Odisha news

ମୋରମ ମାଫିଆ ଓ ବେତନଟୀ ପୂର୍ବତନ ତହସିଲଦାର ଲିଙ୍କ ମାମଲା : ମାମଲାରେ ୮ଟି ସଙ୍ଗୀନ ଦଫା ଯୋଡିଲା ଓଡିଶା କ୍ରାଇମବ୍ରାଞ୍ଚ

0

ବେତନଟୀ, ୨୨/୯ : ବେତନଟୀର ପୂର୍ବତନ ତହସିଲଦାର ଅନିଶା ଦାସ ଓ ମୋରମ ମାଫିଆ ଲିଙ୍କ ମାମଲାର ତଦନ୍ତ କରୁ ଥିବା ଓଡିଶା କ୍ରାଇମବ୍ରାଞ୍ଚ ଏହି ମାମଲାର ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ତଦନ୍ତକୁ ଅଧିକ ଗୁରୁତ୍ୱ ସହକାରେ ନେଇ ଥିବାର ଜଣା ପଡିଛି । ଧୀରେ ଧୀରେ କ୍ରାଇମବ୍ରାଞ୍ଚ ତଥ୍ୟ ଓ ପ୍ରମାଣ ସବୁ ଯୋଗାଡ କରିବାରେ ଲାଗିଛି । ଏହି ମାମଲାର ତଦନ୍ତକାରୀ ଅଧିକାରୀ ଡିଏସପି ବିକାଶ ରଞ୍ଜନ ବେହୁରା ଓ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ବେଳେ ସରକାରୀ ପରମିଟର ବ୍ୟାପକ ଜାଲିଆତି ହୋଇ ଥିବାର ପ୍ରମାଣ ପାଇଛନ୍ତି । ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ଅତ୍ୟନ୍ତ ଘନିଷ୍ଠ କୁହା ଯାଉ ଥିବା ଦଲାଲ ଅଭିଜିତ ମହଲ ପାଖରୁ ଜବତ ହୋଇ ଥିବା ଲାଲ ରଙ୍ଗର କାର ନମ୍ବର ଜେଏଚ-୦୫ସିଇ-୪୦୮୫ରୁ ଏକ ସରକାରୀ ପରମିଟ ବହି ଜବତ ହୋଇ ଥିଲା । ଏହି ସରକାରୀ ପରମିଟ ବହିରେ ଥିବା ୫୦ ସେଟ (୧୫୦ ପୃଷ୍ଠା) ମଧ୍ୟରୁ ୧୫ ସେଟ (୪୫ ପୃଷ୍ଠା) ପରମିଟ ଗାଏବ ଥିବାର ଦେଖା ଯାଇ ଥିଲା ।

ଏହି ପରମିଟ ଗୁଡିକୁ ଅଭିଜିତ କେତେ ଟଙ୍କାରେ କାହାକୁ ବିକି୍ର କରିଛି କିମ୍ବା କେଉଁ ବ୍ୟବସାୟରେ ଲଗାଇଛି ତାକୁ ନେଇ ତଦନ୍ତ ଚାଲିଛି । ଅଭିଜିତ ମହଲର ଘରକୁ ମଧ୍ୟ ପୋଲିସ ଯାଞ୍ଚ କରି ଥିଲା । ସେଠାରୁ ମଧ୍ୟ କିଛି କାଗଜପତ୍ର ଜବତ ହୋଇଛି । ଅଭିଜିତ ମହଲ ଗିରଫ ହେବା ପରେ ବିଚାର ବିଭାଗୀୟ ହାଜତରେ ରହିଛି । ତାକୁ ଦୁଇ ଦିନ ରିମାଣ୍ଡରେ ନେବା ପରେ କ୍ରାଇମବ୍ରାଞ୍ଚ ନିକଟରେ ସେ ବହୁ ତଥ୍ୟ ପ୍ରକାଶ କରିଛି । ତେଣୁ ତଦନ୍ତକାରୀ ଦଳ ଅଭିଜିତର ସୂଚନା ମୁତାବକ ଏବେ ପ୍ରମାଣ ଓ ତଥ୍ୟ ସଂଗ୍ରହରେ ଲାଗି ପଡିଛନ୍ତି ।

