Odisha news

ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଦକ୍ଷତା ଓ ନେତୃତ୍ୱ ବିକାଶ କର୍ମଶାଳା ଆୟୋଜିତ

0

ଭୁବନେଶ୍ୱର , ୧୧ ଜାନୁଆରୀ, ୨୦୨୬ : ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଓ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱରର ମିଳିତ ସହଯୋଗରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବରିଷ୍ଠ ଅଧ୍ୟାପକମାନଙ୍କ ପାଇଁ ଦକ୍ଷତା ଓ ନେତୃତ୍ୱ ବିକାଶ କର୍ମଶାଳାର ଆୟୋଜନ କରାଯାଇଛି। ଜାନୁଆରୀ ୫ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ୩୦ଟି ସରକାରୀ ଏବଂ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ବରିଷ୍ଠ ଅଧ୍ୟାପକମାନେ ଯୋଗଦେଇଥିଲେ।

କର୍ମଶାଳାରେ ଜାତୀୟ ଶିକ୍ଷା ନୀତି-୨୦୨୦, ମହାବିଦ୍ୟାଳୟର ପ୍ରଶାସନିକ, ବିତ୍ତୀୟ ସୁପରିଚାଳନା ସହିତ ଶିକ୍ଷାଦାନ ପଦ୍ଧତି, ଦକ୍ଷତା ଆଧାରିତ ମୂଲ୍ୟାଙ୍କନ, ଡିଜିଟାଲ ଲର୍ନିଙ୍ଗ ଓ ଉଚ୍ଚକୋଟୀର ଗବେଷଣା, ଉଚ୍ଚଶିକ୍ଷା ବିଭାଗର ହିମ୍ସ ପୋର୍ଟାଲର ଉପଯୁକ୍ତ ବ୍ୟବହାର ଆଦି ବିଭିନ୍ନ ବିଷୟବସ୍ତୁକୁ ନେଇ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।

୬ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ବିଶିଷ୍ଟ ଶିକ୍ଷାବିତ୍‌ ଏବଂ ବିଶ୍ୱବିଦ୍ୟାଳୟର କୁଳପତିମାନେ ପ୍ରଶିକ୍ଷକ ଭାବେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ହୋଇଥିବା ଦକ୍ଷତା ଓ ନେତୃତ୍ୱ ବିକାଶ କର୍ମଶାଳା ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ସଶକ୍ତ କରିବା ସହ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା, ଉଚ୍ଚକୋଟୀର ଗବେଷଣାକୁ ପ୍ରୋତ୍ସାହନ ଦେବା ଓ ସର୍ବୋପରି ଆମ ଶୈକ୍ଷିକ ସମାଜର ବିକାଶ ଏବଂ ମହାବିଦ୍ୟାଳୟର ସୁପରିଚାଳନା ଦିଗରେ ନିଶ୍ଚିତ ରୂପେ ସହାୟକ ହେବ ବୋଲି ସମସ୍ତ ପ୍ରଶିକ୍ଷକମାନେ ମତପ୍ରକାଶ କରିଥିଲେ।

ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଧରଣୀଧର ନନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ଚରଣ ରଥ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଏକଜ୍ୟୁକେଟିଭ ମେମ୍ବର ପ୍ରଫେସର ଅତନୁ କୁମାର ପତି ଏବଂ ଆସିଷ୍ଟାଣ୍ଟ ପ୍ରଫେସର ଓ ପ୍ରୋଗ୍ରାମ କୋର୍ଡିନେଟର ଡ଼.ଲିପ୍ସା ମିଶ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

IEC 2 years
Leave A Reply