ବେତନଟୀର ପୂର୍ବତନ ଦୁର୍ନିତୀଖୋର ତହସିଲଦାରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟରୁ ନିଲମ୍ବିତ କଲା ରାଜସ୍ୱ ବିଭାଗ , ବିନା ଅନୁମତିରେ ମୁଖ୍ୟାଳୟ ଛାଡି ପାରିବେନି
ବେତନଟୀ : ବେତନଟୀ ତହସିଲରୁ ରାତି ଅଧିଆ ବଦଳି ହୋଇ ଥିବା ଦୁର୍ନିତୀଖୋର ତହସିଲଦାର ଅନିଶା ଦାସଙ୍କ ବିରୁଦ୍ଧରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି । ରାଜସ୍ୱ ବିଭାଗର ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ ତାଙ୍କ ଆଦେଶ ସଂଖ୍ୟା ୭୩୪୩୬ ତା ୨୬.୦୭.୨୦୨୦ରିଖ ମୂଳେ ପୂବତନ ତହସିଲଦାର ଅନିଶା ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ ତାଙ୍କର ମୁଖ୍ୟାଳୟ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବୋଲି ସ୍ଥିର କରିଛନ୍ତି ।
ନିଲମ୍ବିତ ତହସିଲଦାର ଅନିଶା ବିନା ଅନୁମତିରେ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ଆଦେଶରେ ଲେଖା ଅଛି । ସରକାରୀ ଅଧିକାରୀ ଭାବରେ ସରକାରୀ କାର୍ଯ୍ୟ କରୁ ଥିବା ବେଳେ ସେଥିରେ ନିଷ୍ଠାର ଅଭାବ ଓ କାର୍ଯ୍ୟରେ ଅବହେଳା ଦର୍ଶାଇ ରାଜସ୍ୱ ବିଭାଗ ଅନିଶାଙ୍କୁ ନିଲମ୍ବିତ କରିଛି ।
ବେତନଟୀ ତହସିଲଦାର ଗତ ୨୦ ଜୁଲାଇ ଦିନ ବୈଶିଙ୍ଗା ଛକରେ ମୋରମ ବୋଝେଇ ହୋଇ ଯାଉ ଥିବା ଦୁଇଟି ଡମ୍ଫରକୁ ଅଟକାଇ ଥିଲେ । ସେଥି ମଧ୍ୟରୁ ଗୋଟିଏକୁ ଜବତ କରି ବୈଶିଙ୍ଗା ଥାନାରେ ରଖି ଥିଲେ । ଡମ୍ଫର ଗୁଡିକୁ ଅଟକାଇବା ବେଳେ ନିଜର ଅଧସ୍ତନ କର୍ମଚାରୀ, ବୈଶିଙ୍ଗା ରାଜସ୍ୱ ନିରୀକ୍ଷକ, ବୈଶିଙ୍ଗା ପୋଲିସ କାହାରି ସହାୟତା ନେଇ ନଥିଲେ । ବରଂ ବେତନଟୀର କିଛି ଯୁବକ ଏହି କାର୍ଯ୍ୟରେ ତାଙ୍କୁ ସହାୟତା କରି ଥିଲେ । ଏହି ଡମ୍ଫରକୁ ଛାଡି ଦେବା ପାଇଁ ଅଭଜିତ ମହଲ ଓ ତହସିଲଦାର ନିଜେ ଗାଡି ମାଲିକକୁ ଫୋନ ମାଧ୍ୟମରେ ଏକ ଲକ୍ଷ ଟଙ୍କା ମାଗିବାର ରେକଡିଂ ଭାଇରାଲ ହୋଇ ଥିଲା । ଏହି ରେକଡିଂରେ ଅଭିଜିତ ମହଲ ପ୍ରଥମେ ମ୍ୟାଡାମଙ୍କ ପାଖରେ ବସିଛନ୍ତି କିନ୍ତୁ ମ୍ୟାଡାମଙ୍କ ସହିତ କଥା ହେବା ଦରକାର ନାହିଁ, ବ୍ୟବସାୟ କରିବାର ଅଛିତ ଟଙ୍କା ଦିଅ ଭଳି ଡିଲ ଆରମ୍ଭ କରି ଥିଲା ।
ଶେଷରେ ପୂର୍ବରୁ ୫୦ ହଜାର ଟଙ୍କା ଦିଆ ଯାଉ ଥିବା ବେଳେ ଏହି ରାଶିକୁ ଏକ ଲକ୍ଷକୁ ବଢ଼ାଇବାକୁ କୁହା ଯାଇ ଥିଲା । ପରେ ଅଭିଜିତଙ୍କ ବଦଳରେ ନିଜେ ତହସିଲଦାର ଏହି କଥୋପକଥନରେ ଆସି ଥିଲେ ଓ ଅଭିଜିତ ଯାହା ଦାବି କଲା ତାକୁ ପ୍ରଦାନ କରିବାକୁ କହି ଥିଲେ । ତେବେ ଡମ୍ଫର ମାଲିକ ଚତୁରତାର ସହିତ ଏହି କଥୋପକଥନକୁ ରେର୍କଡିଂ କରି ନେଇ ଥିଲେ । ଡମ୍ଫରର ମାଲିକ ବଡସାହିର ଶ୍ରୀକାନ୍ତ ଦାସ ଏହି ରେକଡିଂ ଓ ତାଙ୍କର ଡ୍ରାଇଭରର ବୟାନ ଭିତ୍ତିରେ ବୈଶିଙ୍ଗା ଥାନାରେ ତହସିଲଦାର ଓ ଅନ୍ୟ ମାନଙ୍କ ନାମରେ ଏତଲା ଦେବା ପରେ ଥାନାର ଦଫା ୨୯୪, ୩୨୩, ୩୪୧, ୩୭୯, ୩୮୪, ୫୦୬, ୩୪ ଭାରତୀୟ ପିଙ୍ଗଳ କୋର୍ଡ ମୂଳେ ମାମଲା ନମ୍ବର ୧୫୯/୨୦୨୦ ରୁଜୁ ହୋଇ ତଦନ୍ତ ଚାଲିଛି ।
ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ଦଲାଲ ଅଭିଜିତ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ମୁଖ୍ୟ ଅଭିଯୁକ୍ତା ବେତନଟୀ ତହସିଲଦାର ଅନିଶାଙ୍କୁ ଜେରା ପାଇଁ ପୋଲିସ ବେତନଟୀ ତହସିଲରେ ପହଞ୍ଚିବା ବେଳକୁ ତହସିଲଦାର ଏକ ଧଳା ରଙ୍ଗର ମାରୁତି ସ୍ୱିଫ୍ଟରେ ଖସି ପଳାଇ ଯାଇ ଥିଲେ । ପରେ ସେ କଳାହାଣ୍ଡିରେ ଡେପୁଟୀ କଲେକ୍ଟର ଭାବେ ଯୋଗ ଦେବାକୁ ଯିବା ବେଳକୁ ସେଠାରେ କଂଗ୍ରେସ ଓ ବିଜେପି ଉଭୟ ଦଳ ତରଫରୁ ଏପରି ଦୁର୍ନିତୀଖୋର ଅଫିସରକୁ ଆଦିବାସୀ ବହୁଳ କଳାହାଣ୍ଡି ଜିଲ୍ଲାରେ ଯୋଗଦାନକୁ ବିରୋଧ କରି ଥିଲେ ।
ଆଜି ଏହି ତହସିଲଦାରଙ୍କର ନିଲମ୍ବନ ଖବର ସାମାଜିକ ଗଣ ମାଧ୍ୟମରେ ପ୍ରଚାର ହେବା ପରେ ସଟଡାଉନ ସତ୍ତ୍ୱେ ବେତନଟୀରେ ଅଦିନିଆ ଦୀପାବଳୀ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଏତିକି ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି ବଡସାହି ବିଧାୟକ ସନାତନ ବିଜୁଳି । ଘଟଣା ପରେ ବୈଶିଙ୍ଗା ଥାନାରେ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ, ସ୍ୱତନ୍ତ୍ର ତଦନ୍ତ ଅଧିକାରୀ ଡିଏସପି ମନୋଜ ରାଉତ, ବେତନଟୀ ଆଇଆଇସି ଅଶୋକ କୁମାର ନାୟକ, ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ, ବଡସାହି ଆଇଆଇସି ଜୟନ୍ତ କୁମାର ବେହେରାଙ୍କୁ ଏକ ପ୍ରତିନିଧି ଦଳ ସହିତ ଭେଟି ତସହିଲଦାରଙ୍କୁ ଗିରଫ ପାଇଁ ଦାବି କରି ଥିଲେ । ଭଏସ ରେକଡିଂ କୋଲକତା ପଠା ଯାଇଛି ଓ ରିପୋର୍ଟ ଆସିଲେ ତହସିଲଦାରଙ୍କୁ ଗିରଫ କରା ଯିବ ବୋଲି ମୟୂରଭଞ୍ଜ ପୋଲିସର ବରିଷ୍ଠ ଅଧିକାରୀ ମାନେ ବିଧାୟକଙ୍କୁ ପ୍ରତିଶୃତି ପ୍ରଦାନ କରି ଥିବାର ଜଣା ପଡିଛି ।