ବ୍ରହ୍ମପୁର,୩୦ା୮, ନିମଖଣ୍ଡି ଥାନା ପୋଲିସ ଏକ ଲୁଟିଆ ଗ୍ୟାଙ୍ଗକୁ କାବୁ କରିଛି। ଗତ କିଛି ମାସ ମଧ୍ୟରେ ହୋଇଥିବା ସିରିଜ ଚୋରି ଘଟଣାର ପର୍ଦ୍ଦାଫାସ କରିଛି। ଆଜି ଉକ୍ତ ଗ୍ୟାଙ୍ଗର ୩ ପେଷାଦାର ଚୋର ସମେତ ଚୋରି ସାମଗ୍ରୀ ରଖିଥିବା ଅଭିଯୋଗରେ ସୁନାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ପାଟପୁର ଥାନା ପାଟପୁର ରେଡିକା ସାହିର ସନ୍ତୋଷ ସାହୁ(୩୦), ଖଲିଙ୍ଗି ଗ୍ରାମର ଦୀପକ ମହାପାତ୍ର ଓରଫ ଦୀପୁ ଓରଫ ଗୋଷେଇଁ(୨୪), ଟାଉନ ଥାନା ସୋମନାଥ ନଗର ଷଷ୍ଠ ଲାଇନର ସେକ ସଦ୍ଦାମ (୨୨) ଓ ଚୋରି ସୁନା ରଖିଥିବା ଅଭିଯୋଗରେ ବଡବଜାର ଥାନା ଶଙ୍କରପୁର ସାହିର ଏ.ଶ୍ରୀନୁ(୪୬)। ପୋଲିସ ସେମାନଙ୍କ ନିକଟରୁ ୧୬୮ ଗ୍ରାମ ସୁନା ଗହଣା, ୨୦୦ ଗ୍ରାମ ରୂପା ଅଳଙ୍କାର ଓ ନଗଦ ୨ ଲକ୍ଷ ୨ହଜାର ଟଙ୍କା ଓ ଘଟଣା ବେଳେ ବ୍ୟବହୃତ ଏକ ବାଇକ ଜବତ କରିଛି। ଘଟଣା ପରେ ମିଳିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସର ସ୍ୱତନ୍ତ୍ର ଟିମ ପ୍ରଥମେ ସନ୍ତୋଷ ଓ ଦୀପକଙ୍କୁ ଧରିବା ପରେ ସେମାନେ ଉକ୍ତ ଥାନା ଇଲାକାରେ ଲଗାତାର ଭାବେ ତାଲା ବନ୍ଦ ଘରୁ ଚୋରି କରିଥିବା ସ୍ବୀକାର କରିଥିଲେ। ତାଙ୍କ ବୟାନକୁ ଆଧାର କରି ପୋଲିସ ସେକ ସଦ୍ଦାମଙ୍କୁ ଗିରଫ କରିଥିଲା। ଏମାନେ ଚୋରି କରି ବିକ୍ରି କରିଥିବା ସୁନା ଗହଣାକୁ ସୁନାରୀ ଶ୍ରୀନୁଙ୍କୁ ଦେଇଥିବା ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଅନ୍ୟତମ ସୁନାରୀ ପି.ଶିବାଙ୍କ ଘଟଣାରେ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ନିମଖଣ୍ଡି ଥାନା ପରିସରରେ ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠି ଏହି ସୂଚନା ଦେଇଛନ୍ତି। ବିଭିନ୍ନ ଥାନା ଇଲାକାରେ ହେଉଥିବା ଚୋରି ଘଟଣାରେ ଗିରଫ ଚୋର ଗ୍ୟାଙ୍ଗ ସମ୍ପୃକ୍ତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଘଟଣାର ତଦନ୍ତ ଜାରି ରହିଛି। ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ଖୁବଶୀଘ୍ର ଗିରଫ କରାଯିବ ବୋଲି ସେମାନେ କହିଛନ୍ତି। ଶ୍ରୀକ୍ଷେତ୍ର ବିହାରରେ ରହୁଥିବା ଅଜିତ କୁମାର ପାଢ଼ୀ ତାଙ୍କ କକାଙ୍କ ମୃତ୍ୟୁ ପରେ ଭୀଷ୍ମଗିରି ଯାଇଥିଲେ। ଗତ ୨୬ ତାରିଖ ତାଙ୍କ ଗ୍ରୀଲ ଖୋଲାଥିବା ପଡୋଶୀ ଖବର ଦେଇଥିଲେ। ସେ ପହଞ୍ଚତ୍ ପୋଲିସକୁ ଏନେଇ ଜଣାଇଥିଲେ। ତାଙ୍କ ଘରୁ ୧୦୦ ଗ୍ରାମ ସୁନା ଓ ୧୦ ହଜାର ଟଙ୍କା ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ। ପୋଲିସ ଘଟଣା ପରେ ଏକ ଟିମ ଗଠନ କରି ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି। ମାମଲା ନଂ. ୨୨୮/୨୪ରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଅନ୍ୟ ମାମଲାଗୁଡିକରେ ସେମାନେ ସମ୍ପୃକ୍ତି ଥିବାବେଳେ ସେମାନଙ୍କ ବିରୋଧରେ କୋର୍ଟରେ ଏନେଇ ରିମାଣ୍ଡ ରିପୋର୍ଟ ଦାଖଲ କରାଯିବ ବୋଲି ପୋଲିସ କହିଛି। ଉକ୍ତ ସମ୍ମିଳନୀରେ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ପରିଡା ଓ ଥାନାଧିକାରୀ ରେବତୀ ଶବର ଉପସ୍ଥିତ ଥିଲେ।