ବ୍ରହ୍ମପୁର : (ରିପୋର୍ଟ : ସୁଶାନ୍ତ କୁମାର ପଟ୍ଟନାୟକ ) ବିଭିନ୍ନ ଦାବି ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ମଂଗଳବାର ବ୍ରହ୍ମପୁର ଠାରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ନବୀନ ସରକାରଙ୍କ ଗଂଜାମ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଯୋଗୁଁ ୨୨ ବର୍ଷ ଶାସନ ପରେ ମଧ୍ୟ ଜିଲ୍ଲାରେ କୌଣସି ଶିଲ୍ପ, କାରଖାନା ଓ କୃଷିର ବିକାଶ ହୋଇପାରିନି ବୋଲି ଅଭିଯୋଗ କରିଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ। କାମଧନ୍ଦା ଅଭାବରୁ ଜିଲ୍ଲାର ୭ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ନିର୍ମାଣ ଶ୍ରମିକ ଓ କୃଷି ଶ୍ରମିକଙ୍କ ପାଇଁ ପୂର୍ବରୁ ଆଇନଗତ ଅଧିକାର ଦିଆଯାଇଥିଲା ବେଳେ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ତାହା କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଅଭିଯୋଗ କରାଯାଇଛି। କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଶ୍ରମିକଙ୍କୁ ଅନ୍ୟ ରାଜ୍ୟରେ ୧୨ ହଜାର ଟଙ୍କା ଦିଆଯାଇଥିବା ବେଳେ ଓଡିଶା ସରକାର ମାତ୍ର ୧୫୦୦ ଟଙ୍କା ଦେଇଛନ୍ତି। ଏପରିକି ଅନେକ ଶ୍ରମିକ ଏହି ଟକାଂ ପାଇ ନଥିବା ଅଭିଯୋଗ ହୋଇଛି। ଜଳ ସେଚନ ବ୍ଯବସ୍ଥା, ଶୀତଳଭଣ୍ଡାର, ସୁଲଭ ମୂଲ୍ୟରେ ବିହନ ଯୋଗାଇବାରେ ସରକାର ବିଫଳ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମଜଦୁର ସଂଘ। ଏଥି ସହିତ ଆସିକା ସୂତାକଳ ବନ୍ଦ ହୋଇଯିବା ଏବଂ ଚିନି ଶିଲ୍ପ ରୁଗ୍ଣ ଅବସ୍ଥାରେ ଥିବା ନେଇ ଅଭିଯୋଗ ହୋଇଛି। ଗୋପାଳପୁର ବନ୍ଦର ଅଧାପନ୍ତରିଆ ଓ ଇସ୍ପାତ କାରଖାନା ସପ୍ନ ହୋଇ ଯାଇଛି ବୋଲି ମଧ୍ୟ ଅଭିଯୋଗ ହୋଇଛି। ମଦ ମାଫିଆ ଓ ବାଲି ମାଫିଆ ମାନେ ସମାନ୍ତରାଳ ଶାସନ ଚଲାଇଥିବା ବେଳେ ସରକାର ଲୋକଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ବୋଲି ଅଭିଯୋଗ କରି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଏନେଇ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ଶ୍ରମ ଅଧିକାରୀଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଜିଲ୍ଲାରେ ଶ୍ରମିକ, କୃଷି ଓ କୃଷକଙ୍କ ସମସ୍ଯା ସମାଧାନ ନହେଲେ ଆଗକୁ ବିରାଟ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ପୀତବାସ ପଣ୍ଡା, ତ୍ରିନାଥ ବେହେରା, ଭୋକାଳି ସେଠୀ, ଉଦୟ ପାଣିଗ୍ରାହୀ,ରବି ଅଧିକାରୀ,ଜି. ଆରୟା,ଇଜୁ ଖାନ,ଶ୍ରୁତି ପଟ୍ଟନାୟକ, ରଂଜିତା ପାଣିଗ୍ରାହୀ, ଆରତୀ ପଟ୍ଟନାୟକ, ସୌଭାଗ୍ୟ ରାଣୀ ପ୍ରଧାନ, କାମେଶ୍ୱର ପ୍ରଧାନ, ସୁଚିତ୍ରା ଦାସ,ରଞ୍ଜନ ତରେଇ,କୃଷ୍ଣ ମହାପାତ୍ର, ପ୍ରଫୁଲ୍ଲ ଘଡେଇ, କାହ୍ନୁ ସାହୁ, ପ୍ରଶାନ୍ତ ସାହୁ, ମାନସ ପଟ୍ଟନାୟକଙ୍କ ସମେତ ବହୁ ଶ୍ରମିକ ଓ କୃଷକ ଉପସ୍ଥିତ ଥିଲେ।