Odisha news

ଓଡ଼ିଶାବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ଅକ୍ଷମ ଥିଲା ବିଜେଡି ସରକାର : ସତ୍ୟବ୍ରତ ପଣ୍ଡା

0

 ଜଳ ଜୀବନ ମିଶନରେ ପୂର୍ବ ସରକାରଙ୍କ ଦୁର୍ବଳ କାର୍ଯ୍ୟାନ୍ୱୟନକୁ ପଦାରେ ପକାଇଲା ସିଏଜି ରିପୋର୍ଟ
 ୨୦୧୯-୨୪ରେ ନିଆଯାଇଥିବା ୨୦୭ ମେଗା ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ଜୁନ୍ ୨୦୨୪ ସୁଦ୍ଧା ମାତ୍ର ୨ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା
 ଗାଁର ଜଳ ଯୋଜନା ନାହିଁ, ଗାଁର ଜଳ କମିଟି ନାହିଁ, ଜିଲ୍ଲାସ୍ତରୀୟ ତଦାରଖ ବୈଠକ ମଧ୍ୟ ନିୟମିତ ହୋଇ ନ ଥିବାବେଳେ ଯୋଜନାକୁ ତୃଣମୂଳସ୍ତରରେ କିପରି କାର୍ଯ୍ୟକାରୀ କରାଯାଉଥିଲା?
ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୨୦୧୯ରେ ଜଳ ଜୀବନ ମିଶନ ଆରମ୍ଭ କରିଥିଲେ । ୨୦୨୪ ସୁଦ୍ଧା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ନଳ ଯୋଗେ ପର୍ଯ୍ୟାପ୍ତ ଓ ନିରାପଦ ପାନୀୟଜଳ ପହଁଚାଇବା ଏହାର ଲକ୍ଷ୍ୟ ଥିଲା । କିନ୍ତୁ ଅଗଷ୍ଟ ୨୦୧୯ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାରେ ଏହାର କାର୍ଯ୍ୟାନ୍ୱୟନ ସମ୍ପର୍କିତ ମହାଲେଖା ନିୟନ୍ତ୍ରକ (ସିଏଜି) ରିପୋର୍ଟ ପୂର୍ବ ସରକାରଙ୍କ ଯୋଜନା, ତଦାରଖ ଓ କାର୍ଯ୍ୟ ସମ୍ପାଦନ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ଓଡ଼ିଶାବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ଅକ୍ଷମ ଥିଲା ବିଜେଡି ସରକାର ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଥିବାର ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟର ୮୮.୬୮ ଲକ୍ଷ ଗ୍ରାମୀଣ ପରିବାର ମଧ୍ୟରୁ ମାର୍ଚ୍ଚ ୨୦୨୪ ସୁଦ୍ଧା ୬୪.୭୧ ଲକ୍ଷ ପରିବାରକୁ ନଳ ଯୋଗେ ପାନୀୟ ଜଳ ମିଳିଥିବା ଦାବି କରାଗଲା । ଓଡ଼ିଶାରୁ ପ୍ରାୟ ୩୧ ପ୍ରତିଶତ ପରିବାର ଏହି ଯୋଜନାରୁ ବାଦ୍ ପଡିଥିଲେ । ଭାରତ ପାଇଁ ଏହି ପରିମାଣ ହେଉଛି ୨୪ ପ୍ରତିଶତ । ୨୦୧୯-୨୪ରେ ନିଆଯାଇଥିବା ୨୦୭ ମେଗା ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ଜୁନ୍ ୨୦୨୪ ସୁଦ୍ଧା ମାତ୍ର ୨ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା । ଏହି ସଂଖ୍ୟାଗୁଡ଼ିକ କେବଳ ପ୍ରକଳ୍ପର ବିଳମ୍ବ ନୁହେଁ ବରଂ ସେତେବେଳର ପ୍ରକଳ୍ପ ପରିଚାଳନା ଓ ତଦାରଖ ବ୍ୟବସ୍ଥାର ଉତରଦାୟିତ୍ୱ ନିର୍ଣ୍ଣୟର ଆବଶ୍ୟକତାକୁ ସାମନାକୁ ଆଣିଛି ।
ସିଏଜିଙ୍କ ଅନୁଧ୍ୟାନରେ ୫ଟି ଜିଲ୍ଲାର ୮,୮୦୦ ଗାଁ ମଧ୍ୟରୁ ୧,୨୩୭ଟିରେ ଗ୍ରାମ୍ୟ କାର୍ଯ୍ୟକ୍ରମ ଯୋଜନା ଏବଂ ୧,୨୩୦ଟିରେ ଗ୍ରାମ୍ୟ ଜଳ ଏବଂ ପରିମଳ କମିଟି ନ ଥିଲା । ଜିଲ୍ଲା ଜଳ ଏବଂ ପରିମଳ ମିଶନର ୨୫୫ଟି ଆବଶ୍ୟକ ବୈଠକ ବଦଳରେ ମାତ୍ର ୩୩ଟି, ଅର୍ଥାତ୍ ପ୍ରାୟ ୧୩ ପ୍ରତିଶତ ବୈଠକ ହୋଇଥିଲା । “ଗାଁର ଜଳ ଯୋଜନା ନାହିଁ, ଗାଁର ଜଳ କମିଟି ନାହିଁ” ଜିଲ୍ଲାସ୍ତରୀୟ ତଦାରଖ ବୈଠକ ମଧ୍ୟ ନିୟମିତ ହୋଇ ନଥିବାବେଳେ ଯୋଜନାକୁ ତୃଣମୂଳ ସ୍ତରରେ କିପରି କାର୍ଯ୍ୟକାରୀ କରାଯାଉଥିଲା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ପାନୀୟଜଳର ଗୁଣବତା ସମ୍ପର୍କିତ ସିଏଜିଙ୍କ ତଥ୍ୟ ମଧ୍ୟ ଚିନ୍ତାଜନକ । ପରୀକ୍ଷାଗାରରେ ୭୭ଟି ଜଳର ଗୁଣାତ୍ମକମାନ ମଧ୍ୟରୁ ୨୬ଟି “ନ୍ୟାଶନାଲ ଆକ୍ରିଡିଏସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ ଲାବୋରଟୋରୀ”ର ସ୍ୱୀକୃତି, ୧୭ଟି ଚିହ୍ନଟ ଏବଂ ୩୪ଟିର ଉଭୟ ସ୍ୱୀକୃତି ବା ଚିହ୍ନଟ ନ ଥିଲା । ସିଏଜି ମାନବ ସମ୍ବଳ ଅଭାବ, ସ୍ୱଳ୍ପ ତାଲିମ ଓ ଅଚଳ ଯନ୍ତ୍ରପାତିର କଥା ମଧ୍ୟ ଉଲ୍ଲେଖ କରିଛି । ଜଳର ଗୁଣାତ୍ମକମାନ ପରିଚାଳନା ଏବଂ ନିରୀକ୍ଷଣରେ ବ୍ୟୟ ଥିଲା ମାତ୍ର ୦.୩୮ ପ୍ରତିଶତ, ଯାହାକି ୨ ପ୍ରତିଶତ ହେବା କଥା । ଏହି ପ୍ରସଙ୍ଗରେ ଅର୍ଥନୀତି ପାଇଁ ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମରଙ୍କ ଗବେଷଣା ବିଶେଷ ପ୍ରାସଙ୍ଗିକ ବହନ କରେ । କ୍ରେମର ଓ ସହ-ଗବେଷକଙ୍କ ଅନୁସାରେ ପାନୀୟଜଳ ବିଶୁଦ୍ଧିକରଣ ଦ୍ୱାରା ପାଂଚବର୍ଷରୁ କମ୍ ଶିଶୁମୃତୁ୍ୟ ହାର ପ୍ରାୟ ଏକ ଚତୁର୍ଥାଂଶ କମିପାରେ । ଉଲ୍ଲେଖଯୋଗ୍ୟ ଯେ, ଓଡ଼ିିଶାରେ ପାଂଚ ବର୍ଷରୁ କମ୍ ବୟସ ଶିଶୁ ମୃତୁ୍ୟହାର ହଜାରରେ ୩୭ ଏବଂ ଏହା ଭାରତର ଚତୁର୍ଥ ସର୍ବାଧିକ । ଜଳ ଜୀବନ ମିଶନ ଯଦି ଶୁଦ୍ଧ ଜଳଯୋଗାଣର ଲକ୍ଷ୍ୟ ସଫଳତାର ସହ ହାସଲ କରେ, ବର୍ଷକୁ ପ୍ରାୟ ୧.୩୬ ଲକ୍ଷ ପାଂଚବର୍ଷ ବୟସରୁ କମ୍ ଶିଶୁଙ୍କ ମୃତୁ୍ୟ ଏଡ଼ାଇ ଦିଆଯାଇପାରିବ ବୋଲି ସେମାନେ ଆକଳନ କରିଥିଲେ । “ସିଏଜି”ର ତଥ୍ୟ ପୂର୍ବ ସରକାରଙ୍କ ୨୦୧୯-୨୪ କାର୍ଯ୍ୟାନ୍ୱୟନ ସମୟ ସମ୍ପର୍କରେ ଯେଉଁ ପ୍ରଶ୍ନ ଉଠାଇଛି, ସେଗୁଡ଼ିକର ତଥ୍ୟଭିତିକ ଉତର ଜନସାଧାରଣଙ୍କ ସାମ୍ନାକୁ ଆସିବା ଦରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଅନ୍ୟତମ ମୁଖପାତ୍ର ଶ୍ରୀ ତେଜେଶ୍ୱର ପରିଡା ଉପସ୍ଥିତ ଥିଲେ ।

Nalco
Leave A Reply