Odisha news

“ମାଆ ବଞ୍ଚିଥିବ ଯେତିକି ଦିନ, ମୁଁ ରହିବି ସେତିକି ଦିନ’ ବଞ୍ଚିବାର ରାହା ଖୋଜୁଛି ତାରକାନ୍ତ

0

­­­­­­­­­­­­­­­­­­­­­­­­­­­­­­­ଭଦ୍ରକ:ଜନ୍ମ ତା’ର ଏକ ନିହାତିି ଗରିବ ପରିବାରରେ । ବାପା ଦଶରଥ ଜଣେ ଦିନ ମଜୁରୀଆ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ବାଙ୍କମୁହାଁ ଗାଁର ଏକ ନୁଆଁଣିଆ ଭଙ୍ଗା ଚାଳଘରେ ହିଁ ଶୈଶବରୁ ଯୌବନ ବିତିଛି । ଘୋର ଆର୍ଥିକ ଅନାଟକର ବୋଝ ମୁଣ୍ଡାଇ ଥିବା ଏହି ଗରିବ ପରିବାର ବଡପୁଅ ତାରକାନ୍ତ ସେଠୀ(୩୫)ଦୀର୍ଘ ୧୯ବର୍ଷ ହେବ ବିଛଣାରେ ଶୋଇ ରହିଛନ୍ତି । ମାତ୍ର ୧୬ବର୍ଷ ବୟସରେ ତା’ ଶରୀର ଅଚଳ ହୋଇଗଲା । ଚାଲିବା ତ ଦୂରର କଥା ବିଛଣାରୁ ଉଠିବାକୁ ସକ୍ଷମ ହେଲାନି ତାରାକାନ୍ତ । ଦୀର୍ଘ ୧୮ବର୍ଷ କାଳ ମାଆ ମାତାଜୀ ସେଠୀଙ୍କ ଦେଖାଶୁଣା ଯୋଗୁଁ ବଞ୍ଚି ରହିଛି ସେ । ମେରୁଦଣ୍ଡରେ ଥିବା ଶିର ଗୁଡିକ ଯୋଡି ହୋଇଯାଇଥିବାରୁ ସେ ଅଚଳ ହୋଇଥିବା ଡାକ୍ତରମାନେ ପରୀକ୍ଷା ନୀରିକ୍ଷା କରି କହିଥିଲେ । ତେବେ ବିଛଣାରେ ପଡି ରହି ଥିବା ପୁଅ ତାରକାନ୍ତକୁ ଛିଡା କରିବାକୁ ଆବଶ୍ୟକ ଅସ୍ତ୍ରୋପଚାର ପାଇଁ ଗରିବ ବାପାମାଆ ଗାଁ ଲୋକଙ୍କୁ କାକୁତି ମୀନତି କଲେ । ପ୍ରଶାସନ ଠୁଁ ବି ଟଙ୍କାକର ସାହାଯ୍ୟ ପାଇଲେନି । ଶେଷରେ ନିଜ ସମ୍ପର୍କୀୟ, ଜ୍ଞାତିକୁଟୁମ୍ବ ଓ ପଡୋଶୀଙ୍କ ଠାରୁ ଧାର କରଜ କରି ଘରୋଇ ଡାକ୍ତରଖାନା ସୋମ ହସ୍ପିଟାଲରେ ଗତବର୍ଷ ଅକେଫାବର ମାସରେ ମେରୁଦଣ୍ଡରେ ବ୍ୟବବହୁଳ ଅସ୍ତ୍ରୋପଚାର କରାଇଲେ । ଖର୍ଚ୍ଚ ହେଲା ପ୍ରାୟ ୩ଲକ୍ଷ ଟଙ୍କା । ଧାରକରଜ ଏବେବି ଶୁଝିନି । ଅସ୍ତ୍ରୋପଚାର ପରେ ଛିଡା ହୋଇ ନିଜ ନିତ୍ୟକର୍ମ କରିବାକୁ ଆଶା ବାନ୍ଧିଥିବା ତାକାକାନ୍ତଙ୍କ ଆଶାପୂରଣ ହେଲାନି । ବିଛଣାରୁ ଉଠି ବସିବାକୁ ଓ ଦୁଇ ହାତକୁ ହଲାଇବାକୁ ସକ୍ଷମ ହେଲେ ସିନି ଛିଡା ହେବା କି ନିଜ ହାତରେ କଲମରେ ଲେଖିବାକୁ ବି ଶକ୍ତି ଫେରିନଥିଲା । ଏଣୁ ଦୁଃଖ ଓ ଅବଶୋଷରେ ତାରାକାନ୍ତ ଓ ତାଙ୍କ ମା’ ମାତାଜୀ ଏବେ ମରଣସମ ଜୀବନ ନିର୍ବାହ କରୁଛନ୍ତି । ତାରକାନ୍ତର ଦାନ୍ତ ଘଷିବା, ଶୌଚ ହେବା ଠୁଁ ଆରମ୍ଭ କରି ଖାଇବା ଓ ପିନ୍ଧିବା ଯାଏଁ ସମସ୍ତ କାମ ବୁଢୀ ମା’ ମାତାଜୀ ଏବେ ବି କରୁଛନ୍ତି । ପ୍ରଶାସନ ଠୁଁ ସରକାରୀ ସହାୟତା ପାଇବା ଆଶାରେ ଆଜି ଗାଁର କିଛି ସହୃଦୟଙ୍କ ସହାୟତାରେ ଏକ ଅଟୋ ଯୋଗେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କରିବାକୁ ଆସିଥିଲା ଭିନ୍ନକ୍ଷମ ତାରାକାନ୍ତ । ହେଲେ ଆରଡିଧାମରେ ରାଜସ୍ୱ ବୈଠକରେ ଯୋଗଦେଇଥିବାରୁ ପ୍ରଶାସନକୁ ସାକ୍ଷାତ କରିବା ଅସମ୍ଭବ ହୋଇଥିଲା । ତେବେ ଅଟୋରେ ବସି ରହି ମୁହଁ ଶୁଖାଇଥିବା ତାରାକାନ୍ତର ଦୁର୍ଦ୍ଦଶାକୁ ଦେଖି କଲେକଫରିଏଟ୍‍ରେ ଥିବା ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟତ ପ୍ରଦୀପ୍ତ ବାଘ ତାଙ୍କ ଆଡୁ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀଙ୍କୁ ଏବିଷୟରେ ଜଣାଇଥିଲେ । ଅଧିକାରୀ ଶ୍ରୀ ଦେହୁରୀ ମାନବିକତା ଦେଖାଇ ଭିନ୍ନକ୍ଷମ ତାରାକାନ୍ତଙ୍କ ପାଖରେ ପହଞ୍ଚି ତାକୁ ସହାୟତା ରାଶି ଯୋଗାଇବାକୁ ଏକ ଫର୍ମରେ ଟିପଚିହ୍ନ ମଧ୍ୟ ନେଇଥିଲେ । କିଛି ଆର୍ଥିକ ସହାୟତା ମିଳିଳେ ନିଜ ଘରେ ଏକ ସଉଦା ଦୋକାନ କରି ପେଟ ପୋଷିବି ବୋଲି କୋହଭରା କ=ରେ କହିଛି ତାରକାନ୍ତ । “ମୁଁ ତ ଅଚଳ, ମୋ’ ମାଆ ବଞ୍ଚିଥିବ, ମୁଁ ରହିବି ସେତିକି ଦିନ ‘ ! କାରଣ ମୋ’ ମାଆ ପାଇଁ ମୁଁ ବଞ୍ଚି ରହିଛି, ସେ ମୋ’ର ସବୁକିଛି କରୁଛି । ତା’ଅନ୍ତେ ମୋତେ କିଏ (?)ଦେଖିବ ବୋଲି ଛଳ ଛଳ ଆଖିରେ କହିଥିଲା । ଭିନ୍ନକ୍ଷମ ତାରାକାନ୍ତକୁ ଭିନ୍ନକ୍ଷମ ଭତ୍ତା ମିଳୁଛି । ହେଲେ ସେ ବଞ୍ଚି ରହିବା ପାଇଁ ସରକାରୀ ସହାୟତା ନିହାତି ଆବଶ୍ୟକ । ପ୍ରଶାସନ ଓ ସହୃଦୟ ବ୍ୟକ୍ତିମାନେ ତାରକାନ୍ତକୁ ସହାୟତାର ହାତ ବଢାଇବା ଜରୁରି ।

Leave A Reply