ବ୍ରହ୍ମପୁର, ୨୯/୫ : ବନ୍ଧକାମର ଏଗ୍ରିମେଣ୍ଟ୍ କରିବା ପାଇଁ ଲାଞ୍ଚ ନେବେ ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ(ଏମ୍ଆଇ-୧)ର ଦୁଇଜଣ କନିଷ୍ଠ ଯନ୍ତ୍ରୀ(ଜେଇ) ଓ ଜଣେ ଖଲାସି। ଭିଜିଲାନ୍ସ ବିଭାଗ ସେମାନଙ୍କ ନିକଟରୁ ଲାଞ୍ଚ ବାବଦ ୧୦ହଜାର ଟଙ୍କା ଜବତ କରିଛି। ୩ଜଣଙ୍କୁ ଅଟକ ରଖି ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ। ଅଟକ ୩ଜଣ ହେଲେ ବ୍ରହ୍ମପୁର ଇଂଜିନିୟିରଂ ସ୍କୁଲ ରୋଡ଼ରେ ଥିବା ଏମ୍ଆଇ-୧ର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଜେଇ ତଥା ଏଷ୍ଟିମେଟର୍ ଧୀରେନ୍ଦ୍ର କୁମାର ପଣ୍ଡା ଓ ଖଲାସି ଅଜୟ ପାତ୍ର ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବଡ଼ବନ୍ଧର ଉନ୍ନତୀକରଣ ପାଇଁ ଜଣେ ଠିକାଦାର ଏଗ୍ରିମେଣ୍ଟ୍ ନିମେନ୍ତ ଆବେଦନ କରିଥିଲେ। ଏଗ୍ରିମେଣ୍ଟ୍ ଫାଇଲ୍ ପ୍ରୋସେସିଂ ପାଇଁ ଦୁଇଜଣ ଜେଇ ତାଙ୍କୁ ଲାଞ୍ଚ ମାଗିଥିଲେ। ଏ ନେଇ ଠିକାଦର ଜଣକ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଆଜି ସଂଧ୍ୟାରେ ଠିକାଦାର ଲାଞ୍ଚ ବାବଦ ୧୦ହଜାର ଟଙ୍କା ନେଇ ଏମ୍ଆଇ-୧ ଅଫିସ୍କୁ ଯାଇଥିଲେ। ସେଠାରେ ଥିବା ଜେଇ ପାଢ଼ୀ ଲାଞ୍ଚ ଟଙ୍କା ଏଷ୍ଟିମେଟର୍ ପଣ୍ଡାଙ୍କୁ ଦେବା ପାଇଁ କହିଥିଲେ। ଟଙ୍କା ଦେଇ ସାରିବା ପରେ ସେଠାରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ସେହିପରି ଖଲାସି ପାତ୍ର ପୂର୍ବରୁ ଜେଇ ପାଢ଼ୀଙ୍କ କହିବା ଅନୁସାରେ ଅଭିଯୋଗ କରିଥିବା ଠିକାଦାରଙ୍କ ଠାରୁ ଫୋନ୍-ପେ ଜରିଆରେ ୧୪ହଜାର ଟଙ୍କା ଗ୍ରହଣ କରିଥିଲେ। ଏଣୁ ୩ଜଣଙ୍କୁ ଭିଜିଲାନ୍ସ ଟିମ୍ ଉଠାଇ ନେଇଥିଲା।