Odisha news

ବ୍ରହ୍ମପୁର ରେ ଆଞ୍ଚଳିକ କଳିଙ୍ଗ ହର୍ବାଲ୍ ମେଳା ଉଦ୍ଘାଟିତ

0
ବ୍ରହ୍ମପୁର : ( ସୁଶାନ୍ତ କୁମାର ପଟ୍ଟନାୟକ ) ରେଶମ ସହର ବ୍ରହ୍ମପୁରରେ ସୋମବାର ଉଦଘାଟିତ ହୋଇଯାଇଛି ଆଞ୍ଚଳିକ କଳିଙ୍ଗ ହର୍ବାଲ୍ ମେଳା।  ସିଟି ହାଇସ୍କୁଲ ପଡିଆ ଠାରେ ଏହି ମେଳାର ଶୁଭାରମ୍ଭ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଵ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏହାର ଉଦଘାଟନ କରିଛନ୍ତି। ମେଳାର ଅଧ୍ୟକ୍ଷ ତଥା ଜିଲ୍ଲା ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ସଭାପତିତ୍ବରେ ଆୟୁର୍ବେଦ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ। ରାଜ୍ୟ ମୁଖ୍ୟ ଔଷଧିୟ ବୃକ୍ଷ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରେମ କୁମାର ଝା, ଆରସିସିଏଫ ପ୍ରଶାନ୍ତ କୁମାର ମିଶ୍ର, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତାତ୍ରୟ ଭାଉସାହେବ,ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ଵନ୍ଦାର, ଉପଜିଲ୍ଲାପାଳ କୀର୍ତି ଭାସନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲାଇ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମେଳାର ଆଭିମୁଖ୍ୟ ଓ ଏହାର ବହୁମୂଖୀ ଦିଗ ଉପରେ ଅତିଥି ମାନେ ମତ ପ୍ରକାଶ କରିଥିଲେ। ମେଳାରେ ଯୋଗ ଦେଇଥିବା ପରିବେଶ ପ୍ରେମୀ, ଆୟୁର୍ବେଦିକ ଡାକ୍ତର ଓ ବୈଦ୍ଯ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ଅଭିନନ୍ଦନ ଜଣାଇଥିଲେ। ମଣିଷର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଆଧୁନିକ ଜୀବନ ଶୈଳୀ ପ୍ରଭାବରେ କ୍ରମଶଃ ବହୁ ଆହ୍ୱାନର ଶିକାର ହୋଇ ରୋଗ ପ୍ରତିଷେଧକ ଶକ୍ତି କ୍ଷୟ କାରଣରୁ ଦୁଃସାଧ୍ୟ ବ୍ୟାଧି ଜନ୍ମ ନେଉଛି। ଏଣୁ ଆୟୁର୍ବେଦ ଜଡିବୁଟି ଔଷଧ ମାନବ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷା କବଚ ଭାବେ ସାରା ବିଶ୍ୱରେ ଲୋକପ୍ରିୟ ହୋଇ ପାରିଛି ବୋଲି ଅତିଥି ମାନେ ମତ ଦେଇଥିଲେ। ସୋମବାର ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୫ ଦିନ ଧରି ଚାଲିବ। ଏହି ମେଳାରେ ୫୦ ଟି ଷ୍ଟଲ ଲାଗିଥିବା ବେଳେ ବିଭିନ୍ନ ଆୟୁର୍ବେଦ ଜଡିବୁଟି ଗୁଡିକ ସହଜରେ ଉପଲବ୍ଧ ହେଉଛି।
ପ୍ରତି ସଂଧ୍ୟାରେ ବିଭିନ୍ନ ରୋଗ ସଂପର୍କରେ ଆଲୋଚନାଚକ୍ର, ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଦୈନିକ ଆୟୁର୍ବେଦିକ ଡାକ୍ତରଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପ୍ରଦାନ କରାଯାଉଥିବା ନେଇ  ମେଳାର ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
Leave A Reply