ଭଞ୍ଜନଗର,୨/୧(Dillip Panigrahi) : ଏଠାରୁ ୨ କିମି ଦୂର ତୁଳସୀପଲ୍ଲୀସ୍ଥିତ ପରମହଂସ ଶ୍ରୀମତ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୩ ଦିନିଆ ସାର୍ବଭୌମ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଆଖି ଆଗରେ ରଖି ଚଳିତବର୍ଷ ଏହାକୁ ସୀମିତ ସଂଖ୍ୟାରେ ବିଧି ପୂର୍ବକ ପାଳନ କରାଯାଇଥିଲା ।
ଅନୁଷ୍ଠାନର ମୁଖ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଂଯୋଜନାରେ ଶେଷ ଦିନରେ ଆୟୋଜିତ ସାଧାରଣ ସଭା ଓ ଭକ୍ତ ସମ୍ମିଳନୀରେ ଓମାନନ୍ଦ ସରସ୍ୱତୀ ସଭାପତିତ୍ୱ ଆସନ ଅଳଙ୍କୃତ କରିଥିବାବେଳେ ମୁଖ୍ୟଅତିଥିଭାବେ ଭଞ୍ଜନଗର ଥାନା ଭାରପ୍ରାପ୍ତ ଅଧିକାରୀ ସୁଦୀପ୍ତ କୁମାର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ । ଏଥିରେ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ଅନେକ ଦିବ୍ୟବାଣୀ ଉପସ୍ଥାପନ କରାଯିବାସହ ମଣିଷ ମନରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରାଯାଇ କିଭଳି ସୁସ୍ଥ ସମାଜ ଗଠନ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରାଯାଇଥିଲା ।
ଆସାମ – ବଙ୍ଗୀୟ ସାରସ୍ୱତ ମଠ ଅନ୍ତର୍ଗତ ଭଞ୍ଜଭୂମି ସାରସ୍ୱତ ସଂଘ ତୁଳସୀପଲ୍ଲୀ ଠାରେ ଆୟୋଜିତ ଏହି ୩ ଦିନିଆ ୧୦୬ତମ ସାର୍ବଭୌମ ଭକ୍ତ ସମ୍ମିଳନୀକୁ ଅନୁଷ୍ଠାନର ସଭାପତି ଏ.ଜବହାରଲାଲ ପାତ୍ର, ସଂପାଦକ ସୁରେଶ ଚନ୍ଦ୍ର ପତି, ମହିଳା ସଂଘର ମୁଖ୍ୟ ଝୁନୁ ଜେନା ଓ କୁମାରୀ ସୁମିତ୍ର ଦାସଙ୍କ ସହ ପ୍ରାକ୍ତନ ସଭାପତି କୃଷ୍ଣଚନ୍ଦ୍ର ଆରୁଖ, ରେମଶ ଚନ୍ଦ୍ର ଜେନା, କୈଳାଶ ଚନ୍ଦ୍ର ଦାଶ, ମଦନମୋହନ ପଟ୍ଟନାୟକ, ଚନ୍ଦ୍ରଜିତ୍ ମହାନ୍ତି, ଉର୍ମିଳା ପତି, ଡି.ରାବଣା ଆମ୍ମା, ଅର୍ଚ୍ଚନା ମିଶ୍ର, ଅନନ୍ତ ପ୍ରଧାନ ଆଦି ସଂପୂର୍ଣ୍ଣ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଭାଇଭୋଉଣୀ ଅଂଶଗ୍ରହଣ କରିଥିଲେ ।
ସୁଚନାଯୋଗ୍ୟଯେ ଆସାମ – ବଙ୍ଗୀୟ ସାରସ୍ୱତ ମଠର ମହନ୍ତ ଶ୍ରୀମତ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ମହାରାଜ ଚଳିତବର୍ଷ ସବୁଠି ଏହି ସମ୍ମିଳନୀ ବିଧି ପାଳନ କରିବାପାଇଁ ନିଦେ୍ର୍ଦଶ ଦେଇଥିବାବେଳେ କୋଭିଡ କଟକଣାକୁ ଆଖି ଆଗରେ ରଖି ଚଳିତବର୍ଷ ସବୁଠି ଏହାକୁ ସୀମିତ କରାଯାଇଥିବା ତୁଳସୀପଲ୍ଲୀ ମଠର ମୁଖ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ସୁଚନା ଦେଇଛନ୍ତି ।