିଥିଲେ ।
ଆଗରୁ ମଧ୍ୟ ପୋଲ ନିର୍ମାଣ ଓ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହି ଆଲୋଚନା ସମୟରେ ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କ ସମେତ ବିଜେପି ନେତା ବାଜୁବନ ନାୟକ, ବିମଳ କୁମାର ସାହୁ, ସୌମିତ୍ରୀ ପ୍ରଧାନ, ଶ୍ରୀକାନ୍ତ ମିଶ୍ର, ଇନ୍ଦ୍ରମଣି ଶାସ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । କୃଷି ମନ୍ତ୍ରୀଙ୍କ ସହ କୃଷି ଭବନରେ ଆଲୋଚନା ହୋଇଥିବା ବେଳେ ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀଙ୍କ ସହ ତାଙ୍କ ବାସ ଭବନରେ ଆଲୋଚନା ହୋଇଥିଲା ।