ଅଭିଜିତ ମହଲ ଜଣେ ପ୍ରାଇଭେଟ ବ୍ୟକ୍ତି ହୋଇ ଥିବା ବେଳେ ତାର ବ୍ୟକ୍ତିଗତ ଗାଡିରେ ସରକାରୀ ରାଜସ୍ୱ ସହିତ ସିଧାସଳଖ ସଂପୃକ୍ତ ଥିବା ପରମିଟ ବହି ମିଳିବା ସରକାରୀ ରାଜସ୍ୱ ସୁରକ୍ଷାକୁ ମଧ୍ୟ ବିପର୍ଯ୍ୟସ୍ତ କରିଛି । ଏହା ଗୋଟିଏ ପଟେ ବ୍ୟାପକ ଦୁର୍ନିତୀ ସହିତ ରାଜ୍ୟରେ ଚାଲି ଥିବା ହୁଗୁଳା ଶାସନ ବ୍ୟବସ୍ଥାକୁ ପଦାରେ ପକାଇଛି । ଏମିତି ବି ହୋଇଛି ଯେ ଦଲାଲ ଅଭିଜିତ ମହଲକୁ ଏସବୁ କାର୍ଯ୍ୟ ସୁରୁଖୁରରେ କରିବା ପାଇଁ ସରକାରୀ ଭାବେ କୋଭିଡର ସ୍ୱତନ୍ତ୍ର ପରମିଟ ମଧ୍ୟ ଯୋଗାଇ ଦିଆ ଯାଇ ଥିଲା । ଅଭିଜିତ ଏହି ପରମିଟର ହକଦାର ହୋଇ ନଥିବା ବେଳେ ତାକୁ କାହିଁକି ଏହି ପରମିଟ ଦିଆ ଯାଇ ଥିଲା ତାକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଯୋରଦାର କରିଛି ।

ଏଥି ପାଇଁ ମଧ୍ୟ କ୍ରାଇମବ୍ରାଞ୍ଚ ଦଫା ଲଗାଇ ଥିବାର ଜଣା ପଡିଛି । ଆଜି ବେତନଟୀ ଜେଏମଏଫସି କୋର୍ଟରେ ପହଞ୍ଚି କ୍ରାଇମବ୍ରାଞ୍ଚ ଦଳ ମାନ୍ୟବର ଜେଏମଏଫସିଙ୍କ ଗୋଚରାର୍ଥେ ତଦନ୍ତକାରୀ ଅଧିକାରୀ ଡିଏସପି ବିକାଶ ରଞ୍ଜନ ବେହୁରାଙ୍କ ଅର୍ଜି ଦାଖଲ କରି ଥିଲେ । ଏହି ଅର୍ଜିରେ ମୂଳ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରି ଭାରତୀୟ ପିଙ୍ଗଳ କୋର୍ଡ ଦଫା ୧୨୦ (ଖ), ୧୭୦, ୧୯୭, ୪୧୯, ୪୨୦, ୪୬୭ ଓ ୪୬୮ ଯୋଗ କରି ଥିବାର ଜଣାଇଛନ୍ତି । ତଦନ୍ତକାରୀ ଅଧିକାରୀଙ୍କ ଆବେଦନ ମୁତାବକ ଏହି ଦଫା ଗୁଡିକ ସମସ୍ତ ଅଭିଯୁକ୍ତଙ୍କ ପାଇଁ ପ୍ରଯୁଜ୍ୟ ବୋଲି କୁହା ଯାଇଛି । ମୂଳ ମାମଲାଟି ବୈଶିଙ୍ଗା ଥାନା ମାମଲା ନମ୍ବର ୧୫୯/୨୦୨୦, ବେତନଟୀ କୋର୍ଟ ସିଟି ନମ୍ବର ୪୧୫/୨୦୨୦ରେ ବିଚରାଧୀନ ଥିବା ବେଳେ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇ ଥିଲା ।

