ବେତନଟୀ : ବୈଶିଙ୍ଗା ବଜାର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଜଳ ନିଷ୍କାସନ ପାଇଁ ଠିକ୍ ଭାବରେ ଡ୍ରେନ୍ ନିର୍ମାଣ ହୋଇ ନ ଥିବାରୁ ଯାନବାହନ ଚଳାଚଳରେ ବାଧାପ୍ରାପ୍ତ ହେବା ସହିତ ସାଧାରଣ ଲୋକ ତଥା ସାଇକେଲ ଓ ବାଇକ ଚାଳକଙ୍କୁ ବିପଦରେ ପକାଉଛି। ଅଧିକ ବର୍ଷା ହେଲେ ରାଜପଥ ଉପରେ ପାଣି ପ୍ରବାହିତ ହେଉଛି। ବଜାର ମଧ୍ୟ ଭାଗରେ ଏକ କିଲୋମିଟର ଲମ୍ବର ଉଡନ୍ତା ପୋଲ ନିର୍ମାଣ ହୋଇଥିବାରୁ ଉଭୟ ପାର୍ଶ୍ଵରେ ଯାନବାହନ ଚଳାଚଳ ପାଇଁ ଆପ୍ରୋଚ୍ ରୋଡ ନିର୍ମାଣ ହୋଇଛି ସତ ମାତ୍ର ଠିକ୍ ମାପ ଯୋଗରେ ତିଆରି ହୋଇ ନ ଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଚାଲିଛି। ତିନି ଶହ ମିଟର ବ୍ୟବଧାନରେ ଏହି ରାଜପଥକୁ ଦୁଇଟି ସ୍ଥାନରେ ମାଣତ୍ରୀ ରାସ୍ତା ଓ ରୁପସା ରାସ୍ତା ସଂଯୋଗ କରୁଥିବାରୁ ଦୁଇଟି ଅଣ୍ଡରପାସ୍ ନିର୍ମାଣ ହେବାର ଯୋଜନା ରହିଥିଲ। ମାତ୍ର ଶେଷ ମୂହୁର୍ତ୍ତ ରେ ୩୦୦ ମିଟର ବ୍ୟବଧାନର ମଧ୍ୟ ଭାଗରେ ହିଁ ଗୋଟିଏ ଅଣ୍ଡରପାସ୍ ନିର୍ମାଣ ହୋଇଥିବାରୁ ଟ୍ରାଫିକ ନିୟମର ଉଲଙ୍ଘନ ଘଟାଇ ଯାନବାହନ ଚଳାଚଳ କରିବା ହେତୁ ଏଭଳି ଦୁର୍ଘଟଣାର ଶୀକାର ହେଉଛନ୍ତି। ଏହି ଆପ୍ରୋଚ୍ ରୋଡର ଶେଷ ଭାଗରେ ଓଭରବ୍ରୀଜ୍ ପାଣି ବୋହି ଆସି ଗୋଟିଏ ସ୍ଥାନରେ ରାସ୍ତା ପାର୍ଶ୍ଵକୁ ବୋହିବା ଯୋଗୁଁ ରାସ୍ତା ପାର୍ଶ୍ଵରେ ପ୍ରାୟ ଦଶ ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି ହେବା ସହ ପିଚୁ ରାସ୍ତାର ତଳ ପାର୍ଶ୍ଵକୁ ଖାଇ ଚାଲାଣି। ପାର୍ଶ୍ଵବର୍ତ୍ତୀ ଘର ମାନଙ୍କରେ ରହୁ ଥିବା ଲୋକେ ଏଥିପାଇଁ ପ୍ରମାଦ ଗଣୁଛନ୍ତି। କେତେବେଳେ କେଉଁ ମୂହୁର୍ତ୍ତରେ ତାଙ୍କ ଘର ଗୁଡ଼ିକୁ ତାଡି ନେଇଯିବ । ଏଥିପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇପାରି ନାହିଁ। ଏଣୁ ତୁରନ୍ତ ଏହାର ପ୍ରତିକାର ନିମନ୍ତେ ଦାବୀ ହେଉଛି।
