ଭଞ୍ଜନଗର – ବନ୍ଦ ହେଲା ୧୨୬ବର୍ଷର ପୁରୁଣା ମହମଦିଆନ୍ ସ୍କୁଲ । ଏଥିସହ ଏକ ଶତାଦ୍ଦୀର ଏକ ଇତିହାସ ମଧ୍ୟ ବିଲୀନ ହୋଇଗଲା । ଏଭଳି ଏକ ମିଶ୍ରଣ ପ୍ରସଂଗକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଭଞ୍ଜନଗର ସହରର ପୁରୁଣା ବଜାର ସାହି ବାସିନ୍ଦା । ମିଳିଥିବା ସୁଚନା ପ୍ରକାରେ ଭଞ୍ଜନଗର ସହରର ପୁରୁଣାବଜାର ସାହିରେ ଥିବା ଅତିପ୍ରାଚୀନ ମହମଦିଆନ୍ ସ୍କୁଲ ଏବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମି ଯାଉଥିବା କାରଣରୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଏଥିସହ ଏନଏସି କାର୍ଯ୍ୟାଳୟ ପରିସରରେ ଚାଲୁଥିବା ଟାଉନ୍ ପ୍ରାଇମେରୀ ସ୍କୁଲସହ ଉକ୍ତ ସ୍କୁଲର ମିଶ୍ରଣ କରାଯାଇଛି । ଏହି ବିଦ୍ୟାଳୟ ସହ ଦୀର୍ଘ ୧୨୬ ବର୍ଷର ଇତିହାସ ଜଡିତ ରହିଛି ।
ସହରର ପୁରୁଣାବଜାର ସାହିରେ ୧୮୯୪ ମସିହାରେ ମହମଦିଆନ୍ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା । ଏହି ବିଦ୍ୟାଳୟ ସେତେବେଳେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହ ଅଂଚଳର ମୁସଲିମ୍ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ଅଧ୍ୟୟନ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଭଳି କାର୍ଯ୍ୟ କରୁଥିଲା । ଏଠାରେ ଉର୍ଦ୍ଧୁ ଭାଷାରେ ମଧ୍ୟ ଗୋଟିଏ କ୍ଲାସ୍ ଚାଲୁଥିଲା । ଜଣେ ଉର୍ଦ୍ଧୁ ଶିକ୍ଷକ ଉକ୍ତ ବିଦ୍ୟାଳୟରେ ନିଯୁକ୍ତ ହେଉଥିଲେ । ପୂର୍ବରୁ ପ୍ରତି ଗୁରୁବାର ବିଦ୍ୟାଳୟର ଛୁଟି ଦିବସଭାବେ କାର୍ଯ୍ୟ କରୁଥିଲା । ତେବେ ପରବର୍ତ୍ତି ସମୟରେ ଅନ୍ୟ ବିଦ୍ୟାଳୟମାନଙ୍କ ଭଳି ଏଠାରେ ମଧ୍ୟ ରବିବାର ଛୁଟି ଦିବସ ଘୋଷଣା ହେଲା ।
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ପାଇଥିଲା । ହେଲେ ଧୀରେ ଧୀରେ ଘରୋଇ ବିଦ୍ୟାଳୟ ଗୁଡିକ ମୁଣ୍ଡ ଟେକିବାସହ ସରକାରୀ ବିଦ୍ୟାଳୟରେ ବିଭିନ୍ନ ଅଭାବବୋଧ କାରଣରୁ ଉକ୍ତ ବିଦ୍ୟାଳୟ ଅନେକ ଅସୁବିଧା ଭିତରେ ଗତି କଲା । ଧୀରେ ଧୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଲା । ଏକଦା ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ କୋଳାହଳରେ ଫାଟି ପଡୁଥିବା ଉକ୍ତ ବିଦ୍ୟାଳୟ ଧୀରେ ଧୀରେ କମିବାରେ ଲାଗିଲା । ଆଉ ଶେଷରେ ଚଳିତ ଶିକ୍ଷାବର୍ଷରେ ଉକ୍ତ ବିଦ୍ୟାଳୟରେ ମାତ୍ର ୨୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ନାମ ଲେଖାଇଥିଲେ । ଅନ୍ୟପକ୍ଷରେ ସରକାରଙ୍କ ନୂତନ ନିୟମାବଳୀ ପ୍ରକାରେ ୨୦ରୁ ୪୦ ସଂଖ୍ୟା ମଧ୍ୟରେ ଛାତ୍ରଛାତ୍ରୀ ରହିଥିବା ବିଦ୍ୟାଳୟଗୁଡିକ ୧ କିମି ଭିତରେ ଥିବା ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ ହେବାକୁ ଥିବାରୁ ଏବେ ଉକ୍ତ ମହମଦିଆନ୍ ସ୍କୁଲକୁ ନିକଟସ୍ଥ ଏନଏସି ଟାଉନ୍ ପ୍ରାଇମେରୀ ସ୍କୁଲ ସହ ମିଶ୍ରଣ କରିଦିଆଯାଇଛିବୋଲି ବିଇଓ ଏସ ଧନଞ୍ଜୟଙ୍କ ସୁତ୍ରରୁ ଜଣାପଡିଛି ।
କେବଳ ଏହି ଗୋଟିଏ ବିଦ୍ୟାଳୟ ନୁହଁ ସହରର ଜୁନିୟର ମୌଳିକ ବିଦ୍ୟାଳୟ ଖାସ ଏଭଳି କାରଣରୁ ୟୁବି ହାଇସ୍କୁଲ ସହ ମିଶ୍ରଣ କରାଯାଇଥିବାବେଳେ ହାର୍ଟନଗର ପ୍ରାଥମିକ ବିଦ୍ୟାଳୟ ଓ ଏଲଆଇସି କଲୋନୀସ୍ଥିତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟକୁ ଭେଜିପୁଟ ୟୁପିସ୍କୁଲ ସହ ମିଶାଇ ଦିଆଯାଇଥିବା ବିଇଓଙ୍କ ସୁତ୍ରରୁ ଜଣାପଡିଛି ।