ଏହି ମାମଲାଟି ଓଡିଶା କ୍ରାଇମବ୍ରାଞ୍ଚରେ ମାମଲା ନମ୍ବର ସିବି/୦୮/୨୦୨୦ ରୁଜୁ ହୋଇ ତଦନ୍ତ ହେଉଛି । ମୂଳ ମାମଲାଟି ଦଫା ୩୪୧, ୨୯୪, ୩୨୩, ୩୭୯, ୩୮୪, ୫୦୬, ୩୪ ଭାରତୀୟ ପିଙ୍ଗଳ କୋର୍ଡ ମୂଳେ ରୁଜୁ ହୋଇ ଥିଲା । ବଡସାହି ଜନୈକ ବ୍ୟକ୍ତିଙ୍କର ଗୋଟିଏ ଡମ୍ଫରକୁ ଛାଡି ଦେବାକୁ ଅଭିଜିତ ମହଲ ଜରିଆର ଏକ ଲକ୍ଷ ଟଙ୍କା ପୂର୍ବତନ ତହସିଲଦାର ଅନିଶା ଦାସ ଦାବି କରି ଥିବାର ଅଡିଓ ମଧ୍ୟ ତଦନ୍ତ ବେଳେ ଅଭିଯୋଗକାରୀ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରି ଥିଲେ । ପୂର୍ବରୁ ଲାଗି ଥିବା ଦଫା ଗୁଡିକରେ ଦଣ୍ଡର ମିଆଦ କମ ଥିଲା କିନ୍ତୁ ଏମେ ଯୋଡା ଯାଇ ଥିବା ଦଫା ଗୁଡିକରେ ଦଣ୍ଡର ମିଆଦ ୧୦ ବର୍ଷ ପର୍ଯ୍ୟନ୍ତ ଥିବାର ଜଣା ପଡିଛି । ପୂର୍ବ ଦଫା ଗୁଡିକ ମୁତାବକ ତଦନ୍ତକାରୀ ଅଧିକାରୀ ୬୦ ଦିନ ମଧ୍ୟରେ ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିବା କଥା କିନ୍ତୁ ନୂତନ ଦଫା ଗୁଡିକ ଯୋଡିବା ପରେ ଏହି ମିଆଦ ୧୨୦ ଦିନକୁ ବୃଦ୍ଧି ପାଇଛି । ଏହି ମାମଲାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତା ବେତନଟୀର ପୂର୍ବତନ ତହସିଲଦାର ଅନିଶା ଦାସ ଅଗ୍ରିମ ଜାମିନ ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଥିଲେ ।

ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତାଙ୍କୁ ଗିରଫ ନକରିବାକୁ ଅକ୍ଟୋବର ୧୨ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ରହିତାଦେଶ ପ୍ରଦାନ କରି ଥିବାର ଜଣା ପଡିଛି । ଆସନ୍ତା ଅକ୍ଟୋବର ୧୨ ତାରିଖରେ ପୁଣି ତହସିଲଦାରଙ୍କ ମାମଲାର ଶୁଣାଣି ହେବ । ସେହିପରି ବିଚାର ବିଭାଗୀୟ ହାଜତରେ ଥିବା ଅଭିଜିତ ମହଲ ଓ ଅନ୍ୟ ଜଣେ ଫେରାର ଅଭିଯୁକ୍ତ ମଧ୍ୟ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ତିନି ଜଣଙ୍କ ଜାମିନକୁ ଓଡିଶା କ୍ରାଇମବ୍ରାଞ୍ଚ ବିରୋଧ କରି ଉଚ୍ଚ ନ୍ୟାୟାଳୟରେ ନିଜର ତଦନ୍ତ ରିପୋର୍ଟ ପ୍ରଦାନ କରି ଥିବାର ଜଣା ପଡିଛି ।

Leave A Reply