Odisha news

ପୂର୍ବତନ ସମିତି ସଭ୍ୟ ତଥା ଶତାୟୁ ବୃଦ୍ଧଙ୍କ ପରଲୋକ

0

ବେଲଗୁଣ୍ଠା,28/12, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଗୋଦାବରୀ ବିଷୋୟୀଙ୍କ ଆଜି 103 ବର୍ଷ ବୟସରେ ନିଜ ବାସ ଭବନରେ ଦିନ 12 ଘଣ୍ଟା 10 ମିନିଟ୍ ସମୟରେ ପରଲୋକ ଘଟିଛି I ସ୍ଵର୍ଗତ ବିଷୋୟୀ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଥିଲେ I ସେ କେବଳ ଜଣେ ରାଜନୀତିଜ୍ଞ  ନୁହେଁ ଜଣେ ସମାଜସେବୀ ଏବଂ ଅଭିଜ୍ଞ କୃଷକ ଭାବରେ ବେଶ୍ ପରିଚିତ ଥିଲେ I ସେ ଗାଙ୍ଗପୁର ଗ୍ରାମ୍ୟ ପରିଚାଳନା କମିଟିର ପୂର୍ବତନ ସଭାପତି ଭାବେ ଦାୟିତ୍ୱ ତୁଲାଇବା ସହିତ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ବିଭିନ୍ନ ପଦ ପଦବୀରେ ରହି ବେଶ୍ ସୁନାମ ଅର୍ଜନ କରିପାରିଥିଲେ I ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବା ସହିତ କଠୋର ପରିଶ୍ରମୀ ମଧ୍ୟ ଥିଲେ I ସେ ଗ୍ରାମର ସମସ୍ତଙ୍କର ପ୍ରିୟ ଗଦେଇ ବାପା ଭାବରେ ପରିଚିତ ଥିଲେ I ଜଣେ ମେଳାପୀ, ପରୋପକାରୀ ବ୍ୟକ୍ତି ଭାବରେ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଚାରି ପୁଅ ଶରତ,ସୁଦର୍ଶନ,ମନୋଜ,ପ୍ରଦୀପ, ଚାରି ବୋହୂ, ନାତି ସୁବ୍ରତ, ସୁଧାଂଶୁ, ବିଶ୍ୱରଞ୍ଜନ,ଚିତ୍ତରଞ୍ଜନ,ସୂର୍ଯ୍ୟ, ଚନ୍ଦ୍ରଙ୍କ ସମେତ ଝିଅ, ଜ୍ୱାଇଁ, ନାତୁଣି ଏବଂ ଅନ୍ୟ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ I ଗୋଦାବରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିଲା I ତାଙ୍କ ଶବାଧାରକୁ ଗ୍ରାମ ପରିକ୍ରମା କରାଯାଇ ବିଷୋୟୀ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା I ତାଙ୍କର ମୃତ୍ୟୁ ଖବର ଶୁଣି ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ ବିଷୋୟୀ, ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ସମସ୍ତ ସମବାୟ ସମିତି ସମ୍ପାଦକ,ଭଞ୍ଜନଗର ଆର୍.ଏମ୍.ସି ସମ୍ପାଦକଙ୍କ ସମେତ ସମସ୍ତ କର୍ମଚାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ବିଷୋୟୀଙ୍କୁ ଶେଷ ଦର୍ଶନ କରି ଗଭୀର ଶୋକ ପ୍ରକାଶ କରିବା ସହିତ ସ୍ଵର୍ଗତ ବିଷୋୟୀଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I

Leave A Reply