‘ଭାରତ ଇନୋଭେଟ୍ସ’ ମାଧ୍ୟମରେ ବିଶ୍ୱରେ ପ୍ରଦର୍ଶିତ ହେବ ଭାରତର ଇନୋଭେସନ ଶକ୍ତି -ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍ ଉନ୍ମୋଚିତ
ଉନ୍ମୋଚନ ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଆସନ୍ତା ଜୁନ୍ ୧୪ ତାରିଖରେ ଫ୍ରାନ୍ସର ନିସ୍ ସହରରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ଏମାନୁଏଲ ମାକ୍ରୋନଙ୍କ ଉପସ୍ଥିତିରେ ‘ଭାରତ ଇନୋଭେଟ୍ସ’ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ହେବାକୁ ଯାଉଛି । ଏହି ଗରିମାମୟ କାର୍ଯ୍ୟକ୍ରମରେ ଭାରତର ନୂଆପିଢ଼ିର ଅଭିନବ ଚିନ୍ତାଧାରା, ବ୍ୟବସାୟିକ ପ୍ରସ୍ତାବ ଏବଂ ବିଶ୍ୱର ଆବଶ୍ୟକତାକୁ ପୂରଣ କଲାଭଳି ନୂତନ ଉଦ୍ଭାବନଗୁଡ଼ିକୁ ପ୍ରଦର୍ଶିତ କରାଯିବ। ଏହା ଭାରତର ଯୁବ ପିଢ଼ିର ପ୍ରତିଭା ପ୍ରତି ଏକ ବଡ଼ ଆନ୍ତର୍ଜାତୀୟ ସ୍ୱୀକୃତି ।
ଏହି ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଯୁବପିଢ଼ିଙ୍କ ଦ୍ୱାରା ପ୍ରସ୍ତୁତ ଏହି ଅଭିନବ ଉଦ୍ଭାବନଗୁଡ଼ିକୁ ସମଗ୍ର ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରିବେ । ଭାରତ ତଥା ବିଶ୍ୱର ସାଧାରଣ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସ୍ୱଳ୍ପ ବ୍ୟୟସାପେକ୍ଷ, ଉଚ୍ଚ ଗୁଣବତ୍ତାସମ୍ପନ୍ନ ଏବଂ ସହଜରେ ଉପଲବ୍ଧ ହୋଇପାରୁଥିବା ସମାଧାନ ପ୍ରସ୍ତୁତ କରିବା ପାଇଁ ସରକାର ସଂକଳ୍ପବଦ୍ଧ । ବିଶ୍ୱର କଲ୍ୟାଣ ପାଇଁ ଇନୋଭେସନ ଓ ଟେକ୍ନୋଲୋଜି କ୍ଷେତ୍ରରେ ସମ୍ପର୍କକୁ ଅଧିକ ମଜବୁତ କରିବା ଦିଗରେ ସହଯୋଗ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଫ୍ରାନ୍ସର ରାଷ୍ଟ୍ରପତି ଏବଂ ତାଙ୍କ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମର ସଫଳତା ପଛରେ ପ୍ରଧାନମନ୍ତ୍ରୀଙ୍କ ଭିଜନ ରହିଛି ଏବଂ ଏହା ଭାରତର ସଫଳତା ସହିତ ଓତପ୍ରୋତଃ ଭାବେ ଜଡ଼ିତ । ସମଗ୍ର ବିଶ୍ୱର ଆଜି ଭାରତର ଯୁବ ପିଢ଼ି ଉପରେ ସମ୍ପୂର୍ଣ୍ଣ ଭରସା ରହିଛି ଏବଂ ସେମାନେ ମାନବ ସମାଜର ବିଭିନ୍ନ ଆହ୍ୱାନର ସଫଳ ସମାଧାନ କରି ବିଶ୍ୱର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ ।
ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ, ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀବୃନ୍ଦ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।
