ବ୍ରହ୍ମପୁର: ଚୌଦ୍ୱାର ସେଣ୍ଟ୍ରାଲ ଜେଲ୍ ପରେ ବ୍ରହ୍ମପୁର କାରାଗାରରେ ପଶିଲା ମହାମାରୀ ‘କରୋନା’। ଏଠାରେ ୪୩ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ଭିତରେ ୩୩ ଜଣ କଏଦୀ ଓ ୧୦ କର୍ମଚାରୀ ଅଛନ୍ତି। ଏନେଇ ବ୍ରହ୍ମପୁର ଜେଲ୍ ଅଧିକ୍ଷକ କୁଳମଣି ବେହେରା ସୂଚନା ଦେଇଛନ୍ତି । ପଜିଟିଭ୍ ଜଣାପଡ଼ିବା ପରେ ଉପଜିଲ୍ଲାପାଳ ଜେଲ୍ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ସେମାନଙ୍କର ଚିକିତ୍ସା ଜେଲ୍ରେ ନା କୋଭିଡ୍ ହସ୍ପିଟାଲ୍ରେ ହେବ, ତାହା ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ।
ଅନ୍ୟପକ୍ଷରେ ମହାମାରୀ ‘କରୋନା’ରୁ ଆରୋଗ୍ୟ ହୋଇଥିବା ଜିଲ୍ଲାର ୩୧ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିବେ। ପୁଲିସ ପ୍ଲାଜମା ଦେବା ନେଇ ଗଞ୍ଜାମ ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୬୩୬୨ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ଭିତରୁ ୬୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୭୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏବେ ୨୨୧୯ ଜଣ କରୋନା ଆକ୍ରାନ୍ତ ଏବେ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ୫ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି