ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ଭୂମିପୂଜନ ଓ ଅସ୍ଥାୟୀ ଭବନ ଉଦ୍ଘାଟିତ , ଶିକ୍ଷା ହିଁ ପ୍ରଗତିର ଅସଲ ଚାବିକାଠି – ଧର୍ମେନ୍ଦ୍ର ପ୍ରଧାନ
• ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଓ ରେଢାଖୋଲ ବିଧାୟକ ଉପସ୍ଥିତ
• କେନ୍ଦ୍ରୀୟ ବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା, ଅନୁଶାସନ, ଜାତୀୟତାବୋଧ ଏବଂ ସାମଗ୍ରିକ ବିକାଶର ପ୍ରମୁଖ କେନ୍ଦ୍ରବିନ୍ଦୁ
• ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ଆମର ଲକ୍ଷ୍ୟ
• ସବୁ ଗାଁକୁ ପକ୍କା ରାସ୍ତା ଓ ମୋବାଇଲ ନେଟୱର୍କ ଯୋଗାଇବାକୁ ପ୍ରାଥମିକତା
• ସ୍ଥାନୀୟ କୃଷିଜାତ ଦ୍ରବ୍ୟକୁ ବିଦେଶକୁ ରପ୍ତାନି କରିବା ପାଇଁ ଯୋଜନା କରିବା
• ରାଜନୈତିକ ବିଚାର ଭିନ୍ନ ହୋଇପାରେ, କିନ୍ତୁ ଲୋକଙ୍କ କଲ୍ୟାଣ ଓ ସେବା ଆମ ପାଇଁ ସର୍ବୋପରି
ସମ୍ବଲପୁର/ରେଢ଼ାଖୋଲ, ୮ ଅଗଷ୍ଟ, ୨୦୨୬ : ଯେଉଁ ଅଞ୍ଚଳରେ ଶିକ୍ଷାର ମୂଳଦୁଆ ମଜବୁତ୍ ଥାଏ, ସେହି ଅଞ୍ଚଳର ପ୍ରଗତିକୁ କେହି ରୋକିପାରିବେ ନାହିଁ ବୋଲି ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବା ସହ ଅସ୍ଥାୟୀ ଭବନର ଶୁଭ ଉଦ୍ଘାଟନ କରିବା ଅବସରରେ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶ୍ରାବଣର ଏହି ପବିତ୍ର ମାସରେ ରେଢ଼ାଖୋଲରେ ଶିକ୍ଷାର ଏଭଳି ଏକ ସ୍ଥାୟୀ ଭିତ୍ତିଭୂମିର ଶୁଭାରମ୍ଭ ହେବା ସମଗ୍ର ଅଞ୍ଚଳ ପାଇଁ ଶୁଭ ସଙ୍କେତ । ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ଇଚ୍ଛାଶକ୍ତି ଯୋଗୁଁ ଅନେକ ବର୍ଷ ପରେ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଗଢାଯିବାର ସ୍ୱପ୍ନ ପୂରଣ ହୋଇପାରିଛି । ଏହା ଦ୍ୱାରା ଆଗାମୀ ଦିନରେ ଅନେକ ଛାତ୍ରଛାତ୍ରୀ ଉପକୃତ ହେବେ । ଏହି ବିଦ୍ୟାଳୟ ଆରମ୍ଭ ହେବା ଦ୍ୱାରା ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ପାଠପଢ଼ା ପାଇବା ସହ ଆଧୁନିକ ଦୁନିଆ ସହ ସହଜରେ ଯୋଡ଼ିହୋଇପାରିବେ ।
ସେ ଆହୁରି କହିଛନ୍ତି ଯେ କେନ୍ଦ୍ରୀୟ ବିଦ୍ୟାଳୟ କେବଳ ଗୋଟିଏ ସ୍କୁଲ ନୁହେଁ, ବରଂ ଏହା ଗୁଣାତ୍ମକ ଶିକ୍ଷା, ଶୃଙ୍ଖଳା, ଜାତୀୟତାବୋଧ ଏବଂ ସାମଗ୍ରିକ ବିକାଶର ପ୍ରମୁଖ କେନ୍ଦ୍ରବିନ୍ଦୁ। ଜାତୀୟ ଶିକ୍ଷା ନୀତିର ଦୂରଦୃଷ୍ଟି ଅନୁସାରେ ପିଲାମାନଙ୍କୁ ବହୁମୁଖୀ ବା ମଲଟି-ଡିସିପ୍ଲିନାରୀ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କୁ ଆଗାମୀ ଦିନରେ ରୋଜଗାରକ୍ଷମ ଓ ଆତ୍ମନିର୍ଭରଶୀଳ କରି ଗଢ଼ିତୋଳିବା ଆମର ମୂଳ ଲକ୍ଷ୍ୟ।
ରେଢ଼ାଖୋଲରେ ବିକାଶର ଅନେକ ସମ୍ଭାବନା ରହିଛି ବୋଲି ପ୍ରକାଶ କରିବା ସହ ସେ କହିଛନ୍ତି କେରାଣ୍ଡି ସେତୁ ନିର୍ମାଣ ପାଇଁ ସରକାରଙ୍କ ଦ୍ୱାରା ୨୨ କୋଟି ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ରେଢ଼ାଖୋଲ ସବ୍ଡିଭିଜନର ସବୁ ଗାଁ ଓ ଅଞ୍ଚଳଳକୁ ବାରମାସିଆ ପକ୍କା ରାସ୍ତା ସହ ମୋବାଇଲ ନେଟୱର୍କ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯାଉଛି । ଜଳସେଚନ ବ୍ୟବସ୍ଥାର ସୁଧାର ସହ ଏଠାକାର ପନିପରିବା, ଫଳ ଓ ଫୁଲ ଚାଷକୁ ପ୍ରୋତ୍ସାହିତ କରି କୃଷିଜାତ ଦ୍ରବ୍ୟକୁ ବିଶ୍ୱ ବଜାରରେ ପହଞ୍ଚାଇବା ଏବଂ ବିଦେଶକୁ ରପ୍ତାନି କରିବା ଦିଗରେ କାର୍ଯ୍ୟ ଚାଲିଛି ।
ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି, ସବୁ ଦଳର ରାଜନୈତିକ ବିଚାର ଭିନ୍ନ ହୋଇପାରେ, କିନ୍ତୁ ଲୋକଙ୍କ କଲ୍ୟାଣ, ସେବା ଓ ଦାୟିତ୍ୱ ସର୍ବୋପରି । ରେଢ଼ାଖୋଲର ଉନ୍ନତିରେ ହିଁ ସମ୍ବଲପୁରର ବିକାଶ ଅନ୍ତର୍ନିହିତ ଏବଂ ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ସମୃଦ୍ଧି ପାଇଁ ଆମ ସରକାର ସଂକଳ୍ପବଦ୍ଧ। ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପରିଚାଳନା କମିଟି ଓ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏବଂ ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
