Odisha news

ଦେବ୍ରିଗଡ଼ର ପ୍ରାକୃତିକ ଓ ଐତିହାସିକ ସମ୍ପଦ ଦେଶରେ ସ୍ୱତନ୍ତ୍ର ପରିଚୟ ତିଆରି କରିଛି – ଧର୍ମେନ୍ଦ୍ର ପ୍ରଧାନ

0

‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଶଂସିତ ମୈଥିଲୀ ଭୁଏଙ୍କୁ ଘରକୁ ଯାଇ ସାକ୍ଷାତ୍ କଲେ
‘ଧୋଡ଼୍ରୋକୁସୁମ୍’ ଗ୍ରାମକୁ ଯାଇ ସେଠାକାର ପ୍ରକୃତି ହୋମ-ଷ୍ଟେ ବୁଲି ଦେଖିବା ସହ ମା’ଭଉଣୀଙ୍କ କାର୍ଯ୍ୟକୁ କଲେ ପ୍ରଶଂସା
ଦେବ୍ରିଗଡ଼ ଅଭୟାରଣ୍ୟର ଶାନ୍ତ, ସୁନ୍ଦର ଓ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ କିଛି ସମୟ ଅତିବାହିତ କରିବାର ଅନୁଭୂତି ଅନନ୍ୟ
ଇକୋ-ଟୁରିଜମ୍‌ର ସୁବ୍ୟବସ୍ଥାକୁ ନେଇ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଥିବା ଉତ୍ସାହ ଓ ପ୍ରଶଂସା ଆନନ୍ଦଦାୟକ
ଦେବ୍ରିଗଡ଼, ସେପ୍ଟେମ୍ବର ୦୬,୨୦୨୬ – ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଗସ୍ତ ଅବସରରେ ପ୍ରସିଦ୍ଧ ‘ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ’ ପରିଦର୍ଶନ କରିବା ସହ ଏଠାକୁ ଆସିଥିବା ଦେଶ-ବିଦେଶର ପର୍ଯ୍ୟଟକମାନଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଶଂସିତ ଦେବ୍ରିଗଡ଼ର ‘ଧୋଡ଼୍ରୋକୁସୁମ୍’ ଗ୍ରାମକୁ ଯାଇ ସେଠାକାର ପ୍ରକୃତି ହୋମ-ଷ୍ଟେ ବୁଲି ଦେଖିବା ସହ ସ୍ଥାନୀୟ ମୈଥିଲୀ ଭୁଏଙ୍କୁ ସାକ୍ଷାତ୍ କରି ଆଲୋଚନା କରିଥିଲେ।  
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେବ୍ରିଗଡ଼ ଅଭୟାରଣ୍ୟର ଶାନ୍ତ, ସୁନ୍ଦର ଓ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ କିଛି ସମୟ ଅତିବାହିତ କରିବାର ଅନୁଭୂତି ଅତ୍ୟନ୍ତ ଅନନ୍ୟ। ଓଡ଼ିଶାର ଏହି ଅସୀମ ପ୍ରାକୃତିକ ସୌନ୍ଦର୍ଯ୍ୟ, ବନ୍ୟପ୍ରାଣୀ ସମ୍ପଦ ଏବଂ ଇକୋ-ଟୁରିଜମ୍‌ର ସୁବ୍ୟବସ୍ଥାକୁ ନେଇ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଥିବା ଉତ୍ସାହ ଓ ପ୍ରଶଂସା ଆନନ୍ଦଦାୟକ । ପର୍ଯ୍ୟଟନର ଅପାର ସମ୍ଭାବନା ରଖୁଥିବା ଏହି ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ‘ସ୍ୱଦେଶ ଦର୍ଶନ’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏଠାରେ ପ୍ରାଚୀନ ଯୁଗର ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ଉପକରଣ ଓ କଳାକୃତିଗୁଡ଼ିକ ଏହାର ସାଂସ୍କୃତିକ ଗୁରୁତ୍ୱକୁ ଦ୍ୱିଗୁଣିତ କରୁଛି। ଏହିଭଳି ଅମୂଲ୍ୟ ପ୍ରାକୃତିକ ଓ ଐତିହାସିକ ସମ୍ପଦ ଆଜି ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ‘ଧୋଡ଼୍ରୋକୁସୁମ୍’ ଭଳି ମାଟିଘର ନିର୍ମିତ ଅଭିନବ ପ୍ରକୃତି ହୋମ-ଷ୍ଟେ ପରିକଳ୍ପନା ରାଜସ୍ୱ ବୃଦ୍ଧି ସମେତ ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିଦେଇଛି। ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଜଙ୍ଗଲ ଉପରେ ନିର୍ଭର କରୁଥିବା ସ୍ଥାନୀୟ ମାଆ-ଭଉଣୀମାନେ ଆଜି ‘ଦେବ୍ରିଗଡ଼ ଇକୋ-ଟୁରିଜମ୍’ ସହ ଯୋଡ଼ିହୋଇ ପରିବେଶ ସୁରକ୍ଷା କରିବା ସହ ନିଜର ଜୀବିକା ଅର୍ଜନ କରୁଛନ୍ତି, ଯାହା ସମଗ୍ର ସମାଜ ପାଇଁ ପ୍ରେରଣାଦାୟୀ ।
ବନ୍ୟପ୍ରାଣୀ ସଂରକ୍ଷଣ, ଗ୍ରାମାଞ୍ଚଳର ବିକାଶ ଓ ସ୍ଥାନୀୟ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ଏହି ଗ୍ରାମବାସୀଙ୍କ ପ୍ରଶଂସନୀୟ ଉଦ୍ୟମକୁ ‘ମନ୍ କୀ ବାତ୍’ ମାଧ୍ୟମରେ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ସେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଗଭୀର ଧନ୍ୟବାଦ ଜଣାଇଛନ୍ତି । ପରିବେଶ ସୁରକ୍ଷା ସହିତ ଇକୋ-ଟୁରିଜମ୍‌ର ସମ୍ପ୍ରସାରଣ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ରୋଜଗାରର ନୂଆ ବାଟ ଖୋଲିବା ସହ ଜଙ୍ଗଲ ସୁରକ୍ଷା ଓ ନାରୀ ସଶକ୍ତିକରଣର ଏହି ଅନନ୍ୟ ପ୍ରୟାସ ନୂତନ ଓଡ଼ିଶାର ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳତାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ସାଂସଦ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Nalco
Leave A Reply