Odisha news

ଷୋଡଶ ଅର୍ଥ କମିଶନ ଅଧ୍ୟକ୍ଷଙ୍କୁ ଭେଟିଲା ଭାରତୀୟ ଜନତା ପାର୍ଟି ପ୍ରତିନିଧି ଦଳ : “ବିକଶିତ ଓଡିଶା, ଭିତ୍ତିଭୁମି ଓ ପ୍ରାକୃତିକ ବିପର୍ଯ୍ୟୟ” ମୁଖ୍ୟ ପ୍ରସଙ୍ଗ

0

ଭୁବନେଶ୍ୱର(Suvendra Pattanaik) : ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡିଶା ରାଜ୍ୟରେ ମୁଣ୍ଡ ପିଛା ଆୟ ବୃହତ ରାଜ୍ୟମାନଙ୍କ ଭିତରେ ତଳଆଡୁ ପ୍ରଥମ । ଅସନ୍ତୁଳିତ ବିକାଶର ଏହି ବିରୋଧାଭାଷରୁ ରାଜ୍ୟବାସୀଙ୍କୁ ବାହାର କରିବା ସକାଶେ ଆଜି ବିଜେପିର ଏକ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଥିବା ଷୋଡଶ ଅର୍ଥ କମିଶନଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭାଜ୍ୟ ଟିକସର ରାଜ୍ୟମାନଙ୍କ ଭିତରେ ଭର୍ଟିକାଲ ଆବଂଟନକୁ ୪୧ ରୁ ୫୦ ପ୍ରତିଶତ ବୃଦ୍ଧି କରାଯାଉ । ସେସ ଏବଂ ସରଚାର୍ଜକୁ ଏହି ବିଭାଜ୍ୟ ରାଜସ୍ୱରେ ଅନ୍ତର୍ଭୁକ୍ତ କରାଯାଉ । ବିତ୍ତୀୟ ଶୃଙ୍ଖଳା, ଅନୁସୁଚିତ ଜାତି ଓ ଜନଜାତିଙ୍କ ଜନସଂଖ୍ୟା, ଜଙ୍ଗଲ ପରିସୀମାକୁ ଏହି ଆବଂଟନରେ ଅଧିକ ଗୁରୁତ୍ୱ ଦିଆଯାଉ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଦାନ କରାଯାଉଥିବା ଅର୍ଥକୁ ସର୍ବନିମ୍ନ ୫ ଗୁଣ ବୃଦ୍ଧି କରାଯାଉ । ହେନ୍ତାଳ ବନ ସୃଷ୍ଟି ଭଳି ପଦକ୍ଷେପ ଦ୍ୱାରା ରାଜ୍ୟର ଉପକୁଳ ଅଂଚଳକୁ ସୁରକ୍ଷା ଦିଆଯାଉ । ପ୍ରାକୃତିକ ଦୁର୍ବିପାକରେ ବିଧ୍ୱସ୍ତ ଭିତ୍ତିଭୁମିର ବାସ୍ତବିକ କ୍ଷୟକ୍ଷତିକୁ ରାଜ୍ୟ ବା କେନ୍ଦ୍ର ବିପର୍ଯ୍ୟୟ ପରିଚାଳନା ପାଂଠିରୁ ଭରଣା କରାଯାଉ । ଏହି ଭରଣା ପ୍ରଚଳିତ କେନ୍ଦ୍ର:ରାଜ୍ୟ, ୭୫:୨୫ ଅନୁପାତ ପରିବର୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ଶତ ପ୍ରତିଶତ ବହନ କରାଯାଉ । ଭୁମିତଳେ ବିଜୁଳି ତାର ବିଛାଯାଇ ବାତ୍ୟା ପ୍ରତିରୋଧକ ଶକ୍ତି ଭିତ୍ତିଭୁମିକୁ ସୁଦୃଢ କରାଯାଉ । କେନ୍ଦ୍ରୀୟ ବିଭାଜ୍ୟ ରାଜସ୍ୱରୁ ଓଡିଶାର ଅଂଶ ଭାଗକୁ ୪.୫ ପ୍ରତିଶତରୁ ୫.୧ ପ୍ରତିଶତକୁ ବୃଦ୍ଧି କରାଯାଉ । ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ । ଜଳସେଚନ, ଉତ୍ପାଦନଶୀଳତା ଏବଂ ପାଣିପାଗ ପ୍ରତିଷେଧକ କୃଷି ପାଇଁ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା କରାଯାଉ । ପିଭିଟିଜି ବର୍ଗର ସାମାଜିକ ଓ ଅର୍ଥନୈତିକ ଉତ୍ଥାନ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉ । ଦକ୍ଷତା ବିକାଶ ଓ ଧନ୍ଦାମୁଳକ ଶିକ୍ଷା ନିମନ୍ତେ ଅନୁଦାନ ରାଶିକୁ ବୃଦ୍ଧି କରାଯାଉ । ଶିକ୍ଷା ଓ ସ୍ୱାସ୍ଥ୍ୟର ଭିତ୍ତିଭୁମି ବିକାଶ ପାଇଁ ଯଥାକ୍ରମେ ୩୫ ହଜାର ଓ ୨୫ ହଜାର କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରାଯାଉ । ନିର୍ଦ୍ଧିଷ୍ଟ ଶିଳ୍ପ ଓ ଶିଳ୍ପାୟନ ଭିତ୍ତିଭୁମିର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ଦିଆଯାଉ ବୋଲି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ପ୍ରକାଶ ଥାଉକି, ପଂଚଦଶ ଅର୍ଥ କମିଶନ ନିକଟରେ ତତ୍କାଳୀନ ବିଜେଡି ସରକାର ୮.୨ ଲକ୍ଷ କୋଟି ଟଙ୍କା ଦାବୀ କରିଥିବାବେଳେ ବର୍ତମାନ ଷୋଡଶ ଅର୍ଥ କମିଶନ ନିକଟରେ ରାଜ୍ୟ ବିଜେପି ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା ଦାବୀ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି, ବୁଦ୍ଧିଜୀବି ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସୁଦର୍ଶନ ନାୟକ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଡ.ତପନ ଚାନ୍ଦ, ଜଗଦୀଶ ମହାନ୍ତି, ଡ.ପ୍ରିତିଶ ସାହୁ ପ୍ରମୁଖ ସାମିଲ ଥିଲେ ।

Leave A Reply