ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଷେତ୍ରକୁ ଅଗ୍ରାଧିକାର ପ୍ରଦାନ କରୁଛନ୍ତି । ଆଗାମୀ ଦିନରେ ମଧ୍ୟ ଏହା ଉପରେ ସରକାରଙ୍କ ଗୁରୁତ୍ୱ ବଜାୟ ରହିବ । ଏହି କ୍ଷେତ୍ର ଲାଗି ବିଭିନ୍ନ ପ୍ରକାର ସୁବିଧାସୁଯୋଗ ରହିଛି ଯାହାକୁ ନିବେଶକମାନେ ହାସଲ କରିପାରିବେ ବୋଲି ଇପିକଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କଲ୍ୟାଣ ମହାନ୍ତି କହିଛନ୍ତି । ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍) ପକ୍ଷରୁ ଜନତା ମଇଦାନଠାରେ ଆୟୋଜନ କରାଯାଇଥିବା ତିନିଦିନିଆ ଗ୍ଲୋବାଲ୍ ଟ୍ରେଡ୍ ସୋ’ ‘ରିସର୍ଜେଂଟ୍ ଓଡ଼ିଶା ୨୦୨୪’ର ଦ୍ୱିତୀୟ ଦିନରେ ପ୍ରତିରକ୍ଷା କ୍ଷେତ୍ରରେ ରହିଥିବା ସୁଯୋଗ ଉପରେ ଆଲୋଚନା କରିବା ଅବସରରେ ଶ୍ରୀ ମହାନ୍ତି ଏହି ସୂଚନା ଦେଇଛନ୍ତି । ଏହି ପ୍ୟାନେଲ୍ ଆଲୋଚନାରେ ଏରୋସ୍ପେସର ସିଇଓ ଗୁରୁ ବିଶ୍ୱାଳ, ହାଲ୍ (କୋରାପୁଟ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଧାଂଶୁ ମୋହନ ଜେନା, ଇନଫାଂଟ୍ରିର ପୂର୍ବତନ ଡିଜି ଲେଫଟନାଂଟ ଜେନେରାଲ ଏ କେ ସାମନ୍ତରା ଓ କରୋଜନ ପ୍ରୋଟେକ୍ସନର ଜ୍ଞାନ ରଞ୍ଜନ ମହାନ୍ତି ଯୋଗ ଦେଇଥିଲେ । ରାଜ୍ୟରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବା ଲାଗି ରହିଥିବା ସୁଯୋଗ ଓ ଆହ୍ୱାନ ଉପରେ ସେମାନେ ଆଲୋକପାତ କରିଥିଲେ । ବିଶେଷ କରି ଯେଉଁ ଷ୍ଟାର୍ଟଅପଗୁଡ଼ିକ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନେ ପ୍ରତିରକ୍ଷା ବିଭାଗ ଯେଉଁ ଗୁଣାତ୍ମକ ମାନ ଚାହୁଁଛି ତାହା ନିହାତି ଜାଣିବା ଦରକାର ବୋଲି କହିଥିଲେ । ଉଦୀୟମାନ ଉଦ୍ୟୋଗୀଙ୍କୁ ଶିଳ୍ପ ପରିଭ୍ରମଣରେ ନେବାର ଆବଶ୍ୟକତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ୟୁସିସିଆଇଏଲର ବ୍ରିଗେଡିୟର ଏଲ ସି ପଟ୍ଟନାୟକ ସଂଯୋଜକ ଭାବେ ଏହି ଅଧିବେଶନର ପରିଚାଳନା କରିଥିଲେ ।
ଓଡ଼ିଶାରେ ଲଜିଷ୍ଟିକ୍ସ ଓ ପରିବହନ ଭିତିଭୂମି ସମ୍ପର୍କିତ ଆଲୋଚନା ଚକ୍ରରେ ବିକଳ୍ପ ପରିବହନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ବାତ୍ୟା ପ୍ରବଣ ଓଡ଼ିଶାରେ ରିଲିଫ୍ ଓ ମେଡିକାଲ୍ ସାମଗ୍ରୀ ଲୋକମାନଙ୍କ ପାଖରେ ପହଂଚାଇବା ଲାଗି ଛୋଟ ଛୋଟ ହେଲିପ୍ୟାଡ୍ ନିର୍ମାଣ କରିବାର ଆବଶ୍ୟକତା ରହିଥିବା ଉପରେ ବକ୍ତାମାନେ ଜୋର ଦେଇଥିଲେ । ଏଥି ସହିତ ସେମାନେ କହିଥିଲେ ଯେ ପ୍ରଯୁକ୍ତିରେ ହେଉଥିବା ଉନ୍ନତି କାରଣରୁ ପରିବହନ ବ୍ୟବସ୍ଥାରେ ଦ୍ରୁତ ଗତିରେ ପରିବର୍ତନ ହେଉଛି । ବିଶେଷ କରି ଡ୍ରୋନ, ଇଲେକ୍ଟ୍ରିକ କ୍ୟାପ୍ଟର ଆଦି ବିକାଶ ହେବା ପରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅସୀମ ସମ୍ଭାବନା ସୃଷ୍ଟି ହୋଇଛି । ୟୁସିସିଆଇଏଲର ଜେ କେ ରଥ ଏହି ଅଧିବେଶନର ସଂଯୋଜନା କରିଥିଲେ । ବକ୍ତା ଭାବେ ଆଦାନି ପୋର୍ଟସ୍ ଆଣ୍ଡ ଏସ୍ଇଜେଡର ଗ୍ରୁପ ଆଡଭାଇଜର ସୁବ୍ରତ ତ୍ରିପାଠୀ, ଆଇଆଇଟି ଖଡ଼ଗପୁରର ପୂର୍ବତନ ପ୍ରଫେସର ସୁରେଶ ମିଶ୍ର, ହଂଚ ମୋବିଲିଟି (ଆଭିଏସନ)ର ଏମଡି ଅମିତ ଦତା ଯୋଗ ଦେଇ ଲଜିଷ୍ଟିକ୍ସ ଓ ପରିବହନ ଭିତିଭୂମିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ତୃତୀୟ ପ୍ୟାନେଲ ଆଲୋଚନାରେ ବକ୍ତାମାନେ ନୂଆ ପିଢ଼ିର ଶିଳ୍ପ ଓ ରପ୍ତାନି ସମ୍ଭାବନା ଉପରେ ଆଲୋଚନା କରିଥିଲେ । ୟୁସିସିଆଇଏଲର ଏସ ଏସ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ବକ୍ତାମାନେ ଇଲେକ୍ଟ୍ରିକ ଯାନ (ଇଭି), ସେମିକଣ୍ଡକ୍ଟର, ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଆଦି କ୍ଷେତ୍ରରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ଏହି ସବୁ କ୍ଷେତ୍ରରେ ଯୋଗାଣ ଶୃଙ୍ଖଳାଠାରୁ ଆରମ୍ଭ କରି ଭେଣ୍ଡର ବିକାଶ ପର୍ଯ୍ୟନ୍ତ ବହୁ କ୍ଷେତ୍ରରେ ଶିଳ୍ପ ସ୍ଥାପନ କରିବାର ସୁଯୋଗ ରହିଛି ବୋଲି ବକ୍ତାମାନେ କହିଥିଲେ । ଓଡ଼ିଶାରେ ଦକ୍ଷ ମାନବ ସମ୍ବଳର ଅଭାବ ନଥିବା ସେମାନେ କହିଥିଲେ । ଆଇଟି, ସଫ୍ଟୱେର, ମେଡିକାଲ ଡିଭାଇସ ଆଦିରେ ରପ୍ତାନିରେ ବ୍ୟାପକ ସୁଯୋଗ ରହିଛି ବୋଲି କୁହାଯାଇଥିଲା । ଏଥିରେ ବକ୍ତା ଭାବେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀପଦ କର୍ମାକର, ପିଡବ୍ଲୁସି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁଜୟ ସେଟ୍ଟି, ଡନ ଆଣ୍ଡ ବ୍ରାଡସିଟର ଉପ ମୁଖ୍ୟ ସୌରଭ କିଶୋର ବକ୍ତା ଭାବେ ଯୋଗ ଦେଇଥିଲେ ।
ଏହା ପରେ ଡିଜିଟାଇଜେସନ ଓ ଏଆଇ ଫୋକସ ଏମଏସଏମଇ ସହ ସହଜରେ ବ୍ୟବସାୟ କରିବା ଉପରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ଏମ୍ଏସଏମଇର ଯୁଗ୍ମ ନିର୍ଦ୍ଦେଶକ ଡିଏଫଓ ପି କେ ଗୁପ୍ତା, ପିଡବ୍ଲୁସି (ଇଏସଡିଏମ) ନିର୍ଦ୍ଦେଶକ ରମେଶ କୁମାର, ଡନ ଆଣ୍ଡ ବ୍ରାଡସିଟର ସେଲ୍ସ ନିର୍ଦ୍ଦେଶକ ଅଜୟ ମହସୁର଼ ଓ ଏସାର ମିନମେଟର