Odisha news

ହତ୍ୟାକାରୀ ଶଙ୍କରଙ୍କୁ ଆଜୀବନ ଜେଲ

0
ବ୍ରହ୍ମପର, ୫/୯-ଜିଲା ଦୌରା ଜଜ ରୂପଶ୍ରୀ ଚୌଧୁରୀ ଗଣେଶ ସାହୁ ହତ୍ୟା ମାମଲାର ହତ୍ୟାକାରୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ବେହେରାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ଜରିମାନା ବାବଦକୁ ଦୁଇଟି ଦଫାରେ ୨୦ ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି। ଏହି ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ତତ୍କାଳୀନ ଜିଲା ଜଜ ୨୦୧୧ ଅଗଷ୍ଟ ୧୯ ତାରିଖରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେମାନେ ହେଲେ ଗୋଶାଣିନୁଆଗାଁ ନେହରୁନଗର ର ସୀମାଞ୍ଚଳ ବେହେରା(୩୩), ମୁରଲୀ ଓରଫ ହରି ବେହେରା(୩୨), ପୂର୍ଣ ବେହେରା(୩୬) ଓ କାଳିଆ ବେହେରା(୩୧)। ସେହିପରି ଏଯାବତ ଏହି ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ସତୀଶ ଓରଫ ମୌଜ଼ ମିଶ୍ର ଫେରାର ରହିଥିବା କୋର୍ଟ ସୂତ୍ରରୁ ପ୍ରକାଶ। ପ୍ରକାଶ ଥାଉ କି, ୨୦୦୬ ମସିହା ଅକ୍ଟୋବର ୬ ତାରିଖ ରାତ୍ର ସ୍ଥାନୀୟ ରେଳଷ୍ଟେସନ ନିକଟରେ ଗଣେଶ ସାହୁ ନାମକ ଜଣେ ଯୁବକଙ୍କୁ ପୂର୍ବଶତ୍ରୁତାରୁ ଶଙ୍କର ବେହେରା ସମେତ ୬ଜଣ ଯୁବକ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ବୋମା ମାଡ଼ରେ ଗଣେଶ ତଳେ ପଡିଯିବା ପରେ ଉପରୋକ୍ତ ଅପରାଧୀ ମାନେ ଖଣ୍ଡାରେ ଘାତକ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ଏନେଇ ଅଭିଯୋଗ ପରେ ସରକାରୀ ରେଳବାଇ ପୋଲିସ ୨୫/୦୬ ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପରେ ଶଙ୍କର ବେହେରା ସମେତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେମାନେ ଜାମିନ ପାଇଥିଲେ। ୨୦୧୧ ମସିହାରେ ମାମଲାର ରାୟ ପ୍ରକାଶ ବେଳେ ଶଙ୍କର ବେହେରା ବ୍ୟତୀତ ଅନ୍ୟ ୪ଜଣ କୋର୍ଟରେ ହାଜର ହୋଇଥିଲେ। ଫଳରେ କୋର୍ଟ ଶଙ୍କର ବେହେରା ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଥିଲେ। ହତ୍ୟା ମାମଲାରେ ଫେରାର ଥିବା ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ବେହେରା(୩୭)ଙ୍କୁ ଗୋଶାଣିନୁଆଗାଁ ପୋଲିସ ୨୦୨୩ ମଇ ୨୧ ତାରିଖରେ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ବଳରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶଙ୍କର ମଣ୍ଡଳକାରାଗାର(ଜେଲ)ରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲେ। ମାମଲାର ବିଚାରଣା ବେଳେ ୧୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ସାକ୍ଷୀ ମାନଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜିଲା ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ କେଡର ଏପିପି ବିକ୍ରମ କୁମାର କୁଣ୍ଡୁ ମକଦ୍ଦମା ପରିଚାଳନା କରୁଥିଲେ।
Govt
Leave A Reply