ବେତନଟୀ : ବେତନଟୀ ବ୍ଲକ ର ବୈଶିଙ୍ଗା ଥାନା ଅଧୀନ ନଡପୁର ଗ୍ରାମରେ ଘଟିଥିବା ବିଭତ୍ସ ହତ୍ୟା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଶୁକ୍ରବାର ରାତିରେ ଏହି ହତ୍ୟା ଘଟଣା ଘଟିଥିବା ବେଳେ ଶନିବାର ସକାଳେ ଲୋକଲୋଚନକୁ ଆସିବା ପରେ ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ଏସଡିପିଓ ସୁଦର୍ଶନ ଦାଶ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିବା ବେଳେ ସନ୍ଧ୍ୟାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଦ୍ୟାନଦେଓ ଖିଲାରୀ ବୈଶିଙ୍ଗା ଥାନାରେ ପହଞ୍ଚି ଘଟଣାଟିକୁ ଛାନଭିନ କରି ଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନଡପୁର ଗ୍ରାମର ଗୋଲକ ମୁର୍ମୁ ଓ ପତ୍ନୀ ମାଳତୀ ମୁର୍ମୁ (୩୭) ଓ ସାନ ପୁଅ ସାଙ୍ଗ ହୋଇ ଖାଇ ସାରିବା ପରେ ଗୋଲକ ପାଖ ଗାଁ ରେ ହେଉଥିବା ଆଦିବାସୀ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ସାନ ପୁଅ ସାଙ୍ଗ ଘରକୁ ଶୋଇବା ପାଇଁ ଚାଲି ଯାଇଥିଲା।
ଉଭୟଙ୍କର ଦୁଇ ଝିଅ ବିବାହିତା , ବଡ ପୁଅ ନିଜର ବଡବାପା ଘରେ ଥିବା ବେଳେ ମଝିଆ ପୁଅଟି ବାହାରକୁ କାମ କରିବା ପାଇଁ ଚାଲି ଯାଇଥିବାର ଜଣାଯାଇଛି। କିପରି ଓ କେଉଁ ପାରିପାର୍ଶ୍ଵିକ ଅବସ୍ଥାକୁ ନେଇ ହତ୍ଯାକାଣ୍ଡ ଘଟିଥାଏ ପାରେ ବୋଲି ପୁଲିସ ସେ ନେଇ ତଦନ୍ତ ଜାରି ରଖିଛି। ମାତ୍ର ସକାଳେ ରକ୍ତ ଜୁଡୁ ବୁଡୁ ଅର୍ଦ୍ଧଲଗ୍ନ ମୃତ ଶରୀର ମିଳିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥାଏ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ମାଳତୀର ମୃତ ଶରୀରକୁ ଜଙ୍ଗଲ ଠାରୁ କିଛି ଦୂର ପର୍ଯ୍ୟନ୍ତ ଘୋଷଡ଼ା ଯାଇ ରାସ୍ତା ପାର୍ଶ୍ଵକୁ ନେଇଯାଇଥିବା ଦେଖିବାକୁ ମିଳିଥିଲା।
ବିଭିନ୍ନ ଲୋକଙ୍କ ସହିତ ଅନୈତିକ ସମ୍ପର୍କ କାରଣରୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ଗ୍ରାମବାସୀ ମାନେ ସନ୍ଦେହ ପ୍ରକଟ କରିଛନ୍ତି। ଏହି ଘଟଣାର ଖବର ପାଇ ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର, ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଦାଶ ଓ ସାଇଣ୍ଟିଫିକ ଟିମ ଘଟଣାର ଛାନଭିନ କରିବା ପରେ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବାରିପଦା ବଡ ମେଡିକାଲକୁ ପଠାଇଥିବା ଜଣାଯାଇଛି। ବ୍ୟବଚ୍ଛେଦ ପରେ ଡାକ୍ତରୀ ରିପୋର୍ଟକୁ ନେଇ ପ୍ରକୃତ ସତ ଜଣାପଡିବ ବୋଲି ଉପଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି। ଏ ନେଇ ବୈଶିଙ୍ଗା ଥାନାରେ ୩୪/୨୨ରେ ଏକ ମାମଲା ମୂଳେ ତଦନ୍ତ ଚାଲିଥିବା ଜଣାଯାଇଛି।
