ବାଲିପୋଖରୀ ଏସକେପ ସମ୍ମୁଖ ନଦୀପଠା ଜମିକୁ ବାଡବୁଝିଲେ ଲୋକେ; ପ୍ରୋକଲିନ ମେସିନ ନଦୀକୁ ଗଲା; ତହସିଲ କାର୍ଯ୍ୟଧାରାକୁ ପ୍ରଶ୍ନ କଲେ ଲୋକେ
ଭଣ୍ଡାରିପୋଖରୀ,: ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସୈରାତ ବାଲି ଉଠାଣ ରାସ୍ତାକୁ ଜମି ମାଲିକମାନେ ଶନିବାର ବାଡ ବୁଝି ଦେଇଛନ୍ତି । ବାଲିପୋଖରୀ ଏସକେପ ସମ୍ମୁଖରେ ବ୍ୟକ୍ତିଗତ ମାଲିକାନାରେ ଥିବା ଏହି ଜମି ବାଲିଉଠାଣ ରାସ୍ତା ଭାବେ ବ୍ୟବହୃତ ହେବା ସମ୍ଭାବନା ଥିବାରୁ ଜମି ମାଲିକମାନେ ଏଭଳି ପଦକ୍ଷେପ ନେଇଛନ୍ତି । ବାଲିଉଠାଣ ପାଇଁ ନିଲାମଧାରୀଙ୍କ ପକ୍ଷରୁ ବ୍ୟକ୍ତିଗତ ଜମିରେ ଗତ ଚାରିଦିନ ଧରି ରଖାଯାଇଥିବା ପ୍ରୋକଲିନ ମେସିନକୁ ନଦୀକୁ ଉଠାଇ ନିଆଯାଇଛି । ଅନ୍ୟପକ୍ଷରେ ତହସିଲ ପକ୍ଷରୁ ନିଲାମ ସଙ୍କ୍ରାନ୍ତୀୟ ନୀତିନିୟମକୁ ପାଳନ କରାଯାଉ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ନିଲାମଧାରୀଙ୍କୁ ବାଲି ଉଠାଣ ପାଇଁ ନିଲାମ ଦିଆଯାଇଥିବା ଜମି ତହସିଲ ପକ୍ଷରୁ ଚିହ୍ନଟ କରାଯାଇନାହିଁ । ବାଲି ଉଠାଣ ଅଞ୍ଚଳ ଚତୁଃପାଶ୍ୱର୍ରେ ନିଲାମଧାରୀଙ୍କ ପକ୍ଷରୁ ପତାକା ଲଗାଯାଇ ନାହିଁ । ଏହି ଆବଶ୍ୟକ କାର୍ଯ୍ୟଧାରାକୁ ତହସିଲ ଉଲଙ୍ଘନ କରିବା ଉଚିତ ନୁହେଁ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ମତପ୍ରକାଶ କରାଯାଇଛି । ଏହା ସହ ମାତ୍ର ପାଞ୍ଚକୋଟି ଟଙ୍କା ପାଇଁ ଜନସାଧାରଣଙ୍କ ଧନଜୀବନକୁ ବିପର୍ଯ୍ୟସ୍ତ କରିବା କାର୍ଯ୍ୟକୁ ସ୍ଥାନୀୟ ଲୋକେ ଗ୍ରହଣ କରିବେ ନାହିଁ ବୋଲି ପ୍ରକାଶ କରାଯିବା ସହ ନଦୀବନ୍ଧ ଉପରେ ବାଲି ପରିବହନକୁ ଯେ କୌଣସି ମୂଲ୍ୟ ଦେଇ ପ୍ରତିରୋଧ କରିବେ ବୋଲି ଦୃଢୋକ୍ତି କରିଛନ୍ତି ।
ଚଳିତ ମାସ ଶେଷ ଭାଗରେ ଏଥିପାଇଁ ହେବାକୁ ଥିବା ଜନଆନେ୍ଦାଳନରେ ନିର୍ବାଚନମଣ୍ଡଳୀସ୍ତରୀୟ ନେତାମାନେ ଯୋଗଦେବେ ବୋଲି ସୂଚନା ଦିଆଯାଇଛି । ଜଗନ୍ନାଥପ୍ରସାଦ ବାଲି ଉଠାଣ ଘଟଣା କ୍ରମେ ଜଟିଳ ହେଉଥିବା ବେଳେ ପ୍ରଶାସନ ଏହାକୁ ନେଇ ଚିନ୍ତାରେ ପଡିଛି । ଜନସାଧାରଣ ଅଥବା ନିଲାମଧାରୀ କାହାକୁ ନେଇ ପ୍ରଶାସନ ଆଗକୁ ଯିବ ତାହାକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଛନ୍ତି

Comments are closed.