Odisha news

ମଞ୍ଜୁରୀଠାରେ ଗାନ୍ଧୀଙ୍କ ହରିଜନ ପଦଯାତ୍ରା ସ୍ମୃତିଚାରଣ

0

ଭଦ୍ରକ,୨ା୬ : ଅସ୍ପୃଶ୍ୟତା ଦୂରୀକରଣ ଓ ହରିଜନଙ୍କ ଉତ୍ଥାନ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ୧୯୩୪ ମସିହାରେ ଗାନ୍ଧିଜୀ ଭାରତ ଭ୍ରମଣ କାଳରେ ପୁରୀରୁ ଭଦ୍ରକ ଯାଏ ପଦଯାତ୍ରା କରିଥିଲେ । ଗାନ୍ଧିଜୀଙ୍କ ଉକ୍ତ ପଦଯାତ୍ରା ଐତିହାସିକ ‘ହରିଜନ ପଦଯାତ୍ରା’ ଭାବେ ଖ୍ୟାତ । ୧୯୩୪ ଜୁନ ୨ ତାରିଖ ଯାଜପୁର ସଭାରେ ୧୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ତାଙ୍କର ଯାତ୍ରାର ଉଦେ୍ଦଶ୍ୟ ସଂକ୍ରାନ୍ତରେ କହୁକହୁ କହିଥିଲେ ‘ମୁଁ ବହୁତ ଥର କହି ସାରିଛି ଯେ, ଯେଉଁ ମନ୍ଦିରରେ ହରିଜନମାନଙ୍କର ଦର୍ଶନ କରିବା ଅଧିକାର ନାହିଁ, ସେ ମନ୍ଦିରରେ ମୂର୍ତ୍ତି ଥିଲେ ମଧ୍ୟ ସେଥିରେ ଭଗବାନଙ୍କର ପ୍ରତିଷ୍ଠା ହୋଇ ନାହିଁ । ଭଗବାନଙ୍କୁ ଆମେ ପତିତପାବନ କହିଥାଉ, ଦରିଦ୍ର ନାରାୟଣ କହିଥାଉ । ଏହିପରି ହଜାର ହଜାର ବିଶେଷଣ ଅଛି, ଯେଉଁଥିରୁ ଆମେ ଶିକ୍ଷା ପାଇବୁ ଯେ, ଭଗବାନ ଗୋଟିଏ ଲୋକ ବା ଗୋଟିଏ ଜାତିର ନୁହେଁ ।

ସେ ସମସ୍ତଙ୍କର ଭଗବାନ ।’ ସଭା ପରେ ବୈତରଣୀ ନଦୀ ପାର ହୋଇ ଏବର ଭଦ୍ରକ ଜିଲ୍ଳା ମଞ୍ଜୁରୀ ଗ୍ରାମରେ ଏକ ସଭାରେ ଯୋଗ ଦେଇଥିଲେ ଓ ଏକ ଚଟିଘରେ ରାତ୍ରି ଯାପନ କରିଥିଲେ । ଜୁନ ୩ ତାରିଖ ସକାଳ ମଞ୍ଜୁରୀରୁ ବାହାରି କହରାପୋଖରୀ ଠାରେ ମଧ୍ୟାହ୍ନ ରହଣି ଓ ସଭା ପରେ ତୋଡଙ୍ଗାରେ ପହଞ୍ଚି ସନ୍ଧ୍ୟା ପ୍ରାର୍ଥନା ପରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ଓ ହରିଜନ ବସ୍ତିରେ ସଫେଇ କାର୍ଯ୍ୟ ସହିତ ସ୍ୱାସ୍ଥ୍ୟରକ୍ଷା ସଂକ୍ରାନ୍ତୀୟ ପରାମର୍ଶ ଦେଇଥିଲେ । ତୋଡଙ୍ଗାରେ ଜୁନ ୩ ରାତ୍ରି ଓ ୪ ତାରିଖ ରହିଲା ପରେ ଜୁନ ୫ ତାରିଖରେ ବାରିକପୁର ଦେଇ ଗରଦପୁର ଆଶ୍ରମରେ ପହଞ୍ଚିôଥଲେ । ୬ ତାରିଖରେ ଗରଦପୁର ସଭା, ୭ ତାରିଖରେ ଭଦ୍ରକରେ ସଭା ସାରି ବର୍ଷା ଯୋଗୁଁ ପଦଯାତ୍ରା କାର୍ଯ୍ୟକ୍ରମ ବାତିଲ କରି ଜୁନ ୮ ତାରିଖ ରେଳ ଯୋଗେ ଖଡଗପୁର ଦେଇ ୱାର୍ଦ୍ଧା ଯାତ୍ରା କରିଥିଲେ ।

ଉକ୍ତ ପଦଯାତ୍ରାରେ ଅନ୍ୟ ପଦଯାତ୍ରୀମାନେ ମୀରା ବେନ୍, ଶେଠ ଯମୁନାଲାଲ ବଜାଜଙ୍କ ଝିଅ କୁମାରୀ ଉମା, ଜୟପ୍ରକାଶଙ୍କ ସହଧର୍ମିଣୀ ପ୍ରଭାବତୀ ଦେବୀ, କୁମାରୀ ସୁଶୀଳା ବାଇ, ଜର୍ମାନୀ ସାମ୍ବାଦିକ ବୁଟୋ, ଗୋପବନ୍ଧୁ ଚୌଧୁରୀ, ରମା ଦେବୀ, ହରେକୃଷ୍ଣ ମହତାବ, ନୀଳକଣ୍ଠ ଦାସ ଓ ବିନୋଦ କାନୁନ୍ଗୋଙ୍କ ସମେତ କେତେଜଣ କର୍ମୀ ଓ ସାମ୍ବାଦିକ ଥିଲେ । ପଦଯାତ୍ରାର ସ୍ମୃତି ସ୍ୱରୂପ ଗାନ୍ଧନ୍ଦିଜୀଙ୍କ ରହଣି ଚଟିଘର ମଞ୍ଜୁରୀ ଠାରେ ଥିବା ବେଳେ ଗାନ୍ଧିଜୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ସଭାପତି ଅଖିଳ କୁମାର ପାଢୀଙ୍କ ନେତୃତ୍ୱରେ ସମ୍ପାଦକ ତୁଷାରକାନ୍ତି ମହାନ୍ତି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଏସ.ଏମ. ଫାରୁକ, ହରି ନନ୍ଦୀ, ବୈଲୋଚନ ବେହୁରିଆ, ଅଧ୍ୟାପକ ନାସିର ବକ୍ସ, ପବନ ଶର୍ମା, ଲକ୍ଷ୍ମୀକାନ୍ତ ବାରିକ ଆଦି ସକାଳ ୮ ଘଟିକାରେ ମଞ୍ଜୁରୀ ଯାଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ମିଷ୍ଟାନ୍ନ ଓ ପୁସ୍ତକ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଧାଂଶୁ ଧଳ ଓ ଅଜୟ ରାଉତରାୟ ସହଯୋଗ କରିଥିଲେ ।

Nalco
Leave A Reply