Odisha news

ବାଲେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ବୈଜୟନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର

0

ଭୁବନେଶ୍ବର, ୩୧|୧୦- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀରେ ହେବାକୁଥିବା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସହ ମାରାଥନ ପ୍ରଚାର କରିଛନ୍ତି| ଏହି ଅବସରରେ ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ମୁଠାକୁ ଟାଣ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମକୁ ଆଗକୁ ନେବା ତଥା ବାଲେଶ୍ବରର ସର୍ବାଙ୍ଗୀନ ବିକାଶ ପାଇଁ ଦଳୀୟ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ବିପୁଳ ପରିମାଣରେ ଜିତାଇବା ପାଇଁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ|

ଆଜି ସକାଳେ ଶ୍ରୀ ପଣ୍ଡା ପୁରୁଣା ବାଲେଶ୍ବରର ପାତ୍ରପଡା ପଞ୍ଚାୟତ ଅନ୍ତର୍ଗତ ଗବଗାଁ ଠାରେ ପହଞ୍ଚିବା ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଢଙ୍ଗୀ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ବିପୁଳ ସଂଖ୍ୟାରେ ଦଳୀୟ କର୍ମୀ ଶ୍ରୀ ପଣ୍ଡାଙ୍କୁ ସ୍ବାଗତ କରି ଏକ ବିରାଟ ପଟୁଆରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ| ସେଠାରେ ଶ୍ରୀ ପଣ୍ଡା ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ|

ଏହାପରେ ଶ୍ରୀ ପଣ୍ଡା ଚିଡିଆ ପୋଲ ନିକଟରୁ ଏକ ବିରାଟ ପଟୁଆରରେ ଦଳୀୟ ପ୍ରାର୍ଥୀ ମାନସ କୁମାର ଦତ୍ତ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ସହ ରୋଡ୍‌ ସୋ ଜରିଆରେ ପ୍ରଚାର ଆରମ୍ଭ କରିଥିଲେ| ସେଠାରୁ ସେ ରାଣିପଡା, ଝାଡେଶ୍ବରୀ ମନ୍ଦିର, ନୂଆ ବଜାର, ଅରଡ ବଜାର, ସହଦେବଖୁଣ୍ଟାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଚାନ୍ଦମାରୀ ପଡିଆ ଠାରେ ପ୍ରଚାର ଶେଷ କରିଥିଲେ| ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତି ଦଳୀୟ କର୍ମୀ ଓ ନେତା ମାନଙ୍କୁ ବେଶ୍‌ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା

Leave A Reply