ବେତନଟୀ : ସୂଚନା ମୁତାବକ ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗରୁ ୪୫ଟି ଛେଳି ବୋଝେଇ କରି ଭୁବନେଶ୍ୱର ଅଭିମୁଖେ ଯାଉଥିବା OD02CL-0324 ନଂ ବିଶିଷ୍ଟ ଏକ ଅତ୍ୟନ୍ତ ଦ୍ରୁତଗାମୀ କେମ୍ଫର ନିଜର ଭାରସାମ୍ୟ ହରାଇ ପଦ୍ମନାଭପୁର ଛକ ନିକଟରେ ଡିଭାଇଡର ଉପରେ ଚଢି ଯାଇଥିଲା ଏବଂ ଅପରପାର୍ଶ୍ୱ ରାସ୍ତାରେ କଟକରୁ ବାହାରି ଜାମସେଦପୁର ଅଭିମୁଖେ ଯାଉଥିବା NL01AD-8699 ନଂ ବିଶିଷ୍ଟ ଏକ କଣ୍ଟେନରକୁ ଶକ୍ତ ଧକ୍କା ଦେଇଥିଲା l ପରେ ଉଭୟ କେମ୍ଫର ଓ କଣ୍ଟେନର ରାସ୍ତା ଉପରେ ଓଲଟି ପଡିଥିଲା l ଦୁର୍ଘଟଣାରେ କେମ୍ଫର ଟିର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗିରୁଜି ଯାଇଥିବାବେଳେ ଉକ୍ତ ଦୁର୍ଘଟଣାରେ କେମ୍ଫରରେ ବସିଥିବା ଚାଳକ ଭୁବନେଶ୍ୱର ଅଞ୍ଚଳର ସୁଲତାନ ମହମ୍ମଦ ଓ ତାର ୨ ସୋହଯୋଗୀ ସୋଭାଗ୍ୟବଶତଃ ସାମାନ୍ୟ ଆହତ ହୋଇଥିଲେ l ସେହିଭଳି କଣ୍ଟେନରର ସମ୍ମୁଖ ଭାଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ଚାଳକ ଦିଲ୍ଲୀ ଅଞ୍ଚଳର ଦୀପକ ଶର୍ମା ମଧ୍ୟ ସାମାନ୍ୟ ଆହତ ହୋଇଥିଲେ l ହେଲେ ସବୁଠୁ ରୋଚକ ବିଷୟ ଛେଳି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଣି ସଙ୍ଗେ ସଙ୍ଗେ କିଛି ସ୍ଥାନୀୟ ଲୋକ ପହଞ୍ଚି କେମ୍ଫର କବାଟ ଭାଙ୍ଗି ଛେଳି ସବୁକୁ ବୋହିନେବାରେ ବ୍ୟସ୍ତ ଥିଲେ l ଅପରପଟେ ଉପସ୍ଥିତ କିଛି ସହୃଦୟ ବ୍ୟକ୍ତି ଉକ୍ତ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେ l ଖବରପାଇ ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ ସଦଳବଳ ଘଟଣାସ୍ଥଳରେ ପହଁଛିବାରୁ ଲୋକମାନେ ଭୟରେ ଛେଳି ବୋହିବା ବନ୍ଦ କରିଦେଇଥିଲେ l ପରେ ପୁଲିସ କର୍ମଚାରୀ ଦୁର୍ଘଟଣାଗ୍ରସ୍ତ କେମ୍ଫର ଓ କଣ୍ଟେନରକୁ ରାସ୍ତାପାର୍ଶ୍ୱରୁ ଉଠାଇ ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ କରିଥିଲେ ଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ l