ବେତନଟୀ : କାଶତଣ୍ଡୀ ଫୁଲ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି। ଶରତ ଆସିଲେ ରାସ୍ତା ପାର୍ଶ୍ଵ, ନଦୀ ପଠା, ଚାଷ ଖେତରେ ଦେଖିବାକୁ ମିଳିଥାଏ କାଶତଣ୍ଡୀର ସମ୍ଭାର । କୁହାଯାଏ କାଶତଣ୍ଡୀର ଚାମର ସ୍ପର୍ଶରେ ଧରା ଅବତରଣ କରନ୍ତି ମା ଦୁର୍ଗା । ଶରତର ଶାରଦୀୟ ଦୁର୍ଗାପୂଜା ଆଗମନର ଅବ୍ୟବହିତ ପୂର୍ବରୁ ଧରଣୀ ବକ୍ଷରେ ଚାରିଆଡେ କାଶତଣ୍ଡୀ ପୂଷ୍ପ ର ସମାହାର ସତରେ ଯେମିତି ଧରଣୀ ରାଣୀ ଧବଳ ବସ୍ତ୍ରରେ ଆଚ୍ଛାଦିତ । ସକାଳର କଅଁଳ ସୂର୍ଯ୍ୟ କିରଣ ସହିତ ବୁନ୍ଦା ବୁନ୍ଦା ଶିଶିର ସାଙ୍ଗକୁ ଖିଲି ଖିଲି ପବନ ଏକ ଅପରୂପ ସୌନ୍ଦର୍ଯ୍ୟ ମନ ମୋହି ଦେଇଥାଏ। ବିଷାଦ ଗ୍ରସ୍ତ ମନୁଷ୍ୟ ଏହି ସମୟରେ ନିଜକୁ ଧନ୍ୟ ମଣିଥାଏ। ଚାଷ କାର୍ଯ୍ୟ ସରିଯିବା ପରେ ଚାଷୀ ଟିଏ କ୍ଷେତ ବୁଲି ଆସିବା ବେଳେ ଦଣ୍ଡିଏ ଏହି କାଶତଣ୍ଡୀ ପୁଷ୍ପ ରାଜି ବକ୍ଷରେ ନିଜକୁ ହଜାଇ ଦେଇଥାଏ। ସେଥି ପାଇଁ ବର୍ଷକୁ ଥରେ ଏହି ଶରତ ଋତୁ କୁ ଚାତକ ପରି ଚାହିଁ ରହିଥାଏ ସାଧାରଣ ମଣିଷ ନିଜର ଦୁଃଖ ଲାଘବ ପାଇଁ । ଧରଣୀ ବକ୍ଷରେ ମୌସୁମୀର ବିଦାୟ ପାଖେଇ ପାଖେଇ ଆସୁଥିବା ବେଳେ ପାର୍ବଣ ପର୍ବରେ ମସଗୁଲ ହୋଇଥାନ୍ତି ଜନସମାଜ । ବେତନଟୀ ବ୍ଲକ ଅଧୀନ ର ବିଭିନ୍ନ ସ୍ଥାନରେ ବହୁସଂଖ୍ୟାରେ ଫୁଟି ଥିବା କାଶତଣ୍ଡୀ ଫୁଲ ସତେ ଯେପରି ପାର୍ବଣ ଋତୁକୁ ସ୍ୱାଗତ କରୁଛି l ବେତନଟୀ ବ୍ଳକ ଅଧୀନ ବୈଶିଙ୍ଗା ର ଅନତୀ ଦୂରରେ ବହି ଯାଇଥିବା ବୁଢ଼ାବଳଙ୍ଗ ର ଉଭୟ ପାର୍ଶ୍ଵ ଓ ପଠା ମାନଙ୍କରେ ଫୁଟି ଥିବା ଏହି କାଶତଣ୍ଡୀ ଫୁଲର ସମ୍ଭାର କବି , ଲେଖକ , ଭାବୁକ ମାନଙ୍କୁ ଆକର୍ଷିତ କରୁଛି l ଏହା ସହ ବିଭିନ୍ନ ସ୍ଥାନରେ ଏହି ଧବଳ ରଙ୍ଗର ଫୁଲକୁ ନେଇ ଅନେକ ଛାତ୍ରଛାତୀ ମଧ୍ୟ ଏକଜୁଟ ହୋଇ ସେଲ୍ଫି ଉଠାଇ ମଜା ନେଉଥିବାର ଦେଖା ଯାଉଛି ।