ବେତନଟୀ, ୨୨/୯ : ରୁପସା-ବାରିପଦା-ବାଙ୍ଗାରୀପୋଷୀ ରାସ୍ତାର ବିଦ୍ୟୁତିକରଣ କାର୍ଯ୍ୟ ଚାଲିଛି । ଯୁଗୁପୁରା ରେଳ ଷ୍ଟେସନ ନିକଟରେ ଥିବା ଇସାଣପୁର ଗ୍ରାମବାସୀ ମାନଙ୍କ ପାଇଁ ରେଳ ରାସ୍ତା ଉପର ଦେଇ ଯିବା ଆସିବା କରିବା ଏକ ମାତ୍ର ମାଧ୍ୟମ ବୋଲି ଜଣା ପଡିଛି । ତେବେ ଇସାଣପୁର ଗ୍ରାମର ଲୋକ ମାନେ ବାହାରୁ ଥିବା ରାସ୍ତାକୁ ଖୋଳି ବିଦ୍ୟୁତ ଖୁଣ୍ଟ ବସାଇବାକୁ ସଂପୃକ୍ତ ଠିକାଦାର ଉଦ୍ୟମ କରୁ ଥିଲେ । ଏହାକୁ ନେଇ ଗ୍ରାମବାସୀ ମାନେ ବାଲେଶ୍ୱର ଯାଇ ରେଳ ବିଭାଗର ଏଡିଇନଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇ ଥିଲେ । ତେବେ ଆଜି ଏହି ଘଟଣାକୁ ନେଇ ଇସାଣପୁର ନିକଟରେ ଏକ ବୈଠକ ବସି ଥିଲା । ୩୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ଗ୍ରାମର ଅଶ୍ୱନୀ ମହାରଣା, ପ୍ରକାଶ ମହାନ୍ତି, ଶରତ ମହାନ୍ତ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ରେଳବାଇ ବିଦ୍ୟୁତିକରଣରେ କାର୍ଯ୍ୟ କରୁ ଥିବା ଠିକାଦାରର ପ୍ରତିନିଧି, ରେଳବାଇ ବିଦ୍ୟୁତିକରଣ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତିରେ ଆଲୋଚନା କରା ଯାଇ ଥିଲା । ଏହି ରାସ୍ତାଟି ସର୍ବ ସାଧାରଣଙ୍କ ଦ୍ୱାରା ବ୍ୟବହାର କରା ଯାଉ ଥିବାର ଲିଖିତ ଭାବେ ବଡସାହି ବିଧାୟକ ସନାତନ ବିଜୁଳି, ଜିଲ୍ଲା ପରିଷଦ ସଦସ୍ୟ ବ୍ରଜମୋହନ ବେହେରା କୋଲକାତା ଜୋନର ଜେନେରାଲ ମ୍ୟାନେଜର, ଖଡଗପୁର ଡିଆରଏମଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଏହି ରାସ୍ତାଟିକୁ ବନ୍ଦ କରିବାକୁ ହେଲେ ଗ୍ରାମବାସୀ ମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରା ଯାଇଛି । ଏହାର ଏକାକିତା ନକଲ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କୁ ପ୍ରଦାନ କରା ଯାଇ ଥିବାର ଜଣା ପଡିଛି । ଏହି ଦାବିର ନକଲ ଜିଲ୍ଲା ପରିଷଦ ସଦସ୍ୟ ରେଳବାଇ ବିଦ୍ୟୁତିକରଣ ପ୍ରତିନିଧି ମାନଙ୍କୁ ଦେଖାଇବା ପରେ କାର୍ଯ୍ୟକୁ ସ୍ଥଗିତ ରଖା ଯାଇ ଥିବାର ଜଣା ପଡିଛି